Odisha news

ନବଦିନାତ୍ମକ ଦୁର୍ଗାପୂଜା

0

ଡ଼ ପ୍ରତିଭା ମହାରଥୀ : ଆମ ଓଡ଼ିଶାରେ ପ୍ରତ୍ୟେକ ଦେବୀ ପୀଠରେ ନବଦିନାତ୍ମକ ପୂଜା ଆଶ୍ୱିନ ଶୁକ୍ଳ ପ୍ରତିପଦାରୁ ନବମୀ ପର୍ଯ୍ୟନ୍ତ ପାଳନ ହୁଏ । ରାଜ୍ୟର ବିଭିନ୍ନ ସହରମାନଙ୍କରେ ଆଡ଼ମ୍ବରପୂର୍ଣ୍ଣ ମଣ୍ଡପମାନ ନିର୍ମାଣ କରାଯାଇ ଆଶ୍ୱିନ ଶୁକ୍ଳ ଷଷ୍ଠୀଠାରୁ ଦଶହରା ପର୍ଯ୍ୟନ୍ତ ମୃଣ୍ମୟୀ ବିଗ୍ରହମାନ ପୂଜା କରାଯାଇଥାଏ । ଦୁର୍ଗମାସୁରକୁ ବଧ କରିଥିବାରୁ ସେ ମହାଦୁର୍ଗା, ମହିଷାସୁରକୁ ବିନାଶ କରିଥିବାରୁ ମହିଷାମର୍ଦ୍ଦିନୀ । ସେ ଏକାଧାରାରେ ମହାକାଳୀ, ମହାଲକ୍ଷ୍ମୀ, ମହାସରସ୍ୱତୀ, ନବଦୁର୍ଗା, ଦଶ ମହାବିଦ୍ୟା ସ୍ୱରୂପିଣୀ । ଦୟା, କ୍ଷମା, ନିଦ୍ରା, ସ୍ତୁତି, କ୍ଷୁଧା, ତୃଷ୍ଣା, ଶ୍ରଦ୍ଧା, ଭକ୍ତି, ଧୃତି, ମତି, ତୁଷ୍ଟି, ଶାନ୍ତି, କାନ୍ତି, ଲଜ୍ଜା, ଆଦି ଏହି ମହାଶକ୍ତିଙ୍କ ଶକ୍ତିସ୍ୱରୂପ । ତାଙ୍କର ନବଦୁର୍ଗା ସ୍ୱରୂପ ହେଉଛି ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ।

ନବରାତ୍ରୀର ପ୍ରଥମ ଦିନରେ ପୂଜା ପାଆନ୍ତି ଶୈଳପୁତ୍ରୀ । “ଶୈଳ’ ଅର୍ଥ ପାହାଡ଼ ଏବଂ “ପୁତ୍ରୀ’ ଅର୍ଥ କନ୍ୟା । ସେ ପାର୍ବତୀ ବା ହେମବତୀ ଭାବେ ମଧ୍ୟ ପରିଚିତ । ଦକ୍ଷକନ୍ୟା ସତୀ ପ୍ରଥମେ ପୁନର୍ଜନ୍ମ ନେଇଥିଲେ ଶୈଳପୁତ୍ରୀ ଭାବେ । ଦ୍ୱିତୀୟ ପୁନର୍ଜନ୍ମ ନେଇଥିଲେ ହିମାଳୟପୁତ୍ରୀ ପାର୍ବତୀ ରୂପେ ଏବଂ ବିବାହ କରିଥିଲେ ମହାଦେବଙ୍କୁ । ଶୈଳପୁତ୍ରୀ ହେଉଛନ୍ତି ଶକ୍ତିଙ୍କ ପ୍ରଥମ ଅବତାର । ଦ୍ୱିତୀୟ ଦିନରେ ପୂଜା ପାଆନ୍ତି ମା’ ବ୍ରହ୍ମଚାରିଣୀ । ତାଙ୍କର ଅନ୍ୟ ନାମଗୁଡ଼ିକ ହେଲା – ଉମା, ଅପର୍ଣ୍ଣା, ତପଶ୍ଚାରିଣୀ । ବ୍ରହ୍ମଚାରିଣୀ ଅର୍ଥ ଚରମ ସତ୍ତାର ସାନିଧ୍ୟ ପାଇବା ଲାଗି ଯିଏ ସଦା ତପସ୍ୟାରତ । ତୃତୀୟ ଦିବସରେ ଆରାଧନା କରାଯାଏ ମା’ ଚନ୍ଦ୍ରଘଣ୍ଟାଙ୍କୁ ।

ମଥାରେ ଅର୍ଦ୍ଧଚନ୍ଦ୍ରଙ୍କୁ ଧାରଣ କରୁଥିବା ହେତୁ ସେ ହେଲେ ଚନ୍ଦ୍ରଘଣ୍ଟା । ଦୁର୍ଗାଙ୍କ ଏହି ରୂପ ଭୟ ପ୍ରଦାୟକ । ଚତୁର୍ଥ ଦିବସରେ ଆବାହନ କରାଯାଏ ମା’ କୁଷ୍ମାଣ୍ଡାଙ୍କୁ । ସେ ଅଷ୍ଟଭୂଜା; ପୁଣି ସୃଷ୍ଟିକତ୍ର୍ତ୍ରୀ ସମଗ୍ର ବିଶ୍ୱ ବ୍ରହ୍ମଶଣ୍ଡର । ନିଜ ହସ ଦ୍ୱାରା ସେ ଦୂର କରିଥିଲେ ଅନ୍ତହୀନ ଅନ୍ଧକାରକୁ ଏବଂ ଯାହା ଦ୍ୱାରା ସୃଷ୍ଟି ପର୍ବ ଆରମ୍ଭ ହୋଇଥିଲା । ପଞ୍ଚମ ଦିବସରେ ପୂଜା ପାଆନ୍ତି ସ୍କନ୍ଦ ମାତା । ସେ ଦେବତାଙ୍କ ସେନାମୁଖ୍ୟ କାର୍ତ୍ତିକେୟ ବା ମୁରୁଗ ବା ସୁବ୍ରମଣ୍ୟ ବା ସ୍କନ୍ଦଙ୍କ ମାତା । ତାଙ୍କୁ ପଦ୍ମାସନା ମଧ୍ୟ କୁହାଯାଏ । ସେ ହେଉଛନ୍ତି ସକଳ ମାତୃତ୍ୱର ପରିପ୍ରକାଶ ଏବଂ ସ୍ନେହଶୀଳା – କ୍ଷମାମୟୀ । ଷଷ୍ଠ ଦିବସରେ ପୂଜା ପାଆନ୍ତି ମାତା କାତ୍ୟାୟନୀ । କାତ୍ୟମୁନିଙ୍କ କନ୍ୟା ଭାବେ ଜାତ ହୋଇଥିବାରୁ ସେ କାତ୍ୟାୟନୀ । ସେ ଦୁର୍ଗାଙ୍କ କନ୍ୟା ସ୍ୱରୂପ । ସ୍ନେହ ଶ୍ରଦ୍ଧାର ପ୍ରତୀକ । ତେବେ ଧର୍ମ ତଥା ନ୍ୟାୟ ନୀତିର ପ୍ରତିଷ୍ଠା ଲାଗି ସେ ଭୟଙ୍କର ସୁଦ୍ଧା ହୋଇପାରନ୍ତି । ସପ୍ତମ ଦିନରେ ଆସନ୍ତି ମା’ କାଳରାତ୍ରି । ତାଙ୍କୁ ମଧ୍ୟ କୁହାଯାଏ ଶୁଭଙ୍କରୀ ।

ସେ ଯାବତୀୟ ଅଜ୍ଞାନତା ଏବଂ ଅନ୍ଧକାରର ଧ୍ୱଂସକତ୍ର୍ତ୍ରୀ । ଏହି ଅବତାରରେ ସେ ରକ୍ତବୀର୍ଯ୍ୟ ରାକ୍ଷସର ରକ୍ତ ଶୋଷି ତାହାକୁ ବଧ କରିଥିଲେ । ଏହା ହେଉଛି ମା’ ଦୁର୍ଗାଙ୍କ ସବୁଠାରୁ ଭୟଙ୍କର ରୂପ । ଅଷ୍ଟମ ଦିବସରେ ଆରାଧନା କରାଯାଏ ମା’ ମହାଗୌରୀଙ୍କୁ । ମହାଗୌରୀ ଅର୍ଥ ସେ ବିଜୁଳି ପରି ଉଜ୍ଜ୍ୱଳ । ଶିବଙ୍କୁ ପତି ରୂପେ ପାଇବା ପାଇଁ ସେ ମହାତପରେ ବସିଥିଲେ ଯୁଗ ଯୁଗ ଧରି ଅଚଳ ଅବସ୍ଥାରେ ଏବଂ ତାଙ୍କ ଶରୀର ପୋତି ହୋଇଯାଇଥିଲା ଧୂଳି ମାଟିରେ । ଶେଷରେ ଶିବ ପ୍ରସନ୍ନ ହୋଇ ତାଙ୍କୁ ଗଙ୍ଗାଜଳରେ ସ୍ନାନ କରାଇଥିଲେ । ନବମ ଦିବସରେ ପୂଜା ପାଆନ୍ତି ମା’ ସିଦ୍ଧିଦାୟିନୀ । ସେ ଜ୍ଞାନଦାତ୍ରୀ । ବ୍ରହ୍ମଙ୍କୁ ଅନୁଭବ କରିବା ନିମନ୍ତେ ସେ ଦିବ୍ୟଜ୍ଞାନ ପ୍ରଦାନ କରିଥାନ୍ତି । ସିଦ୍ଧ, ଗନ୍ଧର୍ବ, ଯକ୍ଷ, ରାକ୍ଷସ ଏବଂ ଦେବତାଙ୍କ ଗହଣରେ ସେ ବିଜେ ହୁଅନ୍ତି ।

ସ୍ୱୟଂ ପରମେଶ୍ୱର ସ୍ୱୀକାର କରନ୍ତି ଯେ, “କେବଳ ଶକ୍ତିଯୁକ୍ତ ହୋଇ ମୁଁ ଈଶ୍ୱର, ଶକ୍ତି ବିନା ମୁଁ ଶବ ପାଲଟିଥାଏ” । ଶ୍ରୀ ଶ୍ରୀ ଶଙ୍କରାଚାର୍ଯ୍ୟ ଶକ୍ତିଙ୍କୁ ପ୍ରଥମେ ମାନୁ ନଥିବାରୁ ଦେବୀ ତାଙ୍କୁ ଶକ୍ତିହୀନ କରି ଚଳତ୍ଶକ୍ତିରହିତ କରିଦେଇଥିଲେ । ତେଣୁ ସେ ଆନନ୍ଦଲହରୀ ଦେବୀ ସ୍ତୋତ୍ର ପ୍ରଥମରୁ “ଶିବଶକ୍ତ୍ୟାଯୁକ୍ତ ଯଦି ଭବତି ଶକ୍ତ ସମୁଦିତଂ ନ ଚ ଦେବଦେବ ନ ଖଳୁ ଭବିତ୍ରୋ ସ୍ପନ୍ଦିତୁ ମପି” ବୋଲି ସ୍ୱୀକାରକଲେ । ସୌନ୍ଦର୍ଯ୍ୟଲହରୀ ହେଉଛି ସଂସ୍କୃତ ଭାଷାରେ ରଚିତ ଏକ ପୌରାଣିକ କାବ୍ୟ ।

ଏହି କାବ୍ୟରେ ଦେବୀ ପାର୍ବତୀଙ୍କର ଦିବ୍ୟ ସୌନ୍ଦର୍ଯ୍ୟ ବିଷୟରେ ବର୍ଣ୍ଣନା ରହିଛି । ଏଥିରେ ମୋଟ ୧୦୩ଟି ଶ୍ଳୋକ ରହିଛି । ଆଦିଗୁରୁ ଶଙ୍କରାଚାର୍ଯ୍ୟ ଏବଂ ମହାନ୍ ସନ୍ଥ ପୁଷ୍ପଦନ୍ତ ସୌନ୍ଦର୍ଯ୍ୟ ଲହରୀ ରଚନା କରିଥିବା ଜଣାଯାଏ । ସୌନ୍ଦର୍ଯ୍ୟ ଲହରୀକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗଟି ଆନନ୍ଦ ଲହରୀ ଏବଂ ଦ୍ୱିତୀୟ ଭାଗଟି ସୌନ୍ଦର୍ଯ୍ୟ ଲହରୀ ନାମରେ ପରିଚିତ । ସୌନ୍ଦର୍ଯ୍ୟ ଲହରୀରେ ବର୍ଣ୍ଣିତ ୧ରୁ ୪୧ତମ ଶ୍ଳୋକ ପର୍ଯ୍ୟନ୍ତ ଆନନ୍ଦ ଲହରୀ ନାମରେ ନାମିତ ହୋଇଥିବା ବେଳେ ବାକିତକ ଶ୍ଳୋକ ସୌନ୍ଦର୍ଯ୍ୟ ଲହରୀ ଭାଗରେ ବର୍ଣ୍ଣିତ ହୋଇଛି । ଏହା କେବଳ ଏକ କାବ୍ୟ ନୁହେଁ, ଏଥିରେ ତନ୍ତ୍ର ଉପାସନା ପଦ୍ଧତି ବିଷୟରେ ମଧ୍ୟ ବର୍ଣ୍ଣନା ରହିଛି । ଏଥିରେ ଦେବୀଙ୍କ ବିଭିନ୍ନ ଯନ୍ତ୍ରର ପୂଜା ପଦ୍ଧତି ସମ୍ପର୍କରେ ମଧ୍ୟ ବର୍ଣ୍ଣନା ଥିବା ଦେଖିବାକୁ ମିଳେ । ଶ୍ରୀଯନ୍ତ୍ର ପୂଜାର ପଦ୍ଧତି ମଧ୍ୟ ଏଥିରେ ବର୍ଣ୍ଣିତ । ସେହି ମହାଶକ୍ତିଙ୍କୁ ଶାରଦା, ବରଦା, ମୋକ୍ଷଦା, ଶୁଭଦା ବୋଲି ମଧ୍ୟ ନାମକରଣ କରାଯାଇଅଛି ।

ଆଶ୍ୱିନ ଶୁକ୍ଳପକ୍ଷରେ ପ୍ରତିପଦାଠାରୁ ପ୍ରଥମ ତିନିଦିନ ମହାକାଳୀଙ୍କୁ, ତାପର ତିନିଦିନ ମହାଲକ୍ଷ୍ମୀଙ୍କୁ ଓ ଶେଷ ତିନିଦିନ ମହାସରସ୍ୱତୀଙ୍କୁ ମଧ୍ୟ ପୂଜା କରାଯିବାର ପରମ୍ପରା ରହିଆସିଛି । ଏହି ତିନି ମହାଦେବୀ ଯଥାକ୍ରମେ ତମଗୁଣ, ରଜଗୁଣ ଓ ସତ୍ତ୍ୱଗୁଣର ପ୍ରତୀକ । ଦଶମୀ ତିଥିରେ ଦଶହରାପର୍ବ ପାଳନ ହୋଇଥାଏ । ଏହା ଧର୍ମର ବିଜୟ ଅଧର୍ମ ଉପରେ, ସତ୍ୟର ବିଜୟ ଅସତ୍ୟ ଉପରେ, ନ୍ୟାୟର ବିଜୟ ଅନ୍ୟାୟ ଉପରେ, ଅହିଂସାର ବିଜୟ ହିଂସା ଉପରେ, ଜ୍ଞାନର ବିଜୟ ଅଜ୍ଞାନତା ଉପରେ ।
କାହିଁକି ଦୁର୍ଗାଙ୍କ ସୃଷ୍ଟି?

ଦୁର୍ଗା ସପ୍ତଶତୀରେ ଥିବା ବର୍ଣ୍ଣନା ଅନୁସାରେ, ପ୍ରାଚୀନ କାଳରେ ତିନି ପୁରରେ ମହିଷାସୁରର ଅତ୍ୟାଚାର ବଢ଼ି ଚାଲିଥିଲା । ଇନ୍ଦ୍ରପୁରୀ ତଥା ଦେବଲୋକ ଅଧିକାର କରିବା ପରେ ମହିଷାସୁର ଋଷି-ମୁନି ଏବଂ ସାଧୁସନ୍ଥଙ୍କ ଉପରେ ଅତ୍ୟାଚାର ଆରମ୍ଭ କରିଦେଲା । ମହିଷାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ ଦେବତାମାନେ ତ୍ରିଦେବଙ୍କ ଶରଣାପନ୍ନ ହେଲେ । ମହିଷାସୁର ଉପରେ କ୍ରୋଧିତ ହେବାରୁ ତି୍ରଦେବଙ୍କଠାରୁ ଏକ ପ୍ରକାଶ ପୁଞ୍ଜ ସୃଷ୍ଟି ହେଲା । ଏହି ପ୍ରକାଶ ପୁଞ୍ଜ ସମସ୍ତ ଦେବଗଣଙ୍କ ଶକ୍ତିରେ ଶକ୍ତିଶାଳୀ ହେଲା ।

ଏଥିରୁ ହିଁ ଦେବୀ ଦୁର୍ଗାଙ୍କ ଜନ୍ମ ହେଲା । ଭଗବାନ ଶଙ୍କରଙ୍କ ପ୍ରକାଶରୁ ଶକ୍ତିଙ୍କ ମୁଖମଣ୍ଡଳ, ଯମରାଜଙ୍କ ପ୍ରକାଶରୁ ଦେବୀଙ୍କ କେଶ, ସନ୍ଧ୍ୟାଙ୍କ ପ୍ରକାଶରୁ ଆଖିପତା, ଅଗ୍ନିଙ୍କ ପ୍ରକାଶରୁ ତିନି ନେତ୍ର, ବାୟୁଙ୍କ ପ୍ରକାଶରୁ କାନ, ପ୍ରଜାପତିଙ୍କ ପ୍ରକାଶରୁ ଦାନ୍ତ, ଏହିପରି ଅନ୍ୟ ଦେବତାଙ୍କ ପ୍ରକାଶରୁ କଲ୍ୟାଣମୟୀ ଦେବୀ ଦୁର୍ଗାଙ୍କ ସମ୍ପୂର୍ଣ୍ଣ ଅବତାର ସୃଷ୍ଟିହେଲା । ଦେବୀ ଭବାନୀଙ୍କୁ ଦେବତାମାନେ ନିଜ ନିଜ ଅସ୍ତ୍ରଶସ୍ତ୍ର ଅର୍ପଣ କଲେ । ଭବ୍ୟ ତେଜୋମୟ ରୂପ ସହିତ ଦେବୀ ମହିଷାସୁରର ସମସ୍ତ ସେନାକୁ ଧ୍ୱସ୍ତ କରିଦେଲେ ଏବଂ ମହିଷାସୁରର ବଧକଲେ । ମହିଷାସୁର ବ୍ୟତୀତ ଧୂମଲୋଚନ, ଚଣ୍ଡ-ମୁଣ୍ଡ, ରକ୍ତବୀର୍ଯ୍ୟ, ଶୁମ୍ଭ-ନିଶୁମ୍ଭ ଆଦି ରାକ୍ଷସଙ୍କୁ ମଧ୍ୟ ଦେବୀ ଦୁର୍ଗା ନିପାତ କରିଥିଲେ ।

“ମା ଦୁର୍ଗା”ଙ୍କ ସୃଷ୍ଟି ସମ୍ବନ୍ଧରେ ଅନ୍ୟ ଏକ କାହାଣୀ ହେଲା – ପୁରାଣ କାଳରେ ଦୁର୍ଗମ ନାମରେ ରାକ୍ଷସଟିଏ ଥିଲା । ଭଗବାନ ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ସବୁ ବେଦକୁ ସେ ନିଜର ଅଧୀନସ୍ଥ କରିନେଇଥିଲା । ଏହାଦ୍ୱାରା ଦେବତାମାନଙ୍କର ଶକ୍ତି ହ୍ରାସ ପାଇଲା । ସେତେବେଳେ ଦୁର୍ଗମ ଦେବତାମାନଙ୍କୁ ହରାଇ ସ୍ୱର୍ଗକୁ କବ୍ଜା କରିନେଲା । ଦୁର୍ଗମ ଦ୍ୱାରା ପରାଜିତ ହୋଇ ସ୍ୱର୍ଗ ହରାଇବା ପରେ ଦେବତାମାନେ ଦେବୀ ଭଗବତୀଙ୍କୁ ସ୍ମରଣ କଲେ । ଦେବତାମାନଙ୍କ ଆହ୍ୱାନ ପରେ ଦେବୀ ପ୍ରକଟ ହେଲେ । ଦେବତାମାନେ ଏକ ସ୍ୱରରେ କହିଲେ, “ମା’, ଦୁର୍ଗମ ରାକ୍ଷସ ସବୁ ବେଦ ଏବଂ ସ୍ୱର୍ଗକୁ ଅକ୍ତିଆର କରିନେଇଛି । ଆପଣ ତାକୁ ବଧ କରନ୍ତୁ ।

” ଦେବୀ ସେମାନଙ୍କୁ ଆଶ୍ୱାସନା ଦେଲେ । ଦୁର୍ଗମ କାନରେ ଏକଥା ପଡ଼ିବା ମାତ୍ରେ ସେ ଦେବତାମାନଙ୍କ ଉପରେ ପୁଣି ଥରେ ଆକ୍ରମଣ ଆରମ୍ଭ କରିଦେଲା । ସେତେବେଳେ ମା’ ଭଗବତୀ ଦେବତାମାନଙ୍କୁ ରକ୍ଷା କରିବା ପାଇଁ ଦୁର୍ଗମର ସେନାକୁ ସଂହାର କଲେ । ଏହାପରେ ଦୁର୍ଗମ ନିଜେ ଯୁଦ୍ଧ କରିବାକୁ ଆସିଲା । ସେତେବେଳେ ଭଗବତୀ କାଳୀ, ତାରା, ଛିନ୍ନମସ୍ତା, ଭୁବନେଶ୍ୱରୀ, ଭୈରବୀ, ବଗଳା ଆଦି ସହାୟକ ଶକ୍ତିମାନଙ୍କୁ ମଧ୍ୟ ଯୁଦ୍ଧ କରିବାକୁ ପଠାଇଲେ । ଭୟଙ୍କର ଯୁଦ୍ଧରେ ଦୁର୍ଗମ ବଧ ହେଲା । ଦୁର୍ଗମ ନାମକ ରାକ୍ଷସକୁ ସଂହାର କରିବା କାରଣରୁ ମା’ ଭଗବତୀ ଦୁର୍ଗା ନାମରେ ବିଖ୍ୟାତ ହେଲେ ।

ପରିଶେଷରେ ଏତିକି କୁହାଯାଇପାରେ ମାତୃପୂଜାହିଁ ଦୁର୍ଗାପୂଜା । ମାତୃଶକ୍ତି ହିଁ ଆଦ୍ୟାଶକ୍ତି । ଏହି ଶକ୍ତିର ପରିପ୍ରକାଶ ବାହି୍ୟକ ପୂଜାରେ ନୁହେଁ ଆଧ୍ୟାତ୍ମିକ ଆତ୍ମସମର୍ପଣ ଦ୍ୱାରା ସମ୍ଭବ ହୁଏ । ସେହି ସ୍ୱର୍ଗୀୟ ଆଦ୍ୟାଶକ୍ତି ମହାଶକ୍ତି ମାଧ୍ୟମରେ ସକଳ ଦେବତା ଓ ସ୍ୱୟଂ ପରମେଶ୍ୱର ପ୍ରକାଶ ଲାଭ କରନ୍ତି । ତ୍ୟାଗ ଓ ବୈରାଗ୍ୟ ସାହାଯ୍ୟରେ ମନକୁ ନିୟନ୍ତ୍ରଣ କରି ଅହଙ୍କାର ଆଦି ପଞ୍ଚ ବିକାରକୁ ମା’ଙ୍କ ନିକଟରେ ବଳି ଦେବା ଏହି “ଦଶହରା’ ପର୍ବର ଉଦେ୍ଦଶ୍ୟ ।

Leave A Reply