ସାଲେପୁର, ତା.୨ା୧୦ : ଜଣେ ବିବାହିତା ଯୁବକ ନିଜ ପତ୍ନୀ ଓ ପିଲାଙ୍କୁ ଛାଡି ଅନ୍ୟ ଜଣେ ମହିଳାଙ୍କୁ ଧରି ଫେରାର ହୋଇଯାଇଥିବା ନେଇ ଯୁବକର ପତ୍ନୀ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି । ଅଭିଯୋଗରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ପିକୋଳ ଗ୍ରାମର ଦିବାକର ବେହେରା ନାମକ ଜଣେ ଯୁବକ ୧୧ବର୍ଷ ତଳେ ଉକ୍ତ ଗ୍ରାମର ଟିକି ବେହେରାଙ୍କୁ ପ୍ରେମ ବିବାହ କରି ମାଛୁଆତି ଗ୍ରାମରେ ଘର ଭଡ଼ା ନେଇ ରହୁଥିଲେ ।
ତାଙ୍କର ୧୦ବର୍ଷର ଗୋଟିଏ ପୁଅ ଓ ୧ବର୍ଷର ଗୋଟିଏ ଝିଅ ଥିବାବେଳେ ଦିବାକର ବେହେରା ତାଙ୍କ ଭଡ଼ା ଘର ନିକଟରେ ରହୁଥିବା ବାଲିଆ ଗ୍ରାମର ସ୍ୱାମୀ ପରିତ୍ୟକ୍ତା ମହିଳା କଣ୍ଢେଇ ବେହେରାଙ୍କୁ ନେଇ ଫେରାର ହୋଇଯାଇଥିବା ନେଇ ଦିବାକରଙ୍କ ପତ୍ନୀ ଟିକି ବେହେରା ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ କଣ୍ଢେଇର ମଧ୍ୟ ୨ଟି ଝିଅ ଓ ଗୋଟିଏ ପୁଅ ଥିବା ଜଣାଯାଇଛି । ତାଙ୍କ ସ୍ୱାମୀ ଗତମାସ ୧୨ତାରିଖରେ ସ୍ୱାମୀ ପରିତ୍ୟକ୍ତା କଣ୍ଢେଇକୁ ନେଇ ପଳାଇଛନ୍ତି ।
ଏ ସଂପର୍କରେ ଟିକି ବେହେରା କଣ୍ଢେଇର ପିତାଙ୍କ ଠାରୁ ଜାଣିବାପରେ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରି ପୁଲିସ ଠାରୁ ନ୍ୟାୟ ଅପେକ୍ଷାରେ ଚାହିଁ ବସିଛନ୍ତି । ପ୍ରକାଶ ଯେ ଦିବାକର ମାଛୁଆତିଠାରେ ଘରଭଡ଼ା ନେଇ ରହୁଥିବାବେଳେ କଣ୍ଢେଇଙ୍କ ସହ ତାଙ୍କ ପ୍ରେମ ସଂପର୍କ ହୋଇଥିବା ଟିକି ବେହେରା ଏତଲାରେ ଦର୍ଶାଇଛନ୍ତି ।