Odisha news

ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଦିଲ୍ଲୀ କ୍ୟାପିଟାଲ୍ସ ୫୯ ରନ୍‌ର ବୃହତ୍ ବ୍ୟବଧାନରେ ପରାସ୍ତ କଲା

0

ଦୁବାଇ: ଆଇପିଏଲ୍‌ର ଊନ୍ନବିଂଶ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଶ୍ରେୟସ୍ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ୫୯ ରନ୍‌ର ବୃହତ୍ ବ୍ୟବଧାନରେ ପରାସ୍ତ କରିଛି। ତା’ ସହ ମୁମ୍ବାଇ ଇଣ୍ଡିଆନ୍ସକୁ ହଟାଇ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନ ଅଧିକାର କରିଛି। ଦୁବାଇ ସ୍ପୋର୍ଟସ ସିଟି ପଡ଼ିଆରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯୭ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା। ଏହାର ଜବାବରେ ତାରକା ଖଚିତ ଆର୍‌ସିବି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ନିର୍ଧାରିତ ୨୦ ଓଭରରେ ୯ ୱିକେଟ୍ ବିନିମୟରେ ମାତ୍ର ୧୩୭ ରନ୍ କରି ପାରିଥିଲା। ଏବି ଡି’ଭିଲିୟର୍ସ, ଦେବଦତ୍ତ ପଡ଼ିକଲ ଓ ଆଦାମ ଜାମ୍ପାଙ୍କ ସ୍ଥାନ ନେଇଥିବା ମୋଇନ ଅଲ୍ଲୀ ବିଫଳ ହୋଇଥିଲେ। ଆରୋନ ଫିଞ୍ଚ୍‌ ମଧ୍ୟ ମାତ୍ର ୧୩ରନ୍‌ କରିପାରିଥିଲେ। ଅନ୍ୟପକ୍ଷରେ ଦିଲ୍ଲୀର ଅଧିକାଂଶ ବୋଲର ମାପଚୁପ ବୋଲିଂ କରି ଆର୍‌ସିବିକୁ ଘାଇଲା କରିଦେଇଥିଲେ।

ପାୱାର ପ୍ଲେ ଭିତରେ ୩ ଜଣ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ ହରାଇବା ପରେ ଆର୍‌ସିବିର ପଶ୍ଚାତଧାବନ ଆରମ୍ଭରୁ ହିଁ ଦିଗ ହରାଇ ବସିଥିଲା। ଅଧିନାୟକ କୋହଲି (୪୩) ଏକାକୀ ଲଢ଼ିବାକୁ ‌‌‌ଚେଷ୍ଟା କରିଥିଲେ। ତେବେ କାଗିସୋ ରବାଦା ତାଙ୍କୁ ଚତୁର୍ଦଶ ଓଭରରେ ଋଷବ ପନ୍ତଙ୍କ ହାତରେ କ୍ୟାଚ୍ କରାଇ ଦିଲ୍ଲୀ ବିଜୟକୁ ପକ୍କା କରି ଦେଇଥିଲେ। ସୋମବାର ଆର୍‌ସିବି ପଞ୍ଚମ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ଏବଂ ଦିଲ୍ଲୀ ସମାନ ସଂଖ୍ୟକ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ପାଇଥିଲା।

ପୂର୍ବରୁ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଦିଲ୍ଲୀ ଡେୟାର ଡେଭିଲ୍ସ ୪ ୱିକେଟ୍ ବିନିମୟରେ ୧୯୬ ରନ୍ କରିଥିଲା। ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍ (୫୩*) ଧୂଆଁଧାର ଅର୍ଧଶତକ ଅର୍ଜନ କରି ଏଥିରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଷ୍ଟୋଇନିସ୍ ସୋମବାର ମାତ୍ର ୨୬ ବଲ୍‌ରୁ ୬ ଚୌକା ଓ ୨ ଛକା ବଳରେ ଅର୍ଧଶତକ ପୂରଣ କରିଥିଲେ। ସେ ମଧ୍ୟ ‌ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୃଥ୍ବୀ ସ’ ୪୨, ଶିଖର ଧାୱନ ୩୨ ଓ ଋଷବ ପନ୍ତ ଦ୍ରୁତ ୩୭ ରନ୍‌ କରିଥିଲେ। ଷ୍ଟୋଇନିସ୍ ବ୍ୟାଟ୍‌ରେ କମାଲ କରିବା ପରେ ରବାଦା (୪-୦-୨୪-୪) ବୋଲିଂ ଯାଦୁ ଦେଖାଇ ଦିଲ୍ଲୀକୁ ଶେଷରେ ସହଜ ବିଜୟ ଉପହାର ଦେଇଥିଲେ।

Leave A Reply