ସୌଭାଗ୍ୟ ରଂଜନ ମହାନ୍ତି(ରାଜା)ସାମ୍ବାଦିକ : ଅକ୍ଟୋବର ୧୫ ତାରିଖରୁ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ଗୁଡିକୁ ଖୋଲିବା ପାଇଁ କେନ୍ଦ୍ର ସରକାର ଅନଲକ-୫ରେ ଅନୁମତି ଦେଇଥିବାରୁ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦେଶବ୍ୟାପୀ ବନ୍ଦ ହୋଇଯାଇଥିବା ଶିକ୍ଷାନୁଷ୍ଠାନଗୁଡିକ ପୁନଃ ଖୋଲିବା ନେଇ ଆଶା ସଂଚାର ହୋଇଛି । ତେବେ ଶିକ୍ଷାନୁଷ୍ଠାନଗୁଡିକ ଖୋଲିବା ନିଷ୍ପତି କେନ୍ଦ୍ର ସରକାର ରାଜ୍ୟଗୁଡିକ ଉପରେ ଛାଡି ଦେଇଛନ୍ତି । ହୁଏତ ଆସନ୍ତା ୧୫ ତାରିଖରୁ ସ୍କୁଲଗୁଡିକୁ ଖୋଲି ପାରନ୍ତି କିମ୍ବା କରୋନା ଭୂତାଣୁ ସଂକ୍ରମଣର ସ୍ଥିତିକୁ ଦେଖି ପୁଣି ଘୁଂଚାଇ ଦେଇପାରନ୍ତି । ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ଗୁଡିକ ପୁନଃ ଖୋଲିବା ଦାୟିତ୍ୱ ଏବେ ରାଜ୍ୟ ସରକାରମାନଙ୍କର । ଏହା ସତ୍ୟ ଯେ, ପ୍ରାଣଘାତୀ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ଦେଶରେ ଯେଉଁ ସବୁ କ୍ଷେତ୍ରଗୁଡିକ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି, ପ୍ରଭାବିତ ହୋଇଛି, ସେଥିମଧ୍ୟରୁ ଶିକ୍ଷାନୁଷ୍ଠାନଗୁଡିକ ହେଉଛି ଅନ୍ୟତମ ।
ଦେଶରେ କରୋନା ଭୂତାଣୁ ସଂକ୍ରମଣ ଦେଖାଦେବା ପରେ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି । ପାଖାପାଖି ଦୀର୍ଘ ୮ମାସ ଧରି ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି । କରୋନା ଭୟରେ ଶିକ୍ଷା ବର୍ଷ ଶେଷ ହେବା ପୂର୍ବରୁ ସ୍କୁଲଗୁଡିକୁ ବନ୍ଦ କରି ଦିଆଯାଇଥିଲା । ଏପରିକି ବାର୍ଷିକ ପରୀକ୍ଷା ମଧ୍ୟ ହୋଇପାରିନଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିନା ପରୀକ୍ଷାରେ ପିଲାମାନଙ୍କୁ ସମୁହ ପାସ୍(ଉତୀର୍ଣ୍ଣ) କରି ଦିଆଯାଇଥିବା ବେଳେ ଅଧାଅଧି ବା ତା’ଠାରୁ କମ୍ ବିଷୟରେ ପରୀକ୍ଷା ହୋଇଥିବା ଉପର ଶ୍ରେଣୀ ତଥା ମାଟ୍ରିକ, ଯୁକ୍ତ ୨, ଯୁକ୍ତ ୩, ବିଶ୍ୱବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନ ଗୁଡିକରେ ସର୍ବାଧିକ ନମ୍ବର ଥିବା ୩ଟି ବିଷୟକୁ ଆଧାର କରି ଛାତ୍ରଛାତ୍ରୀମାନଙ୍କୁ ଉତୀର୍ଣ୍ଣ କରାଯାଇଛି କିମ୍ବା ଗ୍ରେଡ୍ ଦିଆଯାଇଛି । ଉଲ୍ଳେଖଯୋଗ୍ୟ ଯେ, ଅନଲକ-୪ରେ କେତେକ ରାଜ୍ୟରେ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ଅନୁମତି ଦେଇଥିଲେ ମଧ୍ୟ, ସଂକ୍ରମଣ ଲାଗି ରହିଥିବାରୁ ଉପସ୍ଥାନ ଅତି ନଗଣ୍ୟ ରହିଛି ବା ଆଦୌ ଛାତ୍ରଛାତ୍ରୀମାନେ ସ୍କୁଲ ଆସୁନଥିବା ରିପୋର୍ଟ ମିଳିଛି ।
ରାଜ୍ୟ ସରକାର ବା ସ୍ଥାନୀୟ ପ୍ରଶାସନର ପ୍ରୋସôାହନ ସତ୍ୱେ ଅଭିଭାବକ ପିଲାମାନଙ୍କୁ ସ୍କୁଲକୁ ଛାଡୁନଥିବାରୁ ପୂର୍ବବତ ବନ୍ଦ ରହିଥିବା ଲକ୍ଷ କରାଯାଏ । ଆମ ରାଜ୍ୟରେ ପୂଜାଛୁଟି ପର୍ଯ୍ୟନ୍ତ ରାଜ୍ୟ ସରକାର ସ୍କୁଲଗୁଡିକ ଛୁଟି ଘୋଷଣା କରିଛନ୍ତି । ଯାହା ଜଣାପଡୁଛି, ପୂଜାଛୁଟି ପରେ ଅର୍ଥାତ୍ ନଭେମ୍ବରରୁ ସ୍କୁଲ ଖୋଲିବା ସମ୍ଭାବନା ଉଜ୍ଜଳ ରହିଛି । ଦୀର୍ଘ ୮ ମାସ ଧରି ଅର୍ଥାତ୍ ମାର୍ଚ୍ଚ ମାସ ଅଧାରୁ ବନ୍ଦ ସ୍କୁଲଗୁଡିକ ବନ୍ଦ ହୋଇ ରହିଥିବାରୁ ଏବେ ଶ୍ରେଣୀଗୃହ ଗୁଡିକୁ ସଫେଇ ଏବଂ ସାନିଟାଇଜେସନ କରିବାର ଆବଶ୍ୟକତା ରହିଛି । ଅବଶ୍ୟ ସ୍କୁଲଗୁଡିକର ସାନଟାଇଜେସନ ଓ ସଫେଇ ପାଇଁ ରାଜ୍ୟ ସରକାର ନିଦେ୍ର୍ଦଶ ଦେଇଛନ୍ତି । ଯେଉଁଥିରୁ ସରକାର ଶିକ୍ଷାନୁଷ୍ଠାନ ଗୁଡିକୁ ପୁନଃ ଖୋଲିବା ପାଇଁ ପଦକ୍ଷେପ ନେଇଥିବା ବା ଆଗ୍ରହୀ ଥିବା ମନେହୁଏ । ଏହା ସତ୍ୟ ଯେ, ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଏବେ ନିୟନ୍ତ୍ରଣକୁ ଆସି ନାହିଁ କିମ୍ବା ନିକଟ ଭବିଷ୍ୟତରେ ସଂକ୍ରମଣ ସଂପୂର୍ଣ୍ଣ ହଟିବା ସମ୍ଭାବନା କ୍ଷୀଣ ରହିଛି ।
ଉଲ୍ଳେଖଯୋଗ୍ୟ ଯେ, ଯେତେବେଳେ ଦୈନିକ ସଂକ୍ରମଣ ମାତ୍ର ଦୁଇ କିମ୍ବା ତିନି ଅଙ୍କ ମଧ୍ୟରେ ସିମୀତ ରହିଥିଲା, ସେତେବେଳେ ସ୍କୁଲ, କଲେଜଗୁଡିକୁ ଶିକ୍ଷା ବର୍ଷ ଶେଷ ପୂର୍ବରୁ ବନ୍ଦ କରି ଦିଆଯାଇଥିଲା । ମାତ୍ର ଏବେ ଦୈନିକ ସଂକ୍ରମଣ ୭୦ ହଜାର ଉପରେ ରହିଛି । ଅବଶ୍ୟ ଦୈନିକ ସଂକ୍ରମଣ ଏବେ ସେପ୍ଟେମ୍ବର ମାସ ତୁଳନାରେ ହ୍ରାସ ପାଇବାରେ ଲାଗିଛି । ସେପ୍ଟମ୍ବରରେ ଦୈନିକ ସଂକ୍ରମଣ ୧ଲକ୍ଷ ମୁହାଁ ହୋଇଥିବା ବେଳେ ଏବେ ଖସିବାରେ ଲାଗିଛି । ତେବେ କେବେ ସଂକ୍ରମଣ ହଟିବ, ତାହା ଭବିଷ୍ୟବାଣୀ କରିବା ଅସମ୍ଭବ । ଅନ୍ୟପକ୍ଷରେ କରୋନା ସଂକ୍ରମଣକୁ ୧ବର୍ଷ ପୁରିବାକୁ ଯାଉଥିବା ବେଳେ ବର୍ତମାନ ସୁଦ୍ଧା ଏହାର ପ୍ରତିଷେଧକ ଟିକା ବାହାରିନାହିଁ । କେବେ ଟିକା ଉପଲବ୍ଧ ହେବ ମଧ୍ୟ କହିହେଉନାହିଁ । ଆମକୁ କରୋନା ସହ ଲଢେଇ ମଧ୍ୟରେ ହିଁ ବଂଚିବାକୁ ହେବ । ସାମାଜିକ ଦୂରତା ରକ୍ଷା ସହ ମାସ୍କ ପରିଧାନ ଏବଂ ବାରମ୍ବାର ହାତ ଧୋଇବା ନେଇ କୋମଳମତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍କୁଲ ନୁହେଁ, ସ୍କୁଲ ପିଲାଙ୍କ ପ୍ରୟାସ ପରିବାର, ସମାଜ ଉପରେ ମଧ୍ୟ ପ୍ରଭାବ ପକାଇବ ।
ଏଥିରେ ସନେ୍ଦହ ନାହିଁ । ସାମାଜିକ ଦୂରତା ରକ୍ଷା ଲାଗି ସ୍କୁଲ କର୍ତୁପକ୍ଷ ବା ସ୍ଥାନୀୟ ପ୍ରଶାସନ କି ପଦକ୍ଷେପ ନେବେ, ତାହା ସ୍କୁଲ ଖୋଲିବା ପରେ ସ୍ପଷ୍ଟ ହେବ । ତେବେ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଉଛି କରୋନା ସଂକ୍ରମଣ ମଧ୍ୟରେ ସ୍କୁଲ ଖୋଲିବା । ସ୍କୁଲ ଖୋଲିବା ପାଇଁ ଅଭିଭାବକ କେତେଦୂର ସହଯୋଗ କରିବେ, ସ୍କୁଲ ଯିବାପାଇଁ ପିଲାମାନÿଙ୍କୁ ଅନୁମତି ଦେବେ, ତାହା ଶିକ୍ଷାନୁଷ୍ଠାନ ଖୋଲିବା ପରେ ଜଣାପଡିବ । ଏକ ରିପୋର୍ଟରୁ ଜଣାଯାଇଛି ଯେ, ଦୀର୍ଘ ମାସ ମାସ ଧରି ସ୍କୁଲ ବନ୍ଦ ଯୋଗୁଁ ବହୁ ପିଲା ପେଟ ପୋଷିବା ପାଇଁ ଦିନ ମଜୁରିଆ ସାଜିଥିବା ବେଳେ ବହୁ ବାଲ୍ୟ ବିବାହର ଶିକାର ହୋଇଥିବା ରିପୋର୍ଟ ମିଳିଛି । ସେହିପରି ମଧ୍ୟାହ୍ନ ବନ୍ଦ ଯୋଗୁଁ ଗରିବ, ଅସହାୟ ପିଲା ଅପପୁଷ୍ଟିର ଶିକାର ହୋଇଥିବା କୁହାଯାଏ । ଦୀର୍ଘ ମାସ ମାସ ଧରି ସ୍କୁଲ ବନ୍ଦ ଯୋଗୁଁ ଶିକ୍ଷା ଯେ, ପଶ୍ଚାଦଗାମୀ ହୋଇଛି, ଏଥିରେ ସନେ୍ଦହ ନାହିଁ । ଆମକୁ କରୋନା ମହାମାରୀ ମଧ୍ୟରେ ବଂଚିବାକୁ ହେଉଥିବାରୁ ଏବେ ସବୁ କିଛି କ୍ରମଶଃ ଚଳଚଂଚଳ ହେଉଥିବା ବେଳେ ଶିକ୍ଷାନୁଷ୍ଠାନ ଗୁଡିକୁ ଆଉ ବେଶୀ ଦିନ ବନ୍ଦ ରଖାଯିବା ଅନୁଚିତ ।