ଭୁବନେଶ୍ୱର, ୦୧ ଅକ୍ଟୋବର – କରୋନା ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାର ଦେଇଥିବା ତଥ୍ୟ ମିଥ୍ୟା ଓ ବିଭ୍ରାନ୍ତିକର ବୋଲି କଂଗ୍ରେସ ଅଭିଯୋଗ କରିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପାଖରେ କ୍ଷମା ମାଗନ୍ତୁ ବୋଲି କଂଗ୍ରେସ ଦାବି କରିଛି ।
ପ୍ରଦେଶ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ ଗୁରୁବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବାଲେଶ୍ୱର ଉପକଣ୍ଠରେ ଥିବା ଲୁଣିଆଯୋଡ଼ି “ମୁକ୍ତିଦ୍ୱାର” ମଶାଣିରେ ଅଗଷ୍ଟ-୧୭ରୁ ସେପ୍ଟେମ୍ବର-୧୪ ତାରିଖ ଭିତରେ ୮୨ଟି କରୋନାରେ ମୃତକଙ୍କ ଶବଦାହ ହୋଇଛି ଏବଂ “ମୁକ୍ତିଦ୍ୱାର” ପରିଚାଳନା କମିଟି ଏବାବଦକୁ ଶବପିଛା ୭୫୦୦ଟଙ୍କା ଲେଖାଏଁ ୬ଲକ୍ଷ ୧୫ ହଜାର ଟଙ୍କା ପ୍ରଶାସନ ପାଖରେ ବିଲ୍ ଦାଖଲ କରିଛି । ସେହି ସମୟ ଭିତରେ ୬ଜଣ ସଂଖ୍ୟାଲଘୁ ସଂପ୍ରଦାୟ ଲୋକଙ୍କର କରୋନା ମୃତ୍ୟୁ ହୋଇଛି ଯାହା “ମୁକ୍ତିଦ୍ୱାର” ମଶାଣୀକୁ ଆସିନାହିଁ । ବାଲେଶ୍ୱରର ଜ୍ୟୋତି କୋଭିଡ୍ ହସ୍ପିଟାଲରେ ମୃତ୍ୟୁବରଣ କରିଥିବା ଦୁଇଜଣ କରୋନା ରୋଗୀଙ୍କର ଶବକୁ ମଧ୍ୟ ତାଙ୍କର ପରିବାରଲୋକେ ଜବରଦସ୍ତ ନେଇଯାଇ ନିଜଗ୍ରାମରେ ଦାହ କରିଛନ୍ତି । ପୁନଶ୍ଚ ଏହି ସମୟ ଭିତରେ କଟକ ଓ ଭୁବନେଶ୍ୱରରେ ମଧ୍ୟ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି ଯାହା “ମୁକ୍ତିଦ୍ୱାର”ରେ ଦାହ ନହୋଇ ସେମାନଙ୍କ ଗାଁ ମଶାଣୀରେ ଦାହ ହୋଇଛି । ଏସବୁକୁ ବିଚାରକୁ ନେଲେ ଅଗଷ୍ଟ-୧୭ ତାରିଖରୁ ସେପ୍ଟେମ୍ବର-୧୫ ତାରିଖ ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ କରୋନା ମୃତ୍ୟୁ ୧୦୦ରୁ ଉର୍ଦ୍ଧ ହେବ । ମାତ୍ର ସରକାରଙ୍କ ହିସାବ ମୁତାବକ ଏହି ସମୟ କାଳ ଭିତରେ ୨୧ଜଣଙ୍କର କରୋନା ମୃତ୍ୟୁ ହୋଇଛି । ଏଥିରୁ ପ୍ରମାଣିତ ହୁଏ ସରକାର କରୋନା ମୃତ୍ୟୁର ବାସ୍ତବ ଚିତ୍ର ଏବଂ ପରିସଂଖ୍ୟାନଙ୍କୁ କିଭଳି ଲୁଚାଉଛନ୍ତି ଏବଂ ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛନ୍ତି ।
ସେହିପରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ କହିଲେ ଯେ କରୋନା ଚିକିତ୍ସା କ୍ଷେତ୍ରରେ ସରକାରଙ୍କ ଅବହେଳା ଅକ୍ଷମଣୀୟ ଏବଂ ଦୁର୍ଭାଗ୍ୟଜନକ । କରୋନା ରୋଗୀମାନେ ଆଇସିୟୁ ଏବଂ ଭେଂଟିଲେଟର ନପାଇ ଡହଳବିକଳ ହେଉଥିବା ବେଳେ ପିଏମ୍ କେୟାର ପାଣ୍ଠିରୁ ୫୬୭ଟି ଭେଂଟିଲେଟର ରାଜ୍ୟ ସରକାରଙ୍କୁ ମିଳିଥିଲା । ସେ ଭିତରୁ ସେପ୍ଟେ୍ମ୍ବର-୧୪ ତାରିଖ ସୁଦ୍ଧା ମାତ୍ର ୧୪୭ଟି ଭେଂଟିଲେଟର ବ୍ୟବହୃତ ହୋଇଛି ଏବଂ ଅନ୍ୟଗୁଡ଼ିକ ଘର ଭିତରେ ପଡ଼ି ରହିଛି । ଏହା ରାଜ୍ୟ ସରକାରଙ୍କ ଅପାରଗତା ଓ ସ୍ଥାଣୁତାର ପରିଚୟ ବୋଲି ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ସରକାର ମିଥ୍ୟା ତଥ୍ୟ ଏବଂ ପରିସଂଖ୍ୟାନ ଦେଇ ଓଡ଼ିଶାବାସୀଙ୍କୁ ଯେଉଁ ପ୍ରତାରିତ କରୁଛନ୍ତି ତାଙ୍କୁ ଲୋକେ କ୍ଷମାଦେବେ ନାହିଁ । ପ୍ରଦେଶ କଂଗ୍ରେସ ଏହା ବିରୋଧରେ ଦୃଢ଼ ପଦକ୍ଷେପ ନେବବୋଲି ସେ ଚେତାବନୀ ଦେଇଛନ୍ତି ।