ଭୁବନେଶ୍ୱର, ୧୬ ଅକ୍ଟୋବର – ଶୁକ୍ରବାର ପ୍ରକାଶିତ ଏନଟିଏ-ଏନଇଇଟି ପରୀକ୍ଷାରେ ଓଡ଼ିଶାର ସୋଏବ ଆଫତାବ ଶତ ପ୍ରତିଶତ ନମ୍ବର ରଖି ଇତିହାସ ସୃଷ୍ଟି କରିଛନ୍ତି । ସେ ମୋଟ ୭୨୦ ନମ୍ବରରୁ ୭୨୦ ନମ୍ବର ରଖି ଓଡ଼ିଶାର ପ୍ରଥମ ଛାତ୍ର ଭାବେ ଏନଇଇଟିରେ ଟପ୍ପର ହୋଇଛନ୍ତି ।
ସୋଏବଙ୍କ ଘର ଓଡ଼ିଶାର ରାଉରକେଲାରେ । ସେ ପାଠ ପଢ଼ିବା ପାଇଁ ମା’ଙ୍କ ସହ ରାଜସ୍ଥାନ କୋଟାରେ ରହୁଛନ୍ତି । ତାଙ୍କ ବାପା ଓଡ଼ିଶାରେ ନିର୍ମାଣ ବ୍ୟବସାୟରେ ଅଛନ୍ତି । ରାଉରକେଲା ଆଜାଦ ମୋହଲାରେ ରହୁଥିବା ମହମ୍ମଦ ଆବାସଙ୍କ ପୁଅ ସୋଏବ ରାଉରକେଲା ଡିସୁଜା ସ୍କୁଲରେ ପାଠ ପଢୁଥିଲେ । ଡିସୁଜାରୁ ଦଶମ ପରୀକ୍ଷାରେ ଉତୀର୍ଣ୍ଣ ହେବା ପରେ ସେ ରାଜସ୍ଥାନର କୋଟାରେ +୨ ଅଧ୍ୟୟନ କରୁଥିଲେ । ଏହି ସମୟରେ ସେ ଏକ କୋଚିଂ ସେଂଟରରେ ନାମ ଲେଖାଇ ମେଡିକାଲ ପ୍ରବେଶିକା ଲାଗି ପ୍ରସ୍ତୁତି ଆରମ୍ଭ କରିଥିଲେ । ତାଙ୍କ ସଫଳତାରେ ରାଉରକେଲାରେ ଖୁସିର ମାହୋଲ୍ ଦେଖିବାକୁ ମିଳିଛି ।ସୂଚନାଯୋଗ୍ୟ ଯେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପକ୍ଷରୁ ଏନଟିଏ ଏନଇଇଟି (ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା)-୨୦୨୦ ର ଫଳାଫଳ ପ୍ରକାଶ ପାଇଛି । ୱେବସାଇଟ୍ ରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଜାଣିପାରିବେ ।