Odisha news

କ୍ୟାନ୍ସରରେ ସ୍ବାମୀଙ୍କ ମୃତ୍ୟୁ ପରେ ଅସହାୟ ନମିତା , ଦୁଇ ପୁଅକୁ ନେଇ ଦୁର୍ଦିନରେ କଟୁଛି ଜୀବନ

0
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ)  : କ୍ୟାନ୍ସରରେ ପୀଡ଼ିତ ହୋଇ ସ୍ବାମୀକଂ ମୃତ୍ୟୁ ପରେ ବେସାହାରା ହୋଇ ପଡିଛନ୍ତି ସ୍ତ୍ରୀ ଓ ଦୁଇ ପୁଅ। ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କୁମ୍ଭାର ଗାଁ ପଞ୍ଚାୟତର କୁମାରୀପାରୀ ଶାଳୁଆ ପଦର ସାହିର ନମିତା ମହାଙ୍କୁଡ (୩୫)ସ୍ବାମୀକଂ ମୃତ୍ୟୁ ପରେ ଏବେ ବେସାହାରା ହୋଇ ପଡିଛନ୍ତି ।ଦୁଇ ପୁଅ ଦୀପକ (୧୨) ଓ ରାଜା (୯)କୁ ନେଇ ଦୁର୍ଦିନରେ ଜୀବନ ଯାପନ କରୁଛନ୍ତି।
ଚାରି ବର୍ଷ ପୂର୍ବେ ସ୍ୱାମୀ ପ୍ରକାଶ ମହାଙ୍କୁଡଙ୍କର ପେଟରେ ବ୍ୟଥା ହେବା ପରେ ଚିକିତ୍ସା ପାଇଁ ଯାଇଥିବା ବେଳେ କର୍କଟ ରୋଗ ହୋଇଥିବା କଥା ଜଣାପଡିଥିଲା। ଏହାପରେ ନମିତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସ୍ୱାମୀ ପରିଶ୍ରମ କରି ବହୁ କଷ୍ଟରେ ୧୦ ହାତ ଘର କରିଥିବା ବେଳେ ଜମି ମାତ୍ର ଦୁଇ ଭରଣ ଥିଲା।ଘରରୁ ୫ ହାତ ଏବଂ ଦୁଇ ଭରଣ ଜମି ଶେଷରେ ନିଜ ଚିକିତ୍ସା ପାଇଁ ବିକ୍ରି କରି ଦେଇଥିଲେ।
ହେଲେ ସେତିକି ଅର୍ଥ ପର୍ଯ୍ୟାପ୍ତ ହୋଇ ପାରିଲାନି। ଶେଷରେ ଚିକିତ୍ସାଧିନ ଅବସ୍ଥାରେ ଆର ପାରିକୁ ଚାଲିଗଲେ ପ୍ରକାଶ।ସ୍ବାମୀକଂ ମୃତ୍ୟୁକୁ ଇତି ମଧ୍ୟରେ ୩ ବର୍ଷ ବିତିଯାଇଥିଲା ବେଳେ ଅସହାୟ ତଥା ଅଭାବ ଅନାଟନ ମଧ୍ୟରେ ଦିନ କାଟୁଛନ୍ତି ନମିତା ଓ ତାଙ୍କର ଦୁଇ ପୁଅ। ଦୁଇପୁଅଙ୍କୁ ପାଠ ପଢାଇ ଭଲ ମଣିଷ କରି ସମାଜରେ ଛିଡା କରିବା ଏବେ ନମିତାଙ୍କ ପାଇଁ ବଡ଼ ସମସ୍ଯା। ବ୍ଲକରେ ବିଧବା ଭତ୍ତା ପାଈଁ ଆବେଦନ କରିବା ସହ ରାସନ କାର୍ଡ ପାଈଁ ମଧ୍ୟ ୩ ବର୍ଷ ଧରି ବାରମ୍ବାର ଆବେଦନ କରି ନିରାଶ ହେଉଥିବା କହିଛନ୍ତି ନମିତା। ନିଜ ବାପା ଘରୁ ଚାଉଳ ଆଣି ଧାର ଉଦ୍ଧାର କରି ବହୁ କଷ୍ଟରେ ପରିବାର ପ୍ରତିପୋଷଣ କରୁଥିବା ବେଳେ ମୂଲ ଲାଗି ଦୁଇ ପିଲା ଓ ନିଜ ପାଈଁ ଆହାର ଯୋଗାଡ କରୁଛନ୍ତି l
ସ୍ୱାମୀଙ୍କ ସ୍ବପ୍ନ ଥିଲା ଦୁଇ ପୁଅକୁ ପାଠ ପଢାଇ ମଣିଷ କରିବା। କିନ୍ତୁ ରୋଜଗାରୀଆ ସ୍ବାମୀକଂ ମୃତ୍ୟୁ ପରେ ସବୁକିଛି ଓଲଟପାଲଟ ହୋଇଗଲା।ନମିତାଙ୍କ ପାଇଁ ବିଧବା ଭତ୍ତା ଓ ରାସନ କାର୍ଡ କାହିଁକି ହୋଇନାହିଁ ସେ ନେଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନଙ୍କ ସହ ଯୋଗାଯୋଗ କରିବା ପରେ ସେ ଏହାକୁ ଗୁରୁତର ସହ ନେଇ ତୁରନ୍ତ ପାଇବାର ବ୍ୟବସ୍ଥା କରିବେ ବୋଲି ପ୍ରକାଶ କରିଛନ୍ତି। ସରକାର ମହିଳା ମାନଙ୍କ ସ୍ବାବଲମ୍ବି ପାଇଁ ବହୁ ପଦକ୍ଷେପ ନେଉଥିବା ବେଳେ ନମିତାଙ୍କ କ୍ଷେତ୍ରରେ ମଧ୍ୟ ପ୍ରଶାସନ ପକ୍ଷରୁ କିଛି ସହଯୋଗ କରାଯାଇ ତାଙ୍କୁ ସ୍ବାବଲମ୍ବି କରାଗଲେ ଉକ୍ତ ପରିବାରଟି ଥଇଥାନ ହୋଇ ପାରିବ ବୋଲି ଗ୍ରାମବାସୀ କହିଛନ୍ତି।
Nalco
Leave A Reply