ଡ଼ଃ.ଅରୁନ୍ଧତୀ ଦେବୀ : ସଂସ୍କୃତିପ୍ରେମୀ ସାରସ୍ୱତ ସାଧକ ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୂର୍ବତନ ସଭାପତି ତଥା ବର୍ଷୀଆନ ରାଜନେତା ଶେଖ ମତଲୁବ୍ ଅଲ୍ଲୀଙ୍କର ୬୮ବର୍ଷ ବୟସରେ ପରଲୋକ ହୋଇଛି । କଟକ ଜିଲ୍ଲା ମାହାଙ୍ଗା ଅନ୍ତର୍ଗତ ଧରୋଶ୍ୟାମସୁନ୍ଦରପୁର ଗ୍ରାମରେ ୧୯୪୨ ଡିସେମ୍ବର ୧୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଭଗବତୀ ବିଦ୍ୟାପୀଠରୁ ମାଟି୍ରକ ପାସ ପରେ ଭଦ୍ରକ ମହାବିଦ୍ୟାଳୟରେ ପାଠ ପଢ଼ିବା ସମୟରେ ନାଟ୍ୟ ସଂସଦର ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ । ପରେ ଓଡ଼ିଆ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଶିକ୍ଷା ଲାଭ କରି ସେ ସାଲେପୁର କଲେଜରେ ଅଧ୍ୟାପନା ଓ ଜୟପୁର ଠାରେ ଆକାଶବାଣୀର ଘୋଷକ ରୂପେ କାର୍ଯ୍ୟ କରିଥିଲେ । ୧୯୬୪ରେ କଂଗ୍ରେସ ଯୁବ ସଙ୍ଗଠନରେ ସକ୍ରିୟ ହୋଇ ମାହାଙ୍ଗା ବ୍ଲକ ଯୁବ କଂଗ୍ରେସର ସଭାପତି ହୋଇଥିଲେ ।
ମାହାଙ୍ଗା ନିର୍ବାଚନ ମଣ୍ଡଳୀରୁ ୧୯୭୪, ୧୯୮୦, ୧୯୮୫ ଓ ୧୯୮୫ ନିର୍ବାଚନରେ ସେ ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ପ୍ରଥମେ ବିଜୟ ଲାଭ ପରେ ନନ୍ଦିନୀ ଶତପଥିଙ୍କ ମନ୍ତ୍ରୀମଣ୍ଡଳରେ ସାଂସ୍କୃତିକ ବ୍ୟାପାର ବିଭାଗର ଦାୟିତ୍ୱ ତୁଲାଇଥିଲେ । ପରେ ବିନାୟକ ଆଚାର୍ଯ୍ୟଙ୍କ ମନ୍ତ୍ରୀ ମଣ୍ଡଳରେ ରାଜସ୍ୱ, ଶିକ୍ଷା, ଯୁବସେବା, ସାଂସ୍କୃତିକ ବ୍ୟାପାର ଓ ପର୍ଯ୍ୟଟନ ବିଭାଗର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୧୯୮୫ମସିହାରେ ସରକାରୀ ଦଳର ମୁଖ୍ୟ ସଚେତକ, ୧୯୮୬ ମସିହାରେ ଜାନକୀ ବାବୁଙ୍କ ମନ୍ତ୍ରୀମଣ୍ଡଳରେ ସେ ଜଳ ସମ୍ପଦ, ବିଦୁ୍ୟତ୍ ଓ ସଂସଦୀୟ ବ୍ୟାପାର ବିଭାଗର କ୍ୟାବିନେଟ୍ ମନ୍ତ୍ରୀ, ୧୯୮୯ ମସିହାରେ ହେମାନନ୍ଦ ବିଶ୍ୱାଳଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷା ଓ ଯୁବସେବା ବିଭାଗର କ୍ୟାବିନେଟ ମନ୍ତ୍ରୀ, ୧୯୯୫ରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ଗ୍ରାମ୍ୟ ଉନ୍ନୟନ ବିଭାଗର କ୍ୟାବିନେଟ ମନ୍ତ୍ରୀ, ୧୯୯୯ରେ ଗିରିଧର ଗମାଙ୍ଗଙ୍କ ମନ୍ତ୍ରିମଣ୍ଡଳରେ ଖାଦ୍ୟ ଯୋଗାଣ ଓ ଗଣଶିକ୍ଷା ବିଭାଗ କ୍ୟାବିନେଟ ମନ୍ତ୍ରୀ ଓ ହେମାନନ୍ଦ ବିଶ୍ୱାଳଙ୍କ ମନ୍ତ୍ରିମଣ୍ଡଳରେ ଉଚ୍ଚଶିକ୍ଷା ବିଭାଗ କ୍ୟାବିନେଟ ମନ୍ତ୍ରୀ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଗ୍ରହଣ ତୁଲାଇଥିଲେ ।
କେବଳ ଜଣେ ଲୋକପ୍ରତିନିଧି ନୁହେଁ ସାହିତ୍ୟ ଓ ସଂସ୍କୃତିପ୍ରେମୀ ଭାବେ ତାଙ୍କର ଏକ ସ୍ୱତନ୍ତ୍ର ପରିଚୟ ଥିଲା । ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀ ଆୟୋଜନକୁ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଭାବେ ରୂପ ଦେବାରେ ତାଙ୍କ ଅବଦାନ ଚିର ସ୍ମରଣୀୟ । ସେ ପର୍ଯ୍ୟଟନ ବିଭାଗର ଦାୟିତ୍ୱରେ ଥିଲାବେଳେ ଓଡ଼ିଶାରେ ପ୍ରଥମ ଥର ପାଇଁ ପର୍ଯ୍ୟଟନ ମାନଚିତ୍ର ପ୍ରଚଳନ କରିଥିଲେ । ଓଡ଼ିଶାର ପ୍ରସିଦ୍ଧ ବୌଦ୍ଧସ୍ଥଳୀ ଲଳିତଗିରି, ଉଦୟଗିରି, ରତ୍ନଗିରିକୁ ହୀରକ ତ୍ରିଭୁଜର ମାନ୍ୟତା ଦେବା ସହ ପ୍ରାଚୀନ କୀର୍ତ୍ତିରାଜି ସୁରକ୍ଷା ପାଇଁ ଅନେକ ପଦକ୍ଷେପ ନେଇଥିଲେ । ଲଳିତଗିରିରୁ ବୁଦ୍ଧଙ୍କ ଅସ୍ଥି ଉଦ୍ଧାର, ଅନେକ ବୌଦ୍ଧ ବିହାର ଓ ବୌଦ୍ଧସ୍ତୁପର ଆବିଷ୍କାର ଦିଗରେ ପଦକ୍ଷେପ ନେବା ସହ ବିଭିନ୍ନ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଓଳାଶୁଣୀ ଗୁମ୍ଫାକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବାରେ ତାଙ୍କର ବଳିଷ୍ଠ ଅବଦାନ ଥିଲା ।
“ମୌସୁମୀ’, “ଶେଷ ଅଭିସାର’, “ପଦ୍ମାର ସଙ୍ଗୀତ’, “ନବ କଳେବର’, “ମୁକ୍ତି ସଂଗ୍ରାମୀ ମୌଲାନା ଆବୁଲକଲାମ ଆଜାଦ’, “ବୈରାଗୀ ମିଶ୍ରଙ୍କ ଆତ୍ମଜୀବନୀ’, “ବୈଷ୍ଣବ ପାଣିଙ୍କ ଆତ୍ମ ଜୀବନୀ’ ପାଣି କବିଙ୍କ ଆତ୍ମ କାହାଣୀ ଭଳି ପୁସ୍ତକ ରଚନା, “ପ୍ୟାରି ମୋହନ ଆଚାର୍ଯ୍ୟଙ୍କ ଓଡ଼ିଆ ଇତିହାସ’ ସମ୍ପାଦନା କରି ସେ ନିଜ ସାହିତି୍ୟକ ପ୍ରତିଭାର ଛାପ ଛାଡ଼ିଯାଇଛନ୍ତି । ଓଡ଼ିଶାର ପ୍ରାତଃ ସ୍ମରଣୀୟ ଓ ବରେଣ୍ୟ ପ୍ରତିଭା ମାନଙ୍କର ପୂଜାର ପରମ୍ପରା ଭାବେ ନିୟମିତ ଭାବେ ଅନେକ ବରପୁତ୍ରଙ୍କ ଜୟନ୍ତୀ ଓ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମକ ସେ ଆୟୋଜନ କରିଥିଲେ ।
ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଛାତ୍ରାବସ୍ଥାରେ ରେଭେନ୍ସା ବିଦ୍ୟାଳୟର ପଶ୍ଚିମ ଛାତ୍ରାବାସର ମୁଖପତ୍ର “ଉର୍ମି’ ପତ୍ରିକାର ସମ୍ପାଦକ ଓ ସାହିତ୍ୟ ପତ୍ରିକା “ଆଗାମୀ ଶତାବ୍ଦୀର’ର ସମ୍ପାଦକ ଭାବେ ସେ କାର୍ଯ୍ୟ କରିଥିଲେ । ଉକ୍ରଳ ସାହିତ୍ୟ ସମାଜ ଠାରୁ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ଅନେକ ସାରସ୍ୱତ ସଙ୍ଗଠନ ଠାରୁ ସେ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଛନ୍ତି । ତାଙ୍କ ପରଲୋକ ସମୟରେ ପତ୍ନୀ ବେଗମ୍ ଅଞ୍ଜୁମାରା ଅଲ୍ଲୀ, ପୁଅ ଶେଖ ମାସୁଦ ଅଲ୍ଲୀ, ଦୁଇ ଝିଅ ସାଇନ୍ ସୁଲତାନ ଓ ଅସ୍ମିନ୍ ସୁଲତାନ ଉପସ୍ଥିତ ଥିଲେ । ତାଙ୍କ ସହ ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନେ୍ଦାଳନର ଏକ ଭାବାବେଗ ସମ୍ପର୍କ ଥିଲା । ଅନେକ କାର୍ଯ୍ୟକ୍ରମରେ ଏହି ଲେଖିକା ତାଙ୍କୁ ସାମିଲ କରିବାର ସୁଯୋଗ ପାଇଛି । ପରମ ପୂଜ୍ୟ ଶ୍ରୀକୁମାର ଭାଇଙ୍କ ପାଖରେ ପ୍ରାର୍ଥନା କରୁଛି ତାଙ୍କର ଅମର ଆତ୍ମାର ସଦ୍ଗତି ହେଉ ।