Odisha news

ଉପନିର୍ବାଚନ ପୂର୍ବରୁ ବସ୍ତି ଉନ୍ନତୀକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ବାଲେଶ୍ୱରରେ ବସ୍ତିବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଂଟନ କଲେ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା

0

ବାଲେଶ୍ୱର : ବସ୍ତିମୁକ୍ତ ସହର ଗଠନ ପାଇଁ ବସ୍ତିଗୁଡିକରେ ଉନ୍ନତିମୂଳକ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି ଓଡିଶାର  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱରରୁ ଭିଡିଓ କନଫରେନ୍ସିଂ ଜରିଆରେ ଆଜି ଦିନ ସାଢେ ୧୧ଘଟିକା ସମୟରେ ଏହାର ଶୁଭାରମ୍ଭ କରିବା ସହିତ ଓଡିଆ ଭାଷା ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଫକୀରମୋହନଙ୍କ ଭୂମି  ବାଲେଶ୍ୱରରୁ ଏହି ରାଜ୍ୟସ୍ତରୀୟ ଯୋଜନା ଆରମ୍ଭ ହେବା ଖୁସିର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ ଯେ ରାଜ୍ୟର ସମସ୍ତ ସହରଗୁଡିକର ବିକାଶ ଠାରୁ  ଆରମ୍ଭ କରି କୋଭିଡ ଲଢେଇ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ବସ୍ତିର ଗରିବ ଲୋକମାନେ ଆଗରେ ରହି କାମ କରୁଛନ୍ତି ।

ତେଣୁ ବିକାଶ ଉପରେ ମଧ୍ୟ ସେମାନଙ୍କର ସମାନ ଅଧିକାର ରହିଛି । ଏହି ଯୋଜନାରେ ରାଜ୍ୟର ବସ୍ତିଗୁଡିକରେ ବିଜୁଳି, ପିଇବା ପାଣି, ଗୋଷ୍ଠୀ କେନ୍ଦ୍ର ଆଦି ନାଗରିକ ସୁବିଧା ଯୋଗାଇ ଦେବା ସହ ସେମାନଙ୍କ ଜୀବନଧାରଣର ମାନରେ ଉନ୍ନତି ଆଣିବାକୁ ପ୍ରୟାସ ଜାରି ରହିଛି ବୋଲି  ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ଅବସରରେ ସେ ଜନସାଧାରଣଙ୍କୁ ସରକାରଙ୍କ କୋଭିଡ୍ ନିୟମାବଳୀ ପାଳନ କରିବା ପାଇଁ ଅନୁରୋଧ କରିଥିଲେ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଗାନ୍ଧୀ ସ୍ମୃତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ରାଜ୍ୟ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ  ପ୍ରତାପ ଜେନା ଯୋଗ ଦେଇ  ମୁଖ୍ୟମନ୍ତ୍ରୀଙ୍କର ଏଭଳି ଐତିହାସିକ ପଦକ୍ଷେପ ନିମନ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ ।  ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆରମ୍ଭ କରାଯାଇଥିବା ଜାଗା ମିଶନ ଏକ ଲୋକାଭିମୁଖୀ ଓ ଯୁଗାନ୍ତକାରୀ ପଦକ୍ଷେପ ।

ଏହି ଯୋଜନା ମାଧ୍ୟମରେ ସମଗ୍ର ରାଜ୍ୟର ୧୭୨୫ଟି ବସ୍ତିରେ ଡ୍ରୋନ ଦ୍ୱାରା ସର୍ଭେ କରାଯାଇ ୬୦ହଜାରରୁ ଉଦ୍ଧ୍ୱର୍ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣପତ୍ର ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଛି । ଏହି ଲୋକାଭିମୁଖୀ ପ୍ରକଳ୍ପ  ୱାର୍ଲଡ୍ ହାବିଟାଟ୍ ଆୱାର୍ଡ ଦ୍ୱାରା ସମ୍ମାନୀତ ହୋଇ ପ୍ରଶଂସା ମଧ୍ୟ ଲାଭ କରିଛି । ଆଜି ସମଗ୍ର ରାଜ୍ୟର ମୋଟ ୧ଲକ୍ଷ ୫ହଜାର ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଯୋଗ୍ୟତା ପ୍ରମାଣପତ୍ର ବଂଟନର ଶୁଭାରମ୍ଭ ହୋଇଛି । ଏହା ଦ୍ୱାରା ରାଜ୍ୟର ୨୯୧୯ଟି ବସ୍ତିର ରହୁଥିବା ବାସିନ୍ଦାମାନଙ୍କର ଜୀବନଶୈଳୀରେ ସକରାତ୍ମକ ପରିବର୍ତ୍ତନ ହୋଇପାରିବ ବୋଲି  ମନ୍ତ୍ରୀ ଶ୍ରୀ ଜେନା ଆଶାପ୍ରକଟ କରିଥିଲେ । ବାଲେଶ୍ୱର ଜିଲ୍ଲାର ମୋଟ ୪ହଜାର ୯୫୮ ବସ୍ତି ବାସିନ୍ଦା ପରିବାରଙ୍କ ମଧ୍ୟରୁ  ୧୭୦୮ଟି ପରିବାରକୁ ଭୂମି ଅଧିକାର ପ୍ରମାଣପତ୍ର ଦିଆଯିବା ପାଇଁ ସ୍ୱୀକୃତି ପ୍ରଦାନ କରାଯାଇଥିବା ବେଳେ ଏବେ ୩ହଜାର ୧୯୫ଟି ପରିବାରକୁ ଯୋଗ୍ୟତା ପ୍ରମାଣପତ୍ର ଦିଆଯିବା ପାଇଁ ସ୍ଥିର କରାଯାଇଛି ।

ବାଲେଶ୍ୱର ପୌରାଂଚଳରେ ପୂର୍ବରୁ ୧୦୩୮ଜଣ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରମାଣ ପତ୍ର ପ୍ରଦାନ କରାଯାଇସାରିଥିବା ବେଳେ ଆଜି ୨୦୫୪ଟି ପରିବାରକୁ ଯୋଗ୍ୟତା ପ୍ରମାଣ ପତ୍ର ବଂଟନ କରାଯାଇଛି । ଏହି ଅବସରରେ ମନ୍ତ୍ରୀ ପ୍ରତାପ ଜେନା ଗାନ୍ଧୀ ସ୍ମୃତି ଭବନ ସମେତ ଅଙ୍ଗାରଗାଡିଆ, ଶୋଭାରାମପୁର, ଭାସ୍କରଗଞ୍ଜ, ସହଦେବଖୁଂଟା, ଅରଡ ବଜାର, ରାଣୀପାଟଣା, ମିର୍ଜାପୋଖରୀ, ପୌରପାଳିକା କାର୍ଯ୍ୟାଳୟ, ବଡଖୁଆ, ଦିଗରହଣିଆ, ମାନସିଂ ବଜାର ପ୍ରଭୃତି ଅଂଚଳରେ ହିତାଧିକାରୀମାନଙ୍କୁ ଯୋଗ୍ୟତା ପ୍ରମାଣପତ୍ର ବଂଟନ କରିଥିଲେ । ସେହିପରି ବାଲେଶ୍ୱର ସହରରେ ନିର୍ମାଣାଧୀନ ୪ଟି ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ପରିଚୟ ମଧ୍ୟରୁ ଅଙ୍ଗାରଗାଡିଆ ଓ ଶୋଭାରାମପୁର କେନ୍ଦ୍ରକୁ  ମନ୍ତ୍ରୀ ପ୍ରତାପ ଜେନା ଉଦଘାଟନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ  କେ.ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ନାୟକ, ପିଡି ଡିଆରଡିଏ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ

Leave A Reply