Odisha news

ଓଡ଼ିଶାରେ ନାରୀ ଜାଗରଣ ଓ ସରଳା ଦେବୀ

0

ହିମାଂଶୁ ଶେଖର ଆଚାର୍ଯ୍ୟ : ଭାରତର ମୁକ୍ତି ସଂଗ୍ରାମ ଅନେକ ତ୍ୟାଗ, ବଳିଦାନ ଓ ବୀରତ୍ୱର କଥା କହେ । ଦେଶ ମାତୃକାର ସ୍ୱାଧୀନତା ପାଇଁ ବହୁ ସଂଗ୍ରାମୀ ଲାଠିମାଡ଼ ଖାଇଛନ୍ତି, କାରାବରଣ କରିଛନ୍ତି ଓ ସହିଦ୍ ହୋଇଛନ୍ତି । ୧୮୫୭ ମସିହା ସିପାହୀ ବିଦ୍ରୋହ ଠାରୁ ୧୯୪୨ ମସିହା ଭାରତ ଛାଡ଼ ଆନେ୍ଦାଳନ ପର୍ଯ୍ୟନ୍ତ ଏକ ଘଡ଼ିସନ୍ଧି ମୁହୂର୍ତ୍ତ ଭିତରେ ବହୁ ବିପ୍ଳବୀ ଅଭୁତପୂର୍ବ ଆତ୍ମୋତ୍ସର୍ଗ ଓ ଦେଶପ୍ରେମର ବିରଳ ଦୃଷ୍ଟାନ୍ତ ରଖି ଯାଇଛନ୍ତି । ସେମାନଙ୍କ ସେହି ତ୍ୟାଗ ଚିରଦିନ ସ୍ମରଣୀୟ ହୋଇ ରହିବ । ଏହି ସ୍ୱାଧୀନତା ଆନେ୍ଦାଳନରେ ଅନ୍ୟ ରାଜ୍ୟ ଭଳି ଓଡ଼ିଶା ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହି ଜାତୀୟ ଆନେ୍ଦାଳନରେ ଜଗତସିଂହପୁର ଭୂମିକା ବି କୌଣସି ଗୁଣରେ କମ୍ ନ ଥିଲା । ବିଶେଷକରି ଜଗତସିଂହପୁର ଯେଉଁ ମହୀୟସୀ ମହିଳାମାନେ ସେସମୟର ସାମାଜିକ ଲକ୍ଷ୍ମଣରେଖାକୁ ଅତିକ୍ରମ କରି ସ୍ୱାଧୀନତା ଆନେ୍ଦାଳନର ଯଜ୍ଞବେଦୀରେ ଝାସ ଦେଇଥିଲେ ସେମାନଙ୍କ ମଧ୍ୟରେ ଅଗ୍ନିକନ୍ୟା ସରଳା ଦେବୀ ଅଗ୍ରଗଣ୍ୟା ।

ସରଳା ଦେବୀ ୧୯୦୪ ମସିହା ଅଗଷ୍ଟ ୧୯ ତାରିଖରେ ଅବିଭକ୍ତ କଟକ ଓ ବର୍ତ୍ତମାନର ଜଗତସିଂହପୁର ଜିଲ୍ଲା ବାଲିକୁଦା ଅନ୍ତର୍ଗତ ନରିଲୋ ଗ୍ରାମରେ ପିତା ବାସୁଦେବ କାନୁନ୍ଗୋ ଓ ମାତା ପଦ୍ମାବତୀଙ୍କ କୋଳମଣ୍ଡନ କରିଥିଲେ । ମାତ୍ର ତାଙ୍କ ପାଳକ ପିତା ଥିଲେ ବାସୁଦେବଙ୍କ ସାନ ଭାଇ ବାଳମୁକୁନ୍ଦ, ଯେକି ତତ୍କାଳୀନ ବ୍ରିଟିଶ୍ ଶାସନର ଥିଲେ ଜଣେ ଡେପୁଟି କଲେକ୍ଟର । ବାଳମୁକୁନ୍ଦଙ୍କ ଚାକିରିରେ ଘନଘନ ବଦଳି ଯୋଗୁଁ ସରଳାଙ୍କ ଆନୁଷ୍ଟାନିକ ଶିକ୍ଷା ବେଶୀଦୂର ଯାଇନଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ “ଫାଷ୍ଟ ବୁକ୍ ଅଫ୍ ରିଡିଙ୍ଗ୍”ରୁ ସେ ଇଂରାଜୀ ଶିକ୍ଷା ଆରମ୍ଭ କଲେ । ପରେ ଗୃହ ଶିକ୍ଷକଙ୍କ ଦ୍ୱାରା ସପ୍ତମ ଯାଏ ପଢିଲେ ସରଳା ଦେବୀ । କିନ୍ତୁ ଆନୁଷ୍ଠାନିକ ଶିକ୍ଷାର ଅଭାବ ତାଙ୍କ ଜ୍ଞାନ ଆହରଣର ବାଟ ଉଗାଳି ପାରିନଥିଲା । ପରେ ନିଜସ୍ୱ ଉଦ୍ୟମରେ ପ୍ରଚୁର ପଢାପଢି କରି ସେ ହିନ୍ଦୀ, ବଙ୍ଗଳା ଓ ଇଂରାଜୀ ଭାଷାକୁ ଭଲ ଭାବରେ ଆୟତ୍ତ କରିଥିଲେ । ତାଙ୍କର ସୃଷ୍ଟି ସମ୍ଭାର ଦେଖିଲେ ତାଙ୍କ ଜ୍ଞାନର ଗଭୀରତାର ସ୍ପଷ୍ଟ ଆଭାସ ମିଳେ ।

୧୯୧୮ ମସିହାରେ ମାତ୍ର ୧୪ ବର୍ଷ ବୟସରେ ଜଗତସିଂହପୁର ଚାଟ୍ରା ଗ୍ରାମର ବିଶିଷ୍ଟ ଜମିଦାର ଚୌଧୁରୀ ଦୁର୍ଗା ଚରଣ ମହାପାତ୍ରଙ୍କ ସୁଯୋଗ୍ୟ ସନ୍ତାନ ଭାଗୀରଥି ମହାପାତ୍ରଙ୍କୁ ବିବାହ କରିଥିଲେ ସରଳା । ସରଳା ଦେବୀଙ୍କ ବିଦ୍ରୋହୀ ମନୋଭବର ସୂଚନା ମିଳିଥିଲା ତାଙ୍କ କୈଶୋର ଜୀବନରୁ । ଜମିଦାରବଂଶ ବଧୂ ହୋଇ ସାରିଲା ପରେ ବି ସେ ଘରର ଚାରିକାନ୍ଥ ଭିତରେ ଓଢଣା ପକାଇ ଚୁପ୍ଚାପ୍ ବସି ରହିବାକୁ ପସନ୍ଦ କରିନଥିଲେ । ୧୯୧୯ ମସିହାରେ ଜାଲିଆନାୱାଲାବାଗ୍ର ନରସଂହାର, ଗାନ୍ଧିଜୀଙ୍କ ଅହିଂସା ଆନେ୍ଦାଳନ ଓ ସତ୍ୟାଗ୍ରହ ସରଳାଙ୍କ ମନ ଭିତରେ ସୃଷ୍ଟିକଲା ଗଭୀର ଆଲୋଡନ । ସାମନ୍ତୀୟ ଅବଗୁଣ୍ଠନ ହଟାଇ, ଦାମ୍ପତ୍ୟ ପ୍ରେମର ସୁଖକୁ ଏଡାଇ ସରଳାଙ୍କ ପ୍ରାଣରେ ଅଙ୍କୁରିତ ହେଲା ଦେଶପ୍ରେମ ଭାବ । ଅବଶ୍ୟ ସ୍ୱାମୀ ଭାଗିରଥୀ ମହାପାତ୍ର ସରଳାଙ୍କ ଉଚ୍ଚାକାଂକ୍ଷାକୁ ସାକାର କରିବା ପାଇଁ ସୃଷ୍ଟି କରିଥଲେ ପର୍ଯ୍ୟାପ୍ତ ସୁଯୋଗ ଓ ବଢାଇଥିଲେ ସହଯୋଗର ହାତ । ୧୯୨୧ ମସିହାରେ ମହାତ୍ମାଗାନ୍ଧୀ ଅସହଯୋଗ ଆନେ୍ଦାଳନର ଡାକରା ଦେଲେ ଏବଂ ଏହି ଆନେ୍ଦାଳନକୁ ଓଡିଶାରେ ଆଗେଇ ନେବାକୁ ମହାତ୍ମାଗାନ୍ଧୀ ଓଡିଶା ଆସିଥାନ୍ତି ।

ମହିଳାମାନଙ୍କୁ ସ୍ୱାଧୀନତା ସଂଗ୍ରାମରେ ସାମିଲ କରିବା ଥିଲା ଏହି ଆଗମନର ମୂଳ ଲକ୍ଷ୍ୟ । ତାଙ୍କ ଉଦ୍ୟମ ଓ ପ୍ରେରଣାର ଫଳ ସ୍ୱରୂପ ୪୦ ଜଣ ମହିଳା ସେଦିନ ସଭାରେ ଯୋଗ ଦେଇଥିଲେ । ସବୁଠାରୁ ଉଲ୍ଲେଖଯୋଗ୍ୟ କଥା ଥିଲା ସେଦିନ କାଠଯୋଡି ବାଲିରେ ଅନୁଷ୍ଠିତ ସେହି ସମାବେଶରେ ଗାନ୍ଧିଜୀଙ୍କ ହିନ୍ଦୀ ଭାଷଣକୁ ଓଡିଆରେ ଭାଷାନ୍ତର କରି ଉପସ୍ଥିତ ଜନତାଙ୍କୁ ଚକିତ କରିଦେଇଥିଲେ ସରଳା ଦେବୀ ।
୧୯୩୦ ମସିହାର ଐତିହାସିକ ଲବଣ ସତ୍ୟାଗ୍ରହରେ ସରଳାଙ୍କର ଅବଦାନ ବି କିଛି କମ୍ ନଥିଲା । ସେତେବେଳେ ଓଡିଶାରେ ବାଲେଶ୍ୱର ଜିଲ୍ଲାର ଇଞ୍ଚୁଡିଠାରେ ଲୁଣ ମରାହେବା ପାଇଁ ସ୍ଥିର ହୋଇଥାଏ । ପୋଲିସ୍ର ଦମନ ଲୀଳାକୁ ଖାତିର ନକରି ସତ୍ୟାଗ୍ରହୀମାନେ ଇଞ୍ଚୁଡି ଅଭିମୁଖେ ଯାତ୍ରା କରିଥିଲେ । ସରଳା ଦେବୀ କେବଳ ଏଥିରେ ସାମିଲ ହୋଇନଥିଲେ ବରଂ ତାଙ୍କ ଦୃଢ ନେତୃତ୍ୱ ଯୋଗୁଁ ଅନେକ ନାରୀ ଏଥିରେ ଯୋଗ ଦେଇଥିଲେ । ସେହିପରି ଗଞ୍ଜାମର ହୁମାଠାରେ ଲବଣ ସତ୍ୟାଗ୍ରହର ନେତୃତ୍ୱ ନେଇ ସେ ଗିରଫ ହେଲେ ଓ ତାଙ୍କୁ ପ୍ରଥମେ ଛତ୍ରପୁର ଓ ପରେ ଭେଲୋରରେ ବନ୍ଦୀ କରି ରଖାଯାଇଥିଲା ।

ସେ ଥିଲେ ସ୍ୱାଧିନତା ଆନେ୍ଦାଳନରେ ଯୋଗ ଦେଇ କାରାବରଣ କରିଥିବା ପ୍ରଥମ ନାରୀ । ସେହିପରି ଓଡିଶାରେ ନାରୀମୁକ୍ତି ଆନେ୍ଦାଳନର ଇତିହାସ ସରଳାଙ୍କ ବିନା ଲେଖିବା ଅସମ୍ଭବ । ସେ ଥିଲେ ତାର ପ୍ରମାଣ । ସେ କହୁିଥିଲେ ନାରୀ ଜାଗିଲେ ପରିବାର ଜାଗିବ ଓ ପରିବାର ଜାଗିଲେ ଦେଶ ଜାଗିବ । ସେଥିପାଇଁ କୁନ୍ତଳା କୁମାରୀ ସାବତ, ବସନ୍ତ କୁମାର ଦେବୀ, ସରୋଜିନୀ ଚୌଧୁରୀ, କୋକିଳା ଦେବୀ ଓ ଜାହ୍ନବୀ ଦେବୀ ସହ ମିଶି ସେ ଗଠନ କରିଥିଲେ “ନିଖିଳ ଉକ୍ରଳ ନାରୀ ପରିଷଦ” । ସଭାସମିତିରେ ତାଙ୍କର ଅଗ୍ନିବର୍ଷୀ ଓ ସାରଗର୍ଭକ ଭାଷଣ ସମସ୍ତଙ୍କ ମନରେ ଅପୂର୍ବ ଶିହରଣ ସୃଷ୍ଟି କରିଥିଲା ।

୧୯୩୬ ମସିହାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା ବିପୁଳ ଜନ ସମର୍ଥନ ଲାଭକରି ସରଳା ଦେବୀ ମହିଳା ବିଧାୟିକା ରୂପେ ନିର୍ବାଚିତ ହେଲେ । ଜଣେ ବିଧାୟିକା ଭାବରେ ତାଙ୍କର କାର୍ଯ୍ୟକୁଶଳତା ତାଙ୍କୁ ଚିରଦିନ ଅବିସ୍ମରଣୀୟ କରି ରଖିବ । ବିଧାନସଭାରେ ପ୍ରାଥମିକ ଶିକ୍ଷା, ନାରୀଶିକ୍ଷା, କୃଷକ ଓ ଶ୍ରମିକ ଥଇଥାନ, ମହାଜନୀ କାରବାରର ବିରୋଧ, ଯୌତୁକ ପ୍ରଥା ଉଚ୍ଛେଦ ଆଦି ବିଷୟରେ ସେ ସରକାରଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ । ଯୌତୁକ ବିରୋଧୀ ବିଲ୍ ଆଣି ସେ ଗୋଟିଏ ନୂଆ ପରମ୍ପରା ସୃଷ୍ଟି କରିଥିଲେ । ବିଧାୟିକା ଥିବା ସମୟରେ ସେ ଗୋଟିଏ ଦିନ ପାଇଁ ବାଚସ୍ପତି ଦାୟିତ୍ୱ ନେଇଥିଲେ ।

ସେଦିନ ସେ ବିଧାନସଭାର ପରମ୍ପରା ଭଙ୍ଗକରି ସେ ଘୋଷଣା କରିଥିଲେ – “ମୁଁ ଇଚ୍ଛା କରୁଛି ଯେ ଆଜି ଏ ସଭାରେ ସମସ୍ତ କାର୍ଯ୍ୟ ଓ ମାନ୍ୟବର ସଭ୍ୟମାନଙ୍କର ବକ୍ତବ୍ୟ ସବୁ ଓଡିଆ ଭାଷାରେ ହେଉ । ପୂର୍ବରୁ ଇଂରାଜୀ ଭାଷାରେ ଏ କାର୍ଯ୍ୟ ହେବାର ଯେଉଁ ପରମ୍ପରା ବଳବତ୍ତର ରହିଛି, ମୁଁ ତାକୁ ଆଜି ଭଙ୍ଗ କରୁଛି ।”ଓଡିଆ ଭାଷାରେ ସରକାରୀ କାର୍ଯ୍ୟ କରିବାର ତାହା ଥିଲା ପ୍ରଥମ ପଦକ୍ଷେପ ।

ସମାଜ ସେବା, ଅହିଂସା ସଂଗ୍ରାମ, ସତ୍ୟାଗ୍ରହ ଓ ରାଜନୈତିକ ଜୀବନବୋଧ ଭିତରେ ସାହିତ୍ୟ ସାଧନା ଥିଲା ସରଳାଙ୍କ ଜୀବନର ଅନ୍ତିମ ଲକ୍ଷ୍ୟ । ସରଳାଙ୍କ ଲାଗି ସାହିତ୍ୟ ଏକ ସୌଖୀନ ବିଳାସ ନୁହେଁ, ଥିଲା ସଂଗ୍ରାମର ଆଉ ଏକ ସୀମାନ୍ତ । ସାହିତ୍ୟର ବିଭିନ୍ନ ବିଭାଗ – ଗଳ୍ପ, ଉପନ୍ୟାସ, କବିତା, ଅନୁବାଦ, ଜୀବନୀ, ନାଟକ, ପ୍ରବନ୍ଧ ଏବଂ ସମାଲୋଚନା ପ୍ରଭୃତିରେ ସେ ହାତଦେଇ ଅସାମାନ୍ୟ ସଫଳତା ଅର୍ଜନ କରିଥିଲେ । କିନ୍ତୁ ନିବନ୍ଧ ରଚନାରେ ସେ ଥିଲେ ସିଦ୍ଧହସ୍ତ । ବିଶ୍ୱ ବିପ୍ଳବୀ, ଉକ୍ରଳର ନାରୀ ସମସ୍ୟା, ନାରୀର ଦାବୀ ଓ ଭାରତୀୟ ମହିଳା ପ୍ରସଙ୍ଗ ନିବନ୍ଧଗୁଡିକ ତାଙ୍କ ପ୍ରଶସ୍ତ ଅଧ୍ୟୟନ ଓ ଶାଣିତ ବିଶ୍ଳେଷଣର ଗୋଟିଏ ଗୋଟିଏ ନମୁନା ।

ସେମିତି ନାରୀର ଦାବୀ ନିବନ୍ଧଟି ନାରୀ ସ୍ୱାଧୀନତାର ଆଦ୍ୟ ଇସ୍ତାହାର କହିଲେ ଭୁଲ ହେବନାହିଁ । ସାହିତ୍ୟ ସମାଲୋଚନା କ୍ଷେତ୍ରରେ ତାଙ୍କ ଦକ୍ଷତାକୁ ପ୍ରମାଣିତ କରେ ସମାଲୋଚନା ମୂଳକ ପ୍ରବନ୍ଧ “ସାରଳା ମହାଭାରତରେ ନାରୀ ଚିତ୍ର” ଓ “କୁନ୍ତଳା କୁମାରୀଙ୍କ ନାରୀ ପ୍ରତିଭା” ଗ୍ରନ୍ଥଦ୍ୱୟ । ଜଣେ ଲେଖିକା ଭାବରେ ନାଟକ ରଚନା କରି ସରଳା ଦେବୀ ନିଜପାଇଁ ଏକ ସ୍ୱତନ୍ତ୍ର ଛାପ ଛାଡି ଯାଇଛନ୍ତି । ଏହାର ପ୍ରମାଣ ହେଉଛି ‘ସ୍ୱପ୍ନବାସବଦତ୍ତା’ ଅନୁବାଦ ସହିତ ଐତିହାସିକ ନାଟକ ‘ଭୀମା ଭୂୟାଁ’ ଓ ମାନସିକ ନାଟକ ‘ଯାଯାବର’ । ସେହିପରି ଗଳ୍ପ ଓ ଉପନ୍ୟାସ ରଚନାରେ ସରଳା ତାଙ୍କ କଥା ଶୈଳୀର ଚମକ୍ରାରିତା ପ୍ରଦର୍ଶନ କରିଛନ୍ତି ।

ଜଣେ ସ୍ୱଧୀନତା ସଂଗ୍ରାମୀ ଓ ସାହିତି୍ୟକା ଭାବରେ ସରଳା ଦେବୀ ଥିଲେ ଏକ ଅନିର୍ବାଣ ଶିଖା । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଜୀବନ ଥିଲା ତାଙ୍କ ପାଇଁ ପରୀକ୍ଷା-ନିରୀକ୍ଷାର ପ୍ରୟୋଗଶାଳା । ଏହି ମହାନ୍ ଜନନେତ୍ରୀ ୧୯୮୬ ମସିହା ଅକ୍ଟୋବର ୪ ତାରିଖରେ ଆରପାରିକୁ ଚାଲିଗଲେ ଏବଂ ପଛରେ ଛାଡିଗଲେ ଅଧୁରା ସ୍ୱପ୍ନ । ସେ ସ୍ୱପ୍ନକୁ ଆମକୁ ସାକାର କରିବାକୁ ହେବ ।

Leave A Reply