ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର : ବର୍ତ୍ତମାନ କରୋନାର ପ୍ରକୋପକୁ ସମଗ୍ର ବିଶ୍ୱ ଦେଖିବାପରେ ଏହାକୁ ସମ୍ମୁଖ ଯୁଦ୍ଧର ଆହ୍ୱାନ ଭାବେ ଡାକ୍ତରମାନେ ପ୍ରଥମ ଯୋଦ୍ଧାର ମାନ୍ୟତା ପାଇବା ସହ ସେମାନଙ୍କ ଚିକିତ୍ସା ସେବାକୁ ସମଗ୍ର ବିଶ୍ୱବାସୀ ନତମସ୍ତକ ଭାବେ ସମ୍ମାନ ଜଣାଉଛନ୍ତି । ତେବେ ବର୍ତ୍ତମାନ ଡାକ୍ତରୀ ପାଠ ପଢ଼ିବା ପାଇଁ ବିଭିନ୍ନ ମେଡ଼ିକାଲ ସ୍କୁଲରେ ଆବେଦନର ସୁଅ ଛୁଟୁଛି । ଡାକ୍ତର ହେବାକୁ ଇଛା ରଖୁଥିବା ଛାତ୍ରଛାତ୍ରୀମାନେ ନୂଆ ଆଶା ନେଇ ସେବା ଜୀବନକୁ ଗ୍ରହଣ କରିବାକୁ ଯାଉଛନ୍ତି । ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ଧରି ମେଡ଼ିକାଲ ପାଠ୍ୟକ୍ରମ ପ୍ରତି ଏଭଳି ଚାହିଦା କେବେ ଦେଖାଯାଇନଥିଲା । ଏକ ପରିସଂଖ୍ୟାନର ତଥ୍ୟ ଅନୁଯାୟୀ ଅଗଷ୍ଟ ଶେଷ ସୁଦ୍ଧା ଆମେରିକାରେ ମେଡ଼ିକାଲ ପାଠ୍ୟକ୍ରମ ପାଇଁ ଆବେଦନ ସଂଖ୍ୟାରେ ପାଖାପାଖି ୧୭% ବୃଦ୍ଧି ପାଇଛି ।
କରୋନା ଭାଇରସ ଯୋଗୁଁ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୃଷ୍ଟି ହୋଇଛି । ପୂର୍ବାପେକ୍ଷା ଏହି ପେଷାରେ କ୍ୟାରିୟର କରିବା ପାଇଁ ଯୁବପିଢ଼ୀମାନେ ଅଧିକ ଆଗ୍ରହ ରଖି ମେଡ଼ିକାଲ ସ୍କୁଲରେ ପାଠ ପଢ଼ିବା ପାଇଁ ଆବେଦନ କରୁଛନ୍ତି । ଏ ବର୍ଷ ଆବେଦନ ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ରର ମେଡ଼ିକାଲ ସ୍କୁଲମାନେ ନିର୍ଦ୍ଧାରିତ ଯୋଗ୍ୟତାକୁ ବି କୋହଳ କରିଛନ୍ତି । ଅନେକ ସ୍କୁଲ ମେଡ଼ିକାଲ କଲେଜ ଆଡ଼ମିସନ ଟେଷ୍ଟ ବା ଏମ୍ସିଏଟିକୁ ହଟାଇ ଦେଇଛନ୍ତି ଓ ଆବେଦନ କରିବାର ଡ଼େଡ଼ ଲାଇନକୁ ବୃଦ୍ଧି କରିଛନ୍ତି । ବର୍ତ୍ତମାନ ସବୁ କ୍ଷେତ୍ରରେ ନିଯୁକ୍ତି ହ୍ରାସ ପାଉଥିବାବେଳେ ଡାକ୍ତରଙ୍କ ଚାହିଦା ବଢ଼ିଛି । ଏ କ୍ଷେତ୍ରରେ ଯୁବପିଢ଼ୀମାନେ ଏକ ସ୍ଥିର କ୍ୟାରିୟର ଦିଗରେ ବଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।
ଡାକ୍ତରୀ ପେଷାରେ ଚାକିରୀର ସ୍ଥାୟୀତ୍ୱକୁ ଦୃଷ୍ଟିରେ ରଖି ଇଛୁକ ଛାତ୍ରଛାତ୍ରୀମାନେ ଏହି ଦିଗରେ ବହୁତ ସଂଖ୍ୟାରେ ନିଜ କ୍ୟାରିୟର ପାଇଁ ଆଗେଇ ଆସୁଛନ୍ତି । ୨୦୦୮ ଆର୍ଥିକ ମାନ୍ଦାବସ୍ଥା ପରଠାରୁ ମେଡ଼ିକାଲ ସ୍କୁଲ ଗୁଡ଼ିକରେ ଆବେଦନ ସଂଖ୍ୟା ଧୀରେ ଧୀରେ ବଢ଼ୁଛି । ଅଗଷ୍ଟ ସୁଦ୍ଧା ଆମେରିକାରେ ମେଡ଼ିକାଲ ସ୍କୁଲ ଗୁଡ଼ିକ ପଚାଶ ହଜାରୁ ଉଦ୍ଧ୍ୱର୍ ଆବେଦନ ସଂଗ୍ରହ କରିଥିବା ଜଣାପଡ଼େ । ଯୁବପିଢ଼ୀଙ୍କ ଭିତରେ ଡାକ୍ତର ହେବାର ସ୍ୱପ୍ନ ଉଜ୍ଜୀବିତ ହୋଇଛି । କେବଳ ଆମେରିକା ନୁହେଁ ଚୀନ, ରୁଷ, ଇଂଲଣ୍ଡ, ଜାପାନ, ଜର୍ମାନ, ଇଟାଲୀ, ହଂକଂ ପରି ସ୍ୱାସ୍ଥ୍ୟ କ୍ଷେତ୍ରର ବଳିଷ୍ଠ ଓ ଅଗ୍ରଣୀ ଦେଶ ମାନଙ୍କରେ ମଧ୍ୟ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଆଶାତୀତ ଭାବେ ଛାତ୍ରଛାତ୍ରୀମାନେ ଆବେଦନ କରୁଛନ୍ତି ।
ଦେଶର ସ୍ୱାସ୍ଥ୍ୟ ସେବା କ୍ଷେତ୍ରର ଆବଶ୍ୟକତାକୁ ଛାତ୍ରଛାତ୍ରୀମାନେ ବୁଝିଲେଣି । କରୋନା ପାଇଁ ସମଗ୍ର ବିଶ୍ୱ ଡାକ୍ତରୀ ସେବା ପ୍ରତି ଡାକ୍ତର ମାନଙ୍କ ଅବଦାନକୁ ସ୍ମରଣୀୟ ଭାବେ କୃତଜ୍ଞତା ଜ୍ଞାପନ କରୁଛନ୍ତି । ବିଭିନ୍ନ ବ୍ୟାଙ୍କ ଡାକ୍ତରୀ ପାଠପଢ଼ା ପାଇଁ ଷ୍ଟଡିଲୋନ୍ ତକ୍ରାଳ ମଞ୍ଜୁର କରୁଛନ୍ତି । ଭାରତରେ ମଧ୍ୟ ବିଭିନ୍ନ ଡାକ୍ତରୀ ଶିକ୍ଷା ପ୍ରତିଷ୍ଠାନରେ ପୂର୍ବ ବର୍ଷ ଅପେକ୍ଷା ଆବେଦନ ବଢ଼ୁଥିବାର ଜଣାପଡ଼ିଛି । ମୁମ୍ବାଇ, ଦିଲ୍ଲୀ, ଭୋପାଳ, ଚେନ୍ନାଇ, କୋଲକାତା, ବାଙ୍ଗାଲୋର ପରି ସ୍ଥାନରେ ବଡ଼ ବଡ଼ ଡାକ୍ତରୀ ଶିକ୍ଷା ପ୍ରତିଷ୍ଠାନ ରହୁଥିବାରୁ ସମଗ୍ର ଭାରତର ମେଧାବୀ ଛାତ୍ରଛାତ୍ରୀମାନେ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଆଗ୍ରହ ଦେଖାଉଛନ୍ତି । ପ୍ରାଦେଶିକ ସରକାର ଓ କେନ୍ଦ୍ର ସରକାର ଅଧିକାଂଶ କ୍ଷେତ୍ରରେ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ତୁରନ୍ତ ଆର୍ଥିକ ସହାୟତା ଓ ଋଣ ମଞ୍ଜୁର କରୁଥିବାରୁ ମେଧାବୀ ପିଲାମାନଙ୍କ ପାଇଁ ଅର୍ଥ ପ୍ରତିବନ୍ଧକ ହେଉନାହିଁ ।
ତେଣୁ ବଡ଼ ଖୁସିର କଥା ଆଗାମୀ ଦିନରେ ମେଧାବୀ ଛାତ୍ରଛାତ୍ରୀମାନେ ଡାକ୍ତରୀ ସେବାକୁ ବୃତ୍ତି ଠାରୁ ସେବାକୁ ଗୁରୁତ୍ୱ ଦେଇ ନୂଆ ଜୀବନ ଆରମ୍ଭ କରିବେ । ସମଗ୍ର ସମାଜ ପାଇଁ ସେମାନଙ୍କର ଉତ୍ସର୍ଗୀକୃତ ଓ ସ୍ମରଣୀୟ ସେବାର ପଟ୍ଟାନ୍ତର ନାହିଁ । ଯେକୌଣସି ଦେଶର ବଡ଼ ସାମର୍ଥ୍ୟ କେବଳ ସେନାଶକ୍ତି ବା ଆର୍ଥିକ ଶକ୍ତି ନୁହେଁ । ବଡ଼ ମହାଶକ୍ତି ହେଉଛି ଚିକିତ୍ସା ବିଜ୍ଞାନର ମେଧାବୀ ଛାତ୍ରଛାତ୍ରୀମାନେ । ଯେଉଁମାନେ ପରବର୍ତ୍ତୀ ସମୟରେ ପ୍ରଖ୍ୟାତ ଚିକିତ୍ସକ ହେବାର ମାନ୍ୟତା ପାଇପାରିବେ । ଏ କ୍ଷେତ୍ରରେ ସମସ୍ତଙ୍କ ସହଯୋଗର ବଡ଼ ଅବଦାନ ଓ ଆହ୍ୱାନ ରହିଛି ।