Odisha news

ଘଣ୍ଟାଏ ବର୍ଷାରେ ସାଲେପୁର ସହର ବେହାଲ, ରାସ୍ତା ଉପରେ ଜମି ରହିଛି ଆଣ୍ଠୁଏ ଲେଖା ପାଣି

0

ସାଲେପୁର, ତା.୪ା୧୦ : ଆଜି ମାତ୍ର ୧ଘଣ୍ଟା ବର୍ଷାରେ ସାଲେପୁର ସହର ଉବୁଟୁବୁ ହୋଇପଡିଛି । ସହରରୁ ଜଳ ନିଷ୍କାସନ ହେବାର ବ୍ୟବସ୍ଥା ନଥିବାରୁ ଏହି ସମସ୍ୟା ଉପୁଜିଛି । ଆଜି ଦିନ ପ୍ରାୟ ୧୨.୩୦ମି.ରୁ ୧.୩୦ମି. ପ୍ରାୟ ୧ଘଣ୍ଟା ଧରି ମୂଷଳ ଧାରାରେ ବର୍ଷା ହେବାରୁ ସାଲେପୁର ସହରର ବିଭିନ୍ନ ସ୍ଥାନରେ ଆଣ୍ଠୁଏ ଲେଖାଁ ପାଣି ଜମି ରହିଛି ।

ମୁଖ୍ୟତଃ ସାଲେପୁର-କୁଆଁପାଳ ରାସ୍ତାର ଭୂୟାଁସାହି ପୋଲ ଠାରୁ ଚନ୍ଦ୍ରାଦେଇପୁର ସ୍କୁଲ ପର୍ଯ୍ୟନ୍ତ ପ୍ରାୟ ୧ଶହ ମିଟର ରାସ୍ତା ଉପରେ ଆଣ୍ଠୁଏ ଲେଖା ପାଣି ଜମି ରହିଥିବାରୁ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହୋଇଛି । ଏପରିକି ଏହି ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଥିବାବେଳେ ଏହି ଖାଲ ଗୁଡିକ ବର୍ଷା ପାଣିରେ ବୁଡ଼ି ରହୁଥିବାରୁ ପଥଚାରୀମାନେ ଏହି ରାସ୍ତାରେ ଗଲାବେଳେ ଖାଲ ଜାଣିନପାରି ଖାଲରେ ପଡି ଦୁର୍ଘଟଣାଗ୍ରସ୍ତ ହେଉଛନ୍ତି ।

ସେହିପରି ଆଜି ସାଲେପୁର ସାପ୍ତାହିକ ହାଟ ଥିବାରୁ ହାଟରେ ଆଣ୍ଠୁଏ ଲେଖାଁ ପାଣି ଜମି ଯିବାରୁ ବ୍ୟବସାୟୀ ଓ ଚାଷୀମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବା ସହ କମ୍ ମୂଲ୍ୟରେ ପରିବାପତ୍ର ବିକ୍ରି କରି ଘରକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି । ସେହିପରି ସାଲେପୁର ଶିଶୁ ଉଦ୍ୟାନ ଓ ମଧୁମଣ୍ଡପ ସମ୍ମୁଖରେ ଜଙ୍ଘେ ଲେଖା ପାଣି ଜମି ରହିଛି । ଏହି ଅଞ୍ଚଳରେ ଡ୍ରେନ୍ ସୁବିଧା ଓ ରାସ୍ତାର ଉଭୟ ପାଶ୍ୱର୍ରେ କେତେକ ବ୍ୟକ୍ତି ଜବରଦଖଲ କରି ଘର ଓ ଦୋକାନ ନିର୍ମାଣ କରିଦେଇଥିବାରୁ ରାସ୍ତା ଉପରୁ ବର୍ଷାଜଳ ନିଷ୍କାସିତ ହୋଇପାରୁନାହିଁ । ଫଳରେ ଦୀର୍ଘ ସମୟ ଧରି ରାସ୍ତା ଉପରେ ଆଣ୍ଠୁଏ ଲେଖାଁ ପାଣି ଜମି ରହୁଛି । ଜବରଦଖଲକାରୀଙ୍କୁ ଉଚ୍ଛେଦ କରିବାପାଇଁ ସ୍ଥାନୀୟ ଜନସାଧାରଣ ବାରମ୍ବାର ତହସିଲ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ଏ ଦିଗରେ କେହି କର୍ଣ୍ଣପାତ କରୁନାହାଁନ୍ତି । ଏହାନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି

Leave A Reply