ତିହିଡି,(Jadumani panigrahi) : ତିହିଡି ବ୍ଲକ ଅନ୍ତର୍ଗତ ଦୋଳସାହି ଗେଟ୍ ବଜାରରେ ଥିବା ବହୁ ପୁରାତନ ମାଛ ହାଟକୁ ଆଜି ପୂର୍ବାହ୍ନରେ ସ୍ଥାନୀୟ ପ୍ରଶାସନ ଉଚ୍ଛେଦ କରିଛି । ଏହି ଉଚ୍ଛେଦ ଯୋଗୁ ଦୀର୍ଘ ୩୦ବର୍ଷରୁ ଅଧିକ ଦିନ ହେବ ପରିବାର ପ୍ରତିପୋଷଣ କରୁଥିବା ୧୬ ମାଛ ବ୍ୟବସାୟୀ ନିଜର ଜୀବିକା ହରାଇଛନ୍ତି । ପ୍ରକାଶ ଯେ ଦୋଳସାହି ଗେଟ୍ ବଜାର ସ୍ଥିତ ଭଦ୍ରକ-ଚାନ୍ଦବାଲି ରାସ୍ତା ପାର୍ଶ୍ୱ ସରକାରୀ ଜମିରେ ପ୍ରାୟ ୩୦ବର୍ଷ ଧରି ୧୬ଜଣ ବ୍ୟବସାୟୀଙ୍କୁ ନେଇ ଏକ ମାଛ ହାଟ ଚାଲି ଆସୁଥିଲା ।
ଏହି ହାଟ ଉପରେ ପ୍ରତିଦିନ ହଜାର ହଜାର ଲୋକ କାରବାର କରୁଥିଲେ । ତେବେ ଏହି ହଟ ପଛକୁ ଲାଗି ଥିବା ଏକ ବ୍ୟକ୍ତିଗତ ଜମାକୁ ୩ଜଣ ଲୋକ କିଣି ଏଠାରେ ବ୍ୟବସାୟ କରିବା ପାଇଁ ଗୃହ ନିର୍ମାଣ କରିଥିଲେ । ତେବେ ସେମାନଙ୍କ ଘରକୁ ଯାତାୟତ ପାଇଁ ଏହି ମାଛହାଟ ଅବରୋଧ କରୁଥିବା ନେଇ ସମ୍ପୃକ୍ତ ୩ବ୍ୟକ୍ତ ତହସିଲଦାରଙ୍କ ନିକଟରେ ଲିଖିତ ଅଭିେଯୋଗ କରିଥିଲେ । ପରେ ତହସିଲ ପକ୍ଷରୁ ଏଠାରୁ ମାଛହାଟ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଏଠାରୁ ମାଛହାଟ ହଟାଇବା ପାଇଁ ମାଛ ବ୍ୟବସାୟୀଙ୍କୁ ବାରମ୍ବାର ତହସିଲ ପକ୍ଷରୁ ନୋଟିସ୍ କରାଯାଇଥିଲା । ଦୀର୍ଘ ୩୦ବର୍ଷ ଧରି ଏଠାରୁ ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀମାନେ ମାଛ ହାଟ ନଭାଙ୍ଗିବାକୁ ତହସିଲଦାରଙ୍କୁ ନିବେଦନ କରିଥିଲେ । ଅପର ପକ୍ଷେ ଯଦି ଏଠାରୁ ହାଟ ଉଠା ଯାଉଛି ତେବେ ଅନ୍ୟତ୍ର ତାଙ୍କୁ ଥଇଥାନ କରିବାକୁ ମଧ୍ୟ ବ୍ୟବସାୟୀମାନେ ନିବେଦନ କରିଥିଳେ ।
ମାତ୍ର ଏହି ବ୍ୟବସାୟୀଙ୍କୁ ବିନା ଥଇଥାନରେ ଆଜି ପ୍ର୍ରଶାସନ ୩୦ବର୍ଷର ହାଟକୁ ଭାଙ୍ଗି ଦେଇଥିବାରୁ ୧୬ ପରିବାରକୁ ଆଜି ଜୀବିକା ହରାଇବାକୁ ପଡ଼ିଛି । ଉଚ୍ଛେଦ ସମୟରେ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲେ ମଧ୍ୟ ପୋଲିସ ଫୋର୍ସର ଉପସ୍ଥିତ ଥିବାରୁ କୌଣସି ପ୍ରକାର ଅପ୍ରିତକର ପରିସ୍ଥିତି ଘଟିନାହିଁ । ଅପର ପକ୍ଷେ ଉଚ୍ଛେଦ ହୋଇଥିବା ଏହି ବ୍ୟବସାୟୀଙ୍କୁ ଥଇଥାନ ପାଇଁ ସାଧାରଣରେ ଦାବି କରାଯାଇଛି । ଏହି ଉଚ୍ଛେଦ ବେଳେ ତିହିଡ଼ି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା, ତିହିଡ଼ି ଥାନା ଅତିରିକ୍ତ ଅଧିକାରୀ ତପନ କୁମାର ପ୍ରଧାନ, ଏସଆଇ ବନମାଳି ବାରିକ, ସ୍ମୃତିରଂଜନ ନାୟକ, ଏଏସଆଇ ସୁନିତା ହେମ୍ବ୍ରମ, ରାଜସ୍ୱ ନିରୀକ୍ଷକ ଇତିଶ୍ରୀ ଖଟୁଆଙ୍କ ସମେତ ୨ ପ୍ଲାଟୁନ ପୋଲିସ ଫୋର୍ସ ଉପସ୍ଥିତ ଥିଲେ ।