ଯଦୁମଣି ପାଣିଗ୍ରାହୀ : ଭାରତ ଭଳି ଏକ ବୃହତ ଗଣତାନ୍ତ୍ରିକ ରାଷ୍ଟ୍ରରେ ରାଜନୀତି କ୍ରମଶଃ କଳଙ୍କିତ ହେବାରେ ଲାଗିଛି । ବିଭିନ୍ନ ଅପରାଧର କାଳିମାକୁ ନିଜ ଦେହରେ ବୋଳି ରାଜନେତା ମାନେ ରାଜନୀତି କରୁଥିବାରୁ ରାଜନୀତି କଳଙ୍କିତ ହୋଇପଡିବା ସ୍ୱାଭାବିକ । ରାଜନେତାଙ୍କ ଭିତରେ ନୀତି ନୈତିକତା ରହୁନଥିବା କାରଣରୁ ରାଜନୀତି ମୂଲ୍ୟବୋଧ ହରାଇ ବସୁଛି । ରାଜନୈତିକ ଦଳ ଗୁଡିକରେ ଅପରାଧୀଙ୍କ ଅନୁପ୍ରବେଶ ଓ ସଂପୃକ୍ତ ଦଳ କ୍ଷମତାକୁ ଆସିବା ପରେ ରାତାରାତି କ୍ଷମତା ଚୌକିରେ ବସି ପଡୁଥିବା ଅପରାଧୀ ମାନେ ଜନ ପ୍ରତିନିଧି ନାମକ ଛତା ତଳେ ରହି ସେମାନଙ୍କ ଅପରାଧିକ ମାନସିକତାକୁ ଚରିତାର୍ଥ କରିବାକୁ ସର୍ବଦା ପ୍ରୟାସ କରୁଛନ୍ତି ।
ଫଳରେ ଲୋକେ ଶାସନର ସୁଫଳ ପାଇପାରୁ ନାହାନ୍ତି । ଆଜିର ରାଜନୀତିରେ ସ୍ୱଚ୍ଛ ଓ ନିର୍ମଳ ଭାବମୂତ୍ତି ସଂପନ୍ନ ଲୋକଙ୍କ ଅପେକ୍ଷା ଅପରାଧୀ ମାନଙ୍କ ସଂଖ୍ୟା ବଳି ପଡୁଥିବାରୁ ରାଜନୀତି ଅପରାଧୀଙ୍କ ତୀର୍ଥଭୂମି ପାଲଟି ଗଲାଣି । ଏକ ଜନମଙ୍ଗଳ ରାଷ୍ଟ୍ରରେ ରାଜନୀତିରେ ଅପରାଧୀକରଣ ଯୋଗୁଁ ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ବିପନ୍ନ ହୋଇପଡିବା ସହ ଏହା ଶାସନ ଓ ନ୍ୟାୟ ବ୍ୟବସ୍ଥାକୁ ପ୍ରଭାବିତ କରି ସାମାଜିକ ମୂଲ୍ୟବୋଧକୁ ନଷ୍ଟ କରିଚାଲିଛି । ଅନ୍ୟପକ୍ଷେ ପ୍ରତ୍ୟକ ଲୋକ କୌଣସି ନା କୌଣସି ରାଜନୈତିକ ଦଳର ସମର୍ଥକ କିମ୍ବା ପକ୍ଷଭୁକ୍ତ ହୋଇଥିବାରୁ ସେମାନଙ୍କ ଦ୍ୱାରା ସଙ୍ଗଠିତ କୌଣସି ଅପରାଧିକ କାର୍ଯ୍ୟକଳାପକୁ ଦଳୀୟ ସମର୍ଥନ ଯୋଗୁଁ ସମାଜରେ ଅପରାଧିକ କାର୍ଯ୍ୟର ସଂଖ୍ୟା ବଢିଚାଲିଛି ଏବଂ ସମାଜ ବିଶୃଙ୍ଖଳା ଆଡକୁ ଆଗେଇ ଚାଲିଛି ।
ଅପରାଧୀମାନେ ରାଜନୈତିକ ବ୍ୟକ୍ତିବିଶେଷଙ୍କ ବାହୁଛାୟା ତଳେ ରହି ଗୋଟେ ପରେ ଗୋଟେ ଅପରାଧ ନିସଙ୍କୋଚରେ ଘଟାଇ ଚାଲିଛନ୍ତି । ପୋଲିସ ପ୍ରଶାସନ ଉପରେ ରାଜନୈତିକ ବ୍ୟକ୍ତିଙ୍କ ଚାପ ଓ ଅଯଥା ହସ୍ତକ୍ଷେପ ରହୁଥିବା କାରଣରୁ ଅପରାଧୀକୁ ଖସେଇଦେବା କିମ୍ବା ଅପରାଧୀର ଅପରାଧ ଲାଗି ଦଣ୍ଡକୁ କୋହଳ କରିବାର କିମ୍ବା ଅପରାଧୀକୁ ଖସେଇ ଦେବା ପାଇଁ ସୁଚିନ୍ତିତ ବନେ୍ଦାବସ୍ତ ପ୍ରାଥମିକ ସ୍ତରରୁ କରିଦିଆଯାଉଛି । ମୋଟ ଉପରେ କହିବାକୁ ଗଲେ ରାଜନୀତିରେ ନେତାଙ୍କ ଅପରାଧ ପ୍ରବଣତା ଓ ସମାଜରେ ସଙ୍ଗଠିତ ଯେକୌଣସି ଅପରାଧକୁ ରାଜନୈତିକ ରୂପ ଦିଆଯିବା ଯୋଗୁଁ ସାମାଜିକ କ୍ଷେତ୍ରରେ ଅରାଜକତା ଓ ବିଶୃଙ୍ଖଳା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି । ଯାହାକି ଗଣତାନ୍ତ୍ରିକ ବିଧିବ୍ୟବସ୍ଥା ପ୍ରତି ଅପରାଧୀଙ୍କ ତିବ୍ର କଟାକ୍ଷ ସଦୃଶ ବିବେଚିତ ହେଉଛି ।
ଆଜି ଆମ ଦେଶରେ କ୍ଷମତାରେ ଥିବା ଓ ନଥିବା ଅନେକ ରାଜନେତାଙ୍କ ନାଁରେ ରହିଛି କିଛିନା କିଛି ଅପରାଧର ଅଭିଯୋଗ । ଦୁର୍ନୀତି, ହତ୍ୟା, ଦୁଷ୍କର୍ମ, ନାରୀ ନିର୍ଯାତନା, ଷଡଯନ୍ତ୍ର, ଠକେଇ ଓ ଦେଶଦ୍ରୋହ ଭଳି ସଙ୍ଗୀନ ଅଭିଯୋଗ ରହିଥିବା ଅନେକ ନେତା କୋର୍ଟଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇ ସଜା ଭୋଗୁଥିବା ବେଳେ ଅନେକ ନେତାଙ୍କ ମାମଲା ଏବେ କୋର୍ଟରେ ବିଚରାଧୀନ ରହିଛି । ସେହିପରି ଅନେକ ନେତା କୋର୍ଟ ଦ୍ୱାରା ଦଣ୍ଡିତ ହୋଇ ସଜା କାଟି ସାରିଥିବା ବେଳେ ଅନେକ ଆବଶ୍ୟକ ପ୍ରମାଣ ଅଭାବରୁ ଖଲାସ ମଧ୍ୟ ହୋଇଛନ୍ତି । ବିଭିନ୍ନ ରାଜ୍ୟର ବିଧାନସଭା କିମ୍ବା ସଂସଦକୁ ନିର୍ବାଚିତ ଅନେକ ନେତାଙ୍କ ନାଁରେ ଏବେ ବି ରହିଛି ଅନେକ ମାମଲା । ଏହା ସତ୍ତ୍ୱେ ବି କେତେକ ନେତା ପ୍ରତ୍ୟକ୍ଷ ରାଜନୀତିରେ ଜଡିତ ଅଛନ୍ତି ଓ ସଜା କାଟୁଥିବା କେତେକ ନେତାବି ପୁନରାୟ ଲୋକଙ୍କ ଦ୍ୱାରା ନିର୍ବାଚିତ ହେଉଥିବା ଭଳି ଘଟଣା ଦେହସୁହା ହୋଇଗଲାଣି । ଅନ୍ୟପକ୍ଷେ ବିଭିନ୍ନ ଅପରାଧରେ ଜଡିତ ଅନେକ ନେତା ଅର୍ଥ ଓ କ୍ଷମତା ବଳରେ ସାକ୍ଷୀ ପ୍ରମାଣ ଓ କୋର୍ଟ କଚେରୀକୁ ପ୍ରଭାବିତ କରି ଆଇନର ଗଳାବାଟ ଦେଇ ଖସିଯିବାରେ ସମର୍ଥ ହେଉଥିବା ଭଳି ଘଟଣାମାନ ବି ଦେଖିବାକୁ ମିଳୁଛି ।
ସେହିପରି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ଲାଗି ନେତା ଚୟନରେ ରାଜନୈତିକ ଦଳ ଗୁଡିକରେ ସେମିତି କିଛି ଦଳୀୟ ନୀତିନିୟମ ବା କଟକଣା ରହିନଥିବାରୁ ଅନେକ ଅଶିକ୍ଷିତ ଓ ଗୁଣ୍ଡା ଶ୍ରେଣୀୟ ଲୋକେ ନିଜ ପ୍ରଭାବ ବଳରେ ଦଳୀୟ ଟିକେଟ ପାଇ ନିର୍ବାଚନରେ ଅଂଶଗ୍ରହଣ କରିବାକୁ ସୁଯୋଗ ପାଉଛନ୍ତି । ସ୍ଥଳବିଶେଷରେ ଜିତିବାକୁ ବି ସକ୍ଷମ ହେଉଛନ୍ତି । ନିର୍ବାଚନରେ ଜନମତକୁ ଅର୍ଥ ଓ ବାହୁବଳରେ ପ୍ରଭାବିତ କରାଯାଉଥିବା ଆଜିର ରାଜନୀତିରେ ନୂଆ କଥା ନୁହେଁ । ତେବେ ବିଭିନ୍ନ ଅପରାଧରେ ଅଭିଯୁକ୍ତ କିମ୍ବା ଜେଲରେ ରହି ନିର୍ବାଚନ ଲଢୁଥିବା ନେତାଙ୍କୁ ଭୋଟର ମାନେ ବି ଭୋଟ ଦେଇ ଜିତାପଟ କରାଉଥିବା ଦେଖିବାକୁ ମିଳୁଛି । ସେହିପରି ରାଜନୈତିକ ଦଳ ଗୁଡିକର ନେତାମାନେ ସେମାନଙ୍କର ସମର୍ଥକ ବା କର୍ମୀଙ୍କ ଦ୍ୱାରା ସୃଷ୍ଟ ବିଭିନ୍ନ ଅପରାଧକୁ ରାଜନୈତିକ ରୂପ ଦେବା ବେଳେ ବ୍ୟକ୍ତି ଓ ସମାଜ ପ୍ରତି ଏହା ହିତ କି ଅହିତ ତାହା ଭୁଲି ଯାଆନ୍ତି ।
ନିର୍ବାଚନରେ ଭାଗ ନେଇ ଭୋଟରଙ୍କ ଦ୍ୱାରା ନିର୍ବାଚିତ ହେଉଥିବା ନେତାମାନେ ଜନତାଙ୍କ ପ୍ରତିନିଧି ଭାବରେ କାର୍ଯ୍ୟ କରନ୍ତି । ସାଧାରଣ ଜନତାଙ୍କ ସୁଖ-ଦୁଃଖରେ ସାମିଲ ହୋଇ ସେମାନଙ୍କ ସେବା କରିବା ଜନ ପ୍ରତିନିଧିଙ୍କ ପ୍ରଧାନ କର୍ତ୍ତବ୍ୟ । ସାଧାରଣ ଲୋକଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ଏହାର ବିହିତ ସମାଧାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ନେତାଙ୍କ ଧର୍ମ । ଅନ୍ୟାୟ, ଅନୀତି ଓ ପ୍ରିୟାପ୍ରୀତିତୋଷଣରୁ ଦୂରେଇ ରହି ସାଧାରଣ ଜନତାଙ୍କ ଆସ୍ଥାଭାଜନ ହେଉଥିବା ନେତା ମାନଙ୍କୁ ରାଜନୈତିକ ଦଳ ଗୁଡିକ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି । ଅନ୍ୟଥା ଅପରାଧୀ ତଥା ବିଭିନ୍ନ ଅପରାଧ ପୃଷ୍ଠଭୂମି ଥିବା ନେତାଙ୍କୁ ଦଳରେ ସାମିଲ ନ କରିବା ସହ ଦଳରେ ଥିବା ଏଭଳି ନେତାଙ୍କୁ ବିଦା କରିବା ଦିଗରେ ରାଜନୈତିକ ଦଳ ଗୁଡିକ କଠୋର ନୀତି ଅବଲମ୍ବନ କରିବା ଉଚିତ । ଆଜି ଅନେକ ନେତାଙ୍କ ନାଁ ରେ ବହୁ ଗୁରୁତର ଅଭିଯୋଗ ରହିଛି । କେତେକ ନେତାଙ୍କ ନାଁରେ କୋର୍ଟକଚେରୀରେ ମକଦ୍ଦମା ଚାଲିଛି ।
ତେବେ ବିଚାର ପ୍ରକ୍ରିୟାରେ ବିଳମ୍ବ ହେଉଥିବା ଯୋଗୁଁ ବହୁ ପ୍ରଭାବଶାଳୀ ନେତା ନିଜ କ୍ଷମତା ବଳରେ ସାକ୍ଷୀ ପ୍ରମାଣକୁ ପ୍ରଭାବିତ କରି ଖସି ଯିବାକୁ ସମର୍ଥ ହେଉଛନ୍ତି ଓ ପୁନଶ୍ଚ ବିଭିନ୍ନ ଅପରାଧିକ କାର୍ଯ୍ୟରେ ସାମିଲ ହେଉଛନ୍ତି । ଏହା ହୃଦୟଙ୍ଗମ କରି ମାନ୍ୟବର ସୁପି୍ରମକୋର୍ଟ ସ୍ୱତନ୍ତ୍ର ଅଦାଲତ ମାନ ପ୍ରତିଷ୍ଠା କରି ଅଭିଯୁକ୍ତ ନେତାଙ୍କ ମାମଲା ଗୁଡିକୁ ଶିଘ୍ର ଫଇସାଲା କରିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ ପ୍ରସ୍ତାବ ଦେବା ପରେ ସରକାର ଏହି ପସ୍ତାବକୁ ଖୁବଶିଘ୍ର କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ତେବେ ସବୁଠୁଁ ବଡକଥା ହେଉଛି ଭାରତ ଭଳି ଏକ ଜନମଙ୍ଗଳ ରାଷ୍ଟ୍ରରେ ଅପରାଧୀ ମାନଙ୍କ ଦ୍ୱାରା କବଳିତ ରାଜନୈତିକ ଦଳ ଦେଶ ବା ରାଜ୍ୟ ଶାସନ କରେ ତେବେ ସାଧାରଣ ଲୋକଙ୍କ ଅବସ୍ଥା କ’ଣ ହେବ ତାହା ସହଜରେ ଅନୁମେୟ । ରାଜନୀତିରେ ଅପରାଧିକରଣ ଓ ଅପରାଧର ରାଜନୀତିକରଣ ବନ୍ଦ ନହେଲେ ଗଣତନ୍ତ୍ର ବିପନ୍ନ ହେବାର ଆଶଙ୍କା ରହିଛି । ସବୁ ରାଜନୈତିକ ଦଳ ତୃଣମୂଳ ସ୍ତରରୁ ସଜାଗ ରହିବା ସହିତ ଟିକେଟ ବଣ୍ଟନ ବେଳେ ସଜାଗ ଦୃଷ୍ଟି ରଖିଲେ ସାମାଜିକ ଦୁସ୍ଥିତିର ନିଶ୍ଚୟ ପରିବର୍ତ୍ତନ ହେବ ଏଥିରେ ସନେ୍ଦହ ନାହିଁ ।