ବୁଗୁଡ଼ା :-୦୨/୧୦ ବୁଗୁଡ଼ା ଥାନା ଅଞ୍ଚଳରୁ ଆଜି ମଧ୍ୟାହ୍ନରେ ପିସ୍ତଲ ଦେଖାଇ ଜଣେ ବ୍ୟବସାୟୀଙ୍କ ଠାରୁ ୪ ଲକ୍ଷ ଟଙ୍କାର ରୂପା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଜଗନ୍ନାଥ ପ୍ରସାଦ ଥାନା ଖମାର ପଲ୍ଲୀ ଗ୍ରାମର ରୂପା ଅଳଙ୍କାର ବ୍ୟବସାୟୀ ଲୋକନାଥ ସାହୁ ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ପ୍ରତିଦିନ ଭଳି ଆଜି ମଧ୍ଯ ଲୋକନାଥ ତାଙ୍କ ଟିଭିଏସ୍ ଏକ୍ସଏଲ ଗାଡିରେ ରୂପା ଅଳଙ୍କାର ଧରି ଗାଁ ରୁ ବ୍ଯବସାୟ ପାଇଁ ସକାଳୁ ବାହାରିଥିଲେ ବିଭିନ୍ନ ଗାଁ ବୁଲି ବ୍ୟବସାୟ ଚଳାଇଥିବା ଲୋକନାଥଙ୍କୁ ନିମପଦର ଠାରେ ତିନି ଜଣ ଯୁବକ ଅଟକାଇ ଥିଲେ।
ସେ ଅଟକିବା ପରେ ତାଙ୍କ ମୁଣ୍ଡରେ ଜଣେ ଦୁବୃର୍ତ୍ତ ପିସ୍ତଲ ଲଗାଇ ଥିବାବେଳେ ଅନ୍ୟ ଜଣେ ମାଡ଼ମାରି ତାଙ୍କୁ ତଳେ ପକାଇଦେଇଥିଲେ। ଅନ୍ୟ ଜଣ ଗାଡି ଥିବା ବ୍ୟାଗ୍ ଟିକୁ ବାହାର କରି ନେଇଥିଲେ। ବ୍ୟାଗ୍ ହାତେଇବା ପରେ ଏହି ତିନି ଜଣ ଦୁର୍ବୃତ୍ତ ନିଜର ଏକ ବାଇକ୍ ରେ ବସି ବୋରିପଦର ପଟକୁ ପଳାଇଯାଇଥିଲେ। ସେହି ବ୍ୟାଗ୍ ରେ ସାଢେସାତ କିଲୋ ରୂପା ସହ ନିଜ ଛଅ ହଜାର ଟଙ୍କା, କମ୍ପୁଟର ନିକିତି ଓ ଅନ୍ୟାନ୍ୟ ବ୍ୟବସାୟୀକ କାଗଜ ପତ୍ର ଥିବା ଲୋକନାଥ ଜଣାଇଛନ୍ତି।
ଦୁବୃର୍ତ୍ତ ମାନେ ରୁମାଲରେ ମୁହଁ ବାନ୍ଧିଥିବାରୁ ସେ ସେମାନଙ୍କୁ ଚିହ୍ନି ପାରିନଥିଲେ ଓ ତଳେ ପଡି ଭୟଭୀତ ଅବସ୍ଥାରେ ଥିବାରୁ ଦୁବୃର୍ତ୍ତ ମାନଙ୍କ ବାଇକ୍ ନମ୍ଵର ଟିପି ପାରିନଥିବା ସେ କହିଛନ୍ତି। ତାଙ୍କ ବ୍ୟାଗ ରେ ଥିବା ରୂପା ଅଳଙ୍କାରର ମୂଲ୍ୟ ସାମଗ୍ରିକ ଭାବେ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଜଣାଯାଇଛି। ଲୋକନାଥ ଆଜି ସନ୍ଧ୍ୟାରେ ବୁଗୁଡ଼ା ପୋଲିସ କୁ ଏତଲା ଦେଇଥିବା ବେଳେ ଘଟଣାର ତଦନ୍ତ କରାଯାଇ ଏତଲାକୁ ନେଇ ମାମଲା ରୁଜୁ ହେବ ବୋଲି ପୋଲିସ କହିଛି।p