Odisha news

କେନ୍ଦ୍ରମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ କରୋନା ସମୟରେ ଓଡିଶାକୁ ମୋଦି ସରକାରଙ୍କ ୨୨,୨୬୭.୬୬ କୋଟିର ସହାୟତା – ଧର୍ମେନ୍ଦ୍ର ପ୍ରଧାନ

0

ନୂଆଦିଲ୍ଲୀ/ ଭୁବନେଶ୍ୱର,୧୬ ଅକ୍ଟୋବର – କୋଭିଡ୍‌-୧୯ ସମୟରେ ମୋଦି ସରକାର ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସମେତ କୋଭିଡ୍ ପରିଚାଳନା ଓ ମୁକାବିଲା ଏବଂ ବିଭିନ୍ନ ଯୋଜନା ମାଧ୍ୟମରେ ମୋଟ୍ ୨୨,୨୬୭.୬୬ କୋଟିର ସହାୟତା ପ୍ୟାକେଜ୍ ପ୍ରଦାନ କରିଛନ୍ତି ବୋଲି ଶୁକ୍ରବାର ନୂଆଦିଲ୍ଲୀରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିସ୍ତୁତ ସୂଚନା ଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ କରୋନା ମହାମାରୀ ସମୟରେ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି । ଏହାସହ ଓଡିଶାକୁ ବିପୁଳ କେନ୍ଦ୍ରୀୟ ସହାୟତା ଦିଆଯାଉଥିବା ବେଳେ ରାଜ୍ୟ ସରକାର ଏଥିପ୍ରତି ଯତ୍ନଶୀଳ ହୋଇ କାମ କରିବା ଦରକାର ବୋଲି ସେ କହିଛନ୍ତି । ସେହିପରି ନିକଟରେ କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ଉପଭୋକ୍ତାଙ୍କ ଅତିରିକ୍ତ ଚାହିଦା ପାଇଁ ଏଲଟିସି କ୍ୟାସ ଭାଉଚର ସ୍କିମ୍ କରାଯାଇଛି । ଏହା ଦ୍ୱାରା କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା କର୍ମଚାରୀମାନେ ଲାଭ ପାଇବେ । ତେବେ ଏହି କଠିନ ସମୟରେ ରାଜ୍ୟ ସରକାର ମଧ୍ୟ ନିଜ କର୍ମଚାରୀ ତଥା ଓଡିଶାର ପିଏସୟୁ କର୍ମଚାରୀଙ୍କ ପାଇଁ ଏପରି ସମାନ ଭାବେ ଏକ ସ୍ୱତନ୍ତ୍ର ପ୍ରୋତ୍ସାହନର ବ୍ୟବସ୍ଥା କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ପ୍ରତି ମାସରେ ବ୍ୟକ୍ତି ପିଛା ୫ କେଜି ଚାଉଳ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟର ୩.୧୭ କୋଟି ହିତାଧିକାରୀଙ୍କୁ ମାସିକ ୫ କେଜି ଚାଉଳ ପ୍ରଦାନ କରାଯାଇଛି । ଏହି ମର୍ମରେ ମୋଟ ୭ ଲକ୍ଷ ୫୧ ହଜାର ୯୩୦ ଟନ୍ ଚାଉଳ ଓଡିଶାକୁ ପ୍ରଦାନ କରାଯାଇଛି । ସେହିପରି ପ୍ରତି ପରିବାରକୁ ମାସିକ ୧ କେଜି ଡାଲି ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିବା ବେଳେ ଓଡିଶାର ୯୨.୮୫ ଲକ୍ଷ ପରିବାରକୁ ଡାଲି ଯୋଗାଇ ଦିଆଯାଇଛି । ମୋଟ ୪୪ ହଜାର ୧୩୦ ଟନ୍ ଡାଲି ଓଡିଶାକୁ ଯୋଗାଇ ଦିଆଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ମାଗଣାରେ ୩ଟି ଏଲପିଜି ସିଲିଣ୍ଡରର ବ୍ୟବସ୍ଥା ହୋଇଥିବା ବେଳେ ଓଡ଼ିଶାକୁ ୪୪୦ କୋଟି ଟଙ୍କା ବ୍ୟୟରେ ୬୮.୭୯ ଲକ୍ଷ ଏଲପିଜି ସିଲିଣ୍ଡର ଦିଆଯାଇଛି ।
ଜନଧନ ଆକାଉଂଟଧାରୀ ମହିଳାଙ୍କ ପାଇଁ ୧୫୦୦ ଟଙ୍କାର ବ୍ୟବସ୍ଥା ଥିବା ବେଳେ ଓଡ଼ିଶାର ୮୫.୨୦ ଲକ୍ଷ ହିତାଧିକାରୀ ଏହାର ଲାଭ ପାଇଛନ୍ତି । ଓଡ଼ିଶା ପାଇଁ ମୋଟ ୧୨୫୮.୦୨ କୋଟି ଟଙ୍କା ବ୍ୟାଙ୍କ୍ ଆକାଉଂଟକୁ ଟ୍ରାନ୍ସଫର କରାଯାଇଛି । ଜାତୀୟ ସାମାଜିକ ସୁରକ୍ଷା ଭତା (ଏନଏସଏପି)ର ଯୋଜନାରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ, ବିଧବାଙ୍କ ପାଇଁ ୧ ହଜାର ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ରାଜ୍ୟରେ ଥିବା ୨୦.୨୭ ଲକ୍ଷ ହିତାଧିକାରୀଙ୍କୁ ୨୦୨.୭୦ କୋଟି ଟଙ୍କା ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ କିଷାନ(କୃଷକ ସମ୍ମାନ ନିଧି) ଯୋଜନାରେ ରାଜ୍ୟର ୨୦.୩ ଲକ୍ଷ ହିତାଧିକାରୀଙ୍କୁ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି । ଏହି ଯୋଜନାରେ ଓଡ଼ିଶାର ଚାଷୀଙ୍କୁ ମୋଟ ୪୦୦.୬୩ କୋଟି ଟଙ୍କା ପ୍ରଦାନ କରାଯାଇଛି । କରୋନା ସମୟରେ ଓଡ଼ିଶାର ୨୦.୮୩ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ କୋଠା ଏବଂ ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିରୁ ମୁଣ୍ଡ ପିଛା ୧୫୦୦ ଟଙ୍କା ପ୍ରଦାନ କରାଯାଇଥିବା ବେଳେ ମୋଟ ୩୧୨.୪୯ କୋଟି ଟଙ୍କା ପ୍ରଦାନ କରାଯାଇଛି ।

Leave A Reply