Odisha news

ପ୍ରାଥମିକ ଶିକ୍ଷା ସ୍ଥିତି ଦୟନୀୟ!

0

ହିମାଂଶୁ ଶେଖର ଆ·ର୍ଯ୍ୟ : ସ୍ୱାଧୀନତା ପରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଅନେକ ପରୀକ୍ଷା ନିରୀକ୍ଷା ହୋଇଛି । ଏତେ ପରୀକ୍ଷା ନିରୀକ୍ଷା ଅନ୍ୟ କୈାଣସି କ୍ଷେତ୍ରରେ ହୋଇନଥିବ ।ଏସବୁ ସତ୍ତ୍ୱେ ଶିକ୍ଷା କ୍ଷେତ୍ରରେ ଆଖିଦୃଶିଆ ପରିବର୍ତ୍ତନ ହୋଇନାହିଁ । ଏବେ ଏପରି ପରିସ୍ଥିତି ହୋଇଛି ଯେ, ପିଲାଙ୍କ ଶିକ୍ଷା କଥା ଉଠିଲେ ପ୍ରଥମେ ମନକୁ ଆସିଥାଏ ସରକାରୀ ସ୍କୁଲ ନା ବେସରକାରୀ ସ୍କୁଲ । ଏଥିସହିତ ସରକାରୀ ଓ ବେସରକାରୀ ସ୍କୁଲ ମଧ୍ୟରେ ତୁଳନା ଆରମ୍ଭ ହୋଇଯାଏ । ସ୍ଥିତି ଓ ସାମର୍ଥ୍ୟ ଅନୁସାରେ ଅଭିଭାବକ ମାନଙ୍କର ପ୍ରଥମ ପସନ୍ଦ ହୋଇଥାଏ ବେସରକାରୀ ସ୍କୁଲ । କାରଣ ସରକାରୀ ସ୍କୁଲରେ ଭିତ୍ତି ଭୂମିର ଅଭାବ, ଶିକ୍ଷକ ଅଭାବ ଏବଂ ଅନ୍ୟାନ୍ୟ ସବୁଧାସୁଯୋଗର ଅଭାବ ଅଭିଭାବକମାନଙ୍କୁ ବେସରକାରୀ ସ୍କୁଲକୁ ଟାଣି ନେଇଥାଏ । ସାଧାରଣରେ ଏକ ଧାରଣା ସୃଷ୍ଟି ହେଲାଣି ଯେ ବେସରକାରୀ ସ୍କୁଲର ମାନ ସରକାରୀ ସ୍କୁଲ ଠୁଁ ଭଲ ।

ଏହି ପରିସ୍ଥିତିକୁ ଲକ୍ଷ୍ୟ କରି ୨୦୧୫ ମସିହାରେ ଆହ୍ଲାବାଦ ହାଇକୋର୍ଟ ଏକ ଐତିହାସିକ ରାୟରେ କହିଥିଲେ ଯେ, ମନ୍ତ୍ରୀ, ଅଫିସର ଓ ସରକାରୀ କର୍ମଚାରୀ ଯେଉଁ ମାନେ ସରକାରଙ୍କ ରାଜ କୋଷରୁ ଦରମା ନେଉଛନ୍ତି ସେମାନଙ୍କ ପିଲାମାନେ ସରକାରୀ ସ୍କୁଲରେ ପଢିବା ବାଧ୍ୟତାମୂଳକ ହେଉ । ଏପରି ହେଲେ ରାଜ୍ୟରେ ସ୍କୁଲ ଗୁଡିକରେ ଶିକ୍ଷା ବ୍ୟବସ୍ଥା ସୁଧୁରିଯିବ । ସେତେବେଳେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ ଅଖିଳେଶ ଯାଦବ । ସେତେବେଳେ ସେ ଯଦି ଏହି ପଦକ୍ଷେପ ଗ୍ରହଣ କରିଥାନ୍ତେ ତାହାଲେ ସାରା ଦେଶରେ ଏହାର ଉତ୍ତମ ପ୍ରାଭାବ ପଡିଥାନ୍ତା । ମାତ୍ର ଏହା ହେଲାନାହିଁ ।
ଶିକ୍ଷା ବ୍ୟବସ୍ଥାରେ ସମାନତା ଆଣିବା ପାଇଁ ଅତୀତରେ ବହୁ ମହାନ ବ୍ୟକ୍ତି ଉଦ୍ୟମ କରିଥିଲେ ।

ମହାନ ସଂସ୍କାରକ ଜ୍ୟୋତିରାଓ ଫୁଲେ ହଣ୍ଟର କମିଶନକୁ ରିପୋର୍ଟରେ କହିଥିଲେ ଯେ, ଶିକ୍ଷା ପ୍ରଦାନ କ୍ଷେତ୍ରରେ କେବଳ ଉଚ୍ଚବର୍ଗକୁ ସାହାଯ୍ୟ କରୁଛନ୍ତି, ଯଦିଓ ସରକାର ଅଧିକ ଆୟ ନିମ୍ନବର୍ଗଙ୍କ ପରିଶ୍ରମରୁ ପାଉଛନ୍ତି । ୧୯୧୧ ମସିହାରେ ଗୋଖେଲ ମଧ୍ୟ ଇମ୍ପେରିୟାଲ ଆସେମ୍ବ୍ଲିରେ ମାଗଣା ଓ ବାଧ୍ୟତାମୂଳକ ସ୍କୁଲ ଶିକ୍ଷା ବିଲ୍ ଉପସ୍ଥାପନା କରିଥିଲେ ତେବେ ଏହି ବିଲ୍କୁ ବିରୋଧ କରାଯାଇଥିଲା । ପରେ ଗାନ୍ଧିଜୀ ଓ ଆମ୍ବେଦକର ସମାନ ଆଉ ଅନିର୍ବାଯ୍ୟ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ ।

୧୯୬୬ ମସିହାରେ କୋଠାରୀ କମିଶନଙ୍କ ନେବର ସ୍କୁଲ ପ୍ରସଙ୍ଗକୁ ଏଠାରେ ଉଲ୍ଲେଖ କରାଯାଇପାରେ । ସେ ସୁପାରିଶ କରିଥିଲେ ଯେ, ନିଜ ଇଲାକରେ ଏକ ସ୍କୁଲ ହେବ ଯେଉଁ ସ୍କୁଲରେ ସେହି ଇଲାକାର ପ୍ରତ୍ୟେକ ବ୍ୟକ୍ତି ସେମାନଙ୍କ ପିଲାଙ୍କୁ ପାଠ ପଢାଇବାକୁ ପଠାଇ ପାରିବେ । ଏହି ସ୍କୁଲରେ ଧନୀ-ଗରିବ, ଜାତି-ଧର୍ମ, ଉଚ୍ଚ-ନିଚ, ମାଲିକ-ଶ୍ରମିକ, ଜମିଦାର-କୃଷକ ଆଦି ଭେଦଭାବ ରହିବନାହିଁ ।ଏଥିସହିତ କୋଠାରୀ କମିଶନ ମଧ୍ୟ କେନ୍ଦ୍ର ବଜେଟ୍ର ୧୦ ଭାଗ ଓ ରାଜ୍ୟ ବଜେଟ୍ର ୩୦ ଭାଗ ଶିକ୍ଷାକ୍ଷେତ୍ରରେ ବ୍ୟୟ କରିବାକୁ ସରକାରଙ୍କୁ ସୁପାରିଶ କରିଥିଲେ ।

କିନ୍ତୁ ଏଯାବତ୍ କୌଣସି ଯୋଜନାରେ ଶିକ୍ଷା ପାଇଁ କେନ୍ଦ୍ର ବଜେଟ୍ର ୪ ଭାଗ ଓ ରାଜ୍ୟ ବଜେଟ୍ର ୨୪ ଭାଗ ଅତିକ୍ରମ କରିପାରିଲା ନାହିଁ । ଲୋକନାୟକ ଜୟପ୍ରକାଶ ନାରାୟଣ ମଧ୍ୟ କୋଠାରୀ କମିଶନଙ୍କ ସୁପାରିଶ ସପକ୍ଷରେ ମତ ଦେଇଥିଲେ । କିନ୍ତୁ ପରିତାପର ବିଷୟ ଯେ ଶିକ୍ଷା କ୍ଷେତ୍ରରେ ଅଦ୍ୟାବଧି ସ୍ଥିତି ବଦଳିପରିଲାନାହିଁ । କାରଣ ଆମ ଦେଶ ତଥା ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ବ୍ୟୟକୁ ବୋଝ ବୋଲି ବିବେଚନା କରାଯାଏ ପରିସମ୍ପତ୍ତି ନୁହେଁ ।
ଏଠାରେ ସୂଚନାଯୋଗ୍ୟ ଯେ, ୧୯୯୦ ଦଶକ ପରଠାରୁ ଆମ ଦେଶ ଜଗତୀକରଣକୁ ଆପଣେଇ ନେଲାପରେ ଶିକ୍ଷାକ୍ଷେତ୍ରରେ ଏହାର ପ୍ରତିକୂଳ ପ୍ରଭାବ ବହୁଳ ଭାବରେ ପରିଲକ୍ଷିତ ହୋଇଛି ।

ଏହାର ପ୍ରଭାବ ଆମ ରାଜ୍ୟରେ ମଧ୍ୟ ଅନୁଭୂତ ହୋଇଛି । ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ମୂଳଦୁଆ । ଏହା ଉପରେ ଦେଶର ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ସର୍ବୋପରି ମହାବିଦ୍ୟାଳୟର ଭବିଷ୍ୟତ ନିର୍ଭର କରେ । ମାତ୍ର ରାଜ୍ୟରେ ପ୍ରାଥମିକ ଶିକ୍ଷା ବିଗିଡିବାର ପ୍ରମୁଖ କାରଣ ହେଉଛି ଆବଶ୍ୟକ ଶିକ୍ଷକ ଓ ଭିତ୍ତିଭୂମିର ଅଭାବ । ଶିକ୍ଷା ଅଧିକାର ଆଇନ ଅନୁସାରେ ରାଜ୍ୟରେ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରେ ୨ ଲକ୍ଷ ୨୪ ହଜାର ୩୩୦ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି । ଅଛନ୍ତି ୧ ଲକ୍ଷ ୧୫ ହଜାର ୮୩୩ ଜଣ ନିୟମିତ ଶିକ୍ଷକ ।

ବଳକା ୧ ଲକ୍ଷ ୮ ହଜାର ୪୯୭ ଜଣ ନିୟମିତ ଶିକ୍ଷକ ପଦବୀ ସ୍ଥାନରେ ୭୩ ହଜାର ୭୩୬ ଜଣ ନିୟମିତ ଶିକ୍ଷା ସହାୟକ ଓ ଗଣଶିକ୍ଷକଙ୍କୁ ନେଇ ଶିକ୍ଷା ବ୍ୟବସ୍ଥା ଚଲାଇଛନ୍ତିି । ଖାଲିଥିବା ଶିକ୍ଷକ ପଦବୀ ପୂରଣ ହେବା ତ ଦୂରର କଥା, କେଉଁଠି ୫ଟି ଶ୍ରେଣୀକୁ ଜଣେ ଶିକ୍ଷକ ତ ଆଉ କେଉଁଠି ୭ଟି ଶ୍ରେଣୀକୁ ଦୁଇ ବା ତିନି ଜଣ ଶିକ୍ଷକରେ ସ୍କୁଲ ଚାଲିଛି ।ସେହିପରି ଭିତ୍ତିଭୂମିର ଅଭାବ ଶିକ୍ଷାର ବିକାଶରେ ଏକ ପ୍ରମୁଖ ସମସ୍ୟା ରୂପେ ଉଭାହୋଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ଥିବା ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାନୀୟଜଳ, ପରିମଳ ବ୍ୟବସ୍ଥା, ବିଜୁଳି ଆଲୋକ, ସୁସ୍ଥ ଶିକ୍ଷଣୀୟ ପରିବେଶ ଭଳି ଆବଶ୍ୟକତାକୁ ପୂରଣ କରାଯାଇପାରିନାହିଁ ।

‘ଓପେପା’ ତରଫରୁ ମିଳିଥିବା ସୂଚନା ମୁତାବକ ରାଜ୍ୟରେ ଥିବା ମୋଟ ୫୧ ହଜାର ୦୯୪ଟି ସ୍କୁଲ ମଧ୍ୟରୁ ୧୨ ହଜାର ୩୬୪ଟି ସ୍କୁଲରେ ଶୌଚାଳୟ ନାହିଁ । ୫୦ ପ୍ରତିଶତରୁ ଅଧିକ ସ୍କୁଲରେ ବାଳକ ଓ ବାଳିକାଙ୍କ ପାଇଁ ଅଲଗା ଅଲଗା ଶୌଚାଳୟ ନାହିଁ । ସେହିପରି ୪୧ ହଜାର ୩୮୨ଟି ସ୍କୁଲରେ ଖେଳପଡିଆ ନଥିଲା ବେଳେ ୪୩ ହଜାର ସ୍କୁଲକୁ ବିଦୁ୍ୟତ୍ ସଂଯୋଗ ନାହିଁ । ୧୨ ହଜାର ୨୦୦ ସ୍କୁଲରେ ମଧ୍ୟାହ୍ନ ଭୋଜନ ରାନ୍ଧିବା ପାଇଁ ରୋଷେଇଘର ନଥିଲା ବେଳେ ୧୮ ହଜାର ୫୦୦ ସ୍କୁଲରେ ପାଚେରୀ ନାହିଁ । ସବୁଠାରୁ ପରିତାପର ବିଷୟ ଯେ ୩୫୦ ସ୍କୁଲର ନିଜସ୍ୱ ଘର ନାହିଁ । ଗୋଟିଏ ପଟେ ଶିକ୍ଷକମାନଙ୍କର ଅଭାବ ଓ ଅନ୍ୟପଟେ ଭିତ୍ତିଭୂମିର ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ଦକ୍ଷତା ହ୍ରାସ ପାଇବାରେ ଲାଗିଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ସର୍ବଶିକ୍ଷା ଅଭିଯାନ କାର୍ଯ୍ୟକାରୀ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ସରକାର ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ, ପୁଷ୍ଟିକର ଅଣ୍ଡା, ମାଗଣାରେ ପାଠ୍ୟ ପୁସ୍ତକ, ପୋଷାକ ଯୋଗାଇ ଦେଉଛନ୍ତି । ବିଦ୍ୟାଳୟକୁ ସର୍ବାଙ୍ଗ ସୁନ୍ଦର କରିବା ନିମନ୍ତେ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦେଉଛନ୍ତି । ଏସବୁ ସତ୍ତ୍ୱେ ସର୍ବଶିକ୍ଷା ଅଭିଯାନ ଦିଗହରା ହୋଇଛି । ଏକ ତଥ୍ୟ ଅନୁସାରେ ୨୦୧୧-୧୨ ମସିହାରେ ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ସ୍କୁଲରେ ଷଷ୍ଠ ଶ୍ରେଣୀରେ ୫,୫୧,୬୮୬ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବା ବେଳେ ୨୦୧୩-୧୪ ଶିକ୍ଷାବର୍ଷରେ ଅଷ୍ଟମ ଶ୍ରେଣୀରେ ପହଁଞ୍ଚିଲା ବେଳକୁ ଏହି ଛାତ୍ରଛାତ୍ରୀଙ୍କ ସଂଖ୍ୟା ଥିଲା ୨,୯୬,୩୫୩ ।

ଅବଶିଷ୍ଟ ଛାତ୍ରଛାତ୍ରୀ ବାଟରୁ କୁଆଡେ ଗଲେ ତା’ର ଏବେ ହିସାବ ମିଳୁନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାହେଲା ହିସାବ ମିଳୁନଥିବା ୨,୫୫,୩୩୩ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨,୪୯,୮୬୫ ହେଉଚନ୍ତି ସରକାରୀ ବିଦ୍ୟାଳୟର । ଏବେ ପ୍ରାୟ ଫେଲ୍ ବ୍ୟବସ୍ଥା ନାହିଁ । ଏସବୁ ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଢେଇ ଲକ୍ଷ କମିବା ବ୍ୟବସ୍ଥାଗତ ତ୍ରୁଟିକୁ ଅଙ୍ଗୁଳି ନିଦେ୍ର୍ଦଶ କରୁଛି ।ଏପରିକି ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେବାର ୧୦ ବର୍ଷ ପରେ ବି ଏ କ୍ଷେତ୍ରରେ ସୁଧାର ଆସି ପାରିନାହିଁ ।

ମହାମାରୀ କରୋନା ଯୋଗୁଁ ୬ମାସ ହେଲା ସ୍କୁଲ ବନ୍ଦ । ପିଲାଙ୍କ ପାଠରେ ଡୋରି । ପଢିବାର ଏକମାତ୍ର ମଧ୍ୟମ ଅନ୍ଲାଇନ କ୍ଲାସ । ଏଥିପାଇଁ ଲୋଡା ଦାମିକିଆ ଆଣ୍ଡ୍ରଏଡ୍ ହାଣ୍ଡସେଟ୍ ମୋବାଇଲ ଏବଂ ପିଲା ପାଠ ପଢୁଥିବା ଅଞ୍ଚଳରେ ନେଟୱାର୍କ । କିନ୍ତୁ ଓଡିଶା ଭଳି ପଛୁଆ ରାଜ୍ୟରେ ଏସବୁ ସମ୍ଭବ ହୋଇପାରୁନି, ପିଲା ପାଠ ପଢିପାରୁନାହାନ୍ତି । କଲେଜ ପିଲା ଯେତେବେଳେ ଅନ୍ଲାଇନ ମାଧ୍ୟମରେ ପଢିବାର ସୁଯୋଗ ପାଉନାହାନ୍ତି ସେତେବେଳେ ପ୍ରାଥମିକ ବିଦ୍ୟାଳୟରୁ ବିଦ୍ୟାରମ୍ଭ କରିବାକୁ ନାମ ଲେଖାଇଥିବା କୁନି କୁନି ପିଲା କି ପ୍ରକାର ଶିକ୍ଷା ପାଉଥିବେ ତାହା ସହଜରେ ଅନୁମେୟ ।

ଏକ ତଥ୍ୟ ଅନୁସାରେ ୫୦ ଭାଗ ପିଲା ଅନ୍ଲାଇନ ପାଠପଢାରୁ ବଞ୍ଚିତ ହେଉଥିବା ବେଳେ ୯୦ ଭାଗ ପିଲା ୪୦ ଭାଗ ପାଠ ପଢିପାରିନାହାନ୍ତି । କୋଭିଡ ଜନଜୀବନକୁ ବିପଦ ଭିତରକୁ ଠେଲିଦେବା ସହିତ ଆମ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଜାଡି ଦେଇଛି । ସେମାନଙ୍କ ପାଇଁ ଏବେ ପାଠ ପଢିବା ମୁସ୍କିଲ । ତେଣୁ ପିଲାମାନଙ୍କ ମୂଳଦୁଆ ତିଆି ହେଉଥିବା ପ୍ରାଥମିକ ଶିକ୍ଷାର ସ୍ଥିତି ଏବେ ଦୟନୀୟ । ଏ ବିଷୟରେ ଗଭୀର ଭାବେ ଚିନ୍ତା କରିବାର ଅଛି ।

Leave A Reply