ଯଦୁମଣି ପାଣିଗ୍ରାହୀ : ଦିନ ଥିଲା ଯେତେବେଳେ ଗ୍ରାମ୍ୟ ପରିବେଶ ହିଁ ସମସ୍ତଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବାର ଏକ ସୁଦୃଢ ଭିତ୍ତିଭୂମି ସୃଷ୍ଟି କରି ପାରିଥିଲା । ଗ୍ରାମ୍ୟ ଜୀବନ ଅତ୍ୟନ୍ତ ସରଳ ଓ ବେଶ ସୁଖପ୍ରଦ ସାବ୍ୟସ୍ତ ହୋଇ ପାରିଥିଲା । ଏକ ସକାରାତ୍ମକ ଦୃଷ୍ଟିଭଙ୍ଗୀ ନେଇ ବଞ୍ଚିବା ସହିତ ଭଲ ଓ ମନ୍ଦ ଉଭୟରେ କାନ୍ଧକୁ କାନ୍ଧ ମିଳାଇ ଚାଲିବାର ସଙ୍କଳ୍ପ ନେଉଥିଲେ ଗ୍ରାମବାସୀ । ଅନ୍ୟ ପ୍ରତି ଉଦାର ଓ ସହନଶୀଳ ହେବାର ମନୋଭାବ ସେମାନଙ୍କ ମନ ଭିତରେ ସଦାସର୍ବଦା ଉଙ୍କି ମାରୁଥିଲା । ଏହିପ୍ରକାର ଭାବ ଓ ଭାବନା ମଧ୍ୟରେ ଗ୍ରାମ୍ୟ ଜୀବନ ବେଶ ସରସ, ସୁନ୍ଦର ଓ ଆକର୍ଷଣୀୟ ହୋଇ ପାରୁଥିଲା ।
ବିବାହ, ବ୍ରତ ଓ ଶୁଦ୍ଧିକର୍ମ ଠାରୁ ପୁଣି ବିଭିନ୍ନ ପ୍ରକାର ପୂଜାପାର୍ବଣରେ ସମସ୍ତଙ୍କ ଉପସ୍ଥିତି ଓ ଅକୁଣ୍ଠିତ ସହଯୋଗ ଗ୍ରାମ୍ୟ ଜୀବନଧାରାକୁ ଅତ୍ୟନ୍ତ ସରଳ ଓ ସହଜ କରିପାରୁଥିଲା । ହିଂସା, ଦ୍ୱେଷ ଓ ପରଶ୍ରୀକାତରତା ଠାରୁ ବହୁଦୂରରେ ରହି ଅନ୍ୟର ମଙ୍ଗଳ ଚିନ୍ତା କରୁଥିଲେ ଲୋକେ । ସାହି କି ପଡିଶା ଲୋକଟି ଭଲରେ ରହିଲେ ସିନା କେବେ କେମିତି କାମରେ ଆସିବ । ଗାଁରେ ଯିଏ ଯେଉଁ ବୃତ୍ତିକୁ ଆପଣାଇ ଥାଉ ପଛକେ ସମସ୍ତେ ଭଲରେ ରହିଲେ ସିନା ଗାଁ ଭୂଇଁ ହସି ଉଠିବ । ଗାଁ ପୁଅଟା ଡାକ୍ତର, ଅଧ୍ୟାପକ, ଇଞ୍ଜିନିୟର କିମ୍ବା ପ୍ରଶାସନିକ ଅଧିକାରଟିଏ ହୋଇପାରିଲେ ଗାଁର ଗୌରବ ବୃଦ୍ଧି ପାଇବ । ଗାଁ ଝିଅଟାକୁ ଯଦି ଭଲ ବରପାତ୍ରଟିଏ ମିଳିଗଲା ତେବେ କ୍ଷତି କ’ଣ? ପଡୋଶୀ ଘରର ରୋଜଗାରିଆ ପିଲାଟା ଯଦି ଭଲ ଘର ଖଣ୍ଡେ ତୋଳିଲା କିମ୍ବା ଦାମୀ ଗାଡିଟିଏ ଚଢିଲା ତେବେ ସେଥିରେ କିଏବା ଖୁସି ନହେବ କାହିଁକି? ନିଜ ଦକ୍ଷତା ଓ ପରିଶ୍ରମରେ କିଏ ଯଦି ଆଗକୁ ଯାଇପାରିଲା ତେବେ ଏହା ତ ଆନନ୍ଦର କଥା ।
ଏଭଳି ସକାରାତ୍ମକ ଦୃଷ୍ଟିଭଙ୍ଗୀ ରହିଥିଲା ମଣିଷ ପ୍ରତି ମଣିଷର । ତେଣୁ କରି ଏକ ସୁସ୍ଥ ଓ ଶୃଙ୍ଗଳିତ ବାତାବରଣ ଭିତରେ ମଣିଷ ବେଶ ହସଖୁସିରେ ଜୀବନ ଅତିବାହିତ କରୁଥିଲା । ହେଲେ ସମୟ ବଦଳିବା ସହିତ ଆଜି ବଦଳି ଯାଇଛି ମଣିଷର ଦୃଷ୍ଟି ଭଙ୍ଗୀ । କେବେ କେମିତି ଯଦି କାହା କଥା କାହାକୁ ପଚାରି ଦେଲେ ତେବେ ତାଙ୍କ ସଂପର୍କରେ କେବଳ ଗୁଡିଏ ବିରୋଧାତ୍ମକ କଥା ହିଁ ଶୁଣିବାକୁ ମିଳିବ । ଅନ୍ୟର ପ୍ରଶଂସା ବଦଳରେ ନିନ୍ଦା ଆଉ ଅପବାଦ ଶୁଣିବାକୁ ପଡିବ । ଆଜିକାଲି ଅନ୍ୟର ଭଲ ଗୁଣକୁ ତ କେହି କେବେ କହିବାର ଶୁଣିବାକୁ ମିଳେନି ବରଂ ତାଙ୍କ ଦୋଷ ଦୁର୍ବଳତାକୁ ଅନ୍ୟ ଆଗରେ ବେଶ ରୋଚକ ଡଙ୍ଗରେ ଉପସ୍ଥାପନ କରି ଅନେକ ଲୋକ ଖୁସିି ଅନୁଭବ କରନ୍ତି ଯେମିତି ।
ବ୍ୟକ୍ତିଗତ ହେଉ କି ପାରିବାରିକ ଜୀବନ କିମ୍ବା ସାମାଜିକ ଜୀବନରେ ଆମେ କେବଳ ଆମର ଅହଂକାର ଓ ବଡପଣକୁ ଜାହିର କରିବାକୁ ଯାଇ ଅନ୍ୟକୁ ଅତି ନୁ୍ୟନ ଚକ୍ଷୁରେ ଦେଖିଥାଉ । କାହା ଆଗରେ ଅନ୍ୟର ଭଲ କିମ୍ବା ପ୍ରଶଂସା କହିଲେ କାଳେ ଆମେ ଛୋଟ ହୋଇଯିବା ଏହି ଭୟରେ ଘାରି ହେଉଛନ୍ତି ସମସ୍ତେ । ଯେଉଁଥିପାଇଁ ପରିବାର ଭିତରେ ହେଉ କିମ୍ବା ପଡୋଶୀ ଘରର ଲୋକ ହୁଅନ୍ତୁ କାହା ପ୍ରତି ଆମ ମନରେ ଗୋଟେ ଭଲ ଆଭିମୁଖ୍ୟ ରହୁନାହିଁ । ଆଜି ଅଧିକାଂଶ ପରିବାରରେ କାହାରି ମନ କାହାକୁ ପାଉନାହିଁ । ପ୍ରାୟ ସମୟରେ ଏହିସବୁ ପରିବାରରେ ଅଶାନ୍ତି ଓ ବିଶୃଙ୍ଖଳା ଲାଗି ରହୁଛି ।
ଧନୀ ଗରିବ ଓ ଶିକ୍ଷିତ ଅଶିକ୍ଷିତ ନିର୍ବିଶେଷରେ ସବୁରି ପରିବାରରେ ଆଜି ଏହି ଅବସ୍ଥା ଦୃଷ୍ଟିଗୋଚର ହେଉଛି । ଯୌଥ ପରିବାର ଠାରୁ ଆରମ୍ଭ କରି ପୁଣି ଏକକ ପରିବାର ଯାଏଁ ସବୁଠି ଯେମିତି କିଛି ଅଭାବ ରହିଗଲା ଭଳି ଲାଗୁଛି । ପରିବାର ଭିତରେ ଗୋଟିଏ ଛାତ ତଳେ ରହୁଥିବା ଓ ଏକା ଅନ୍ନରେ ପ୍ରତିପାଳିତ ହେଉଥିବା ପିତା-ମାତାଙ୍କ ପ୍ରତି ପୁଅ/ଝିଅଙ୍କର, ଭାଇ/ଭଉଣୀଙ୍କ ପ୍ରତି ଭାଇର, ସ୍ୱାମୀ ପ୍ରତି ସ୍ତ୍ରୀର ଅଥବା ଶଶୁର-ଶାଶୂଙ୍କ ପ୍ରତି ବୋହୂର ଦୃଷ୍ଟି ଭଙ୍ଗୀ ଆଜି ଯେମିତି ବଦଳି ଗଲା ଭଳି ଲାଗୁଛି । ପରିଣାମ ସ୍ୱରୂପ ପାରିବାରିକ ସୁସଂପର୍କ କ୍ଷୁର୍ଣ୍ଣ ହେବା ସହିତ ପରିବାରର ସୁଖଶାନ୍ତି ବି ବ୍ୟାହତ ହେଉଛି ।
ପରିବାରରେ ପାରସ୍ପରିକ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ବଜାୟ ରହୁନଥିବାରୁ ସମସ୍ତେ ଗୋଟିଏ ଛାତ ତଳେ ମୁଣ୍ଡ ଗୁଞ୍ଜିଛନ୍ତି ସତ ହେଲେ ପରସ୍ପର ଲାଗି ସତେ ଯେମିତି ଅଚିହ୍ନା ଓ ଅପରିଚିତ ଭଳି ମନେ ହେଉଛନ୍ତି । ସାମାଜିକ କ୍ଷେତ୍ରରେ ବି ସେହି ସମାନ ଅବସ୍ଥା । ଜଣେ କବି , ଲେଖକ, କଳାକାର, ଶିକ୍ଷକ, ଡାକ୍ତର, ଓକିଲ, ଖେଳାଳି, ରାଜନେତା କି ସମାଜସେବୀ ହୁଅନ୍ତୁ ସେମାନଙ୍କୁ ଯଦି ଅନ୍ୟ ଜଣେ ସମଧର୍ମୀ ବ୍ୟକ୍ତିଙ୍କ ସଂପର୍କରେ ପଚାରିବେ ତେବେ ଉତ୍ତର ନକାରାତ୍ମକ ହିଁ ମିଳିବ ଏଥିରେ ସନେ୍ଦହ ନାହିଁ ।
ସେ ଶାସକ ହୁଅନ୍ତୁ ଅବା ପ୍ରଶାସକ ହୁଅନ୍ତୁ ସମସ୍ତେ ତ ଖରାପ ସ୍ୱଭାବର ନୁହଁନ୍ତି କିନ୍ତୁ ସମସ୍ତଙ୍କୁ ଗୋଟିଏ ଖାତାରେ ନେବା କ’ଣ ଉଚିତ ହେବ କି? କହିବା ବାହୁଲ୍ୟ ଯେ, ମନରେ ଏକ ଖରାପ ଦୃଷ୍ଟିଭଙ୍ଗୀ ନେଇ ଦେଖିଲେ ସମସ୍ତେ ଖରାପ ଓ ଭଲ ଦୃଷ୍ଟିଭଙ୍ଗୀ ନେଇ ଦେଖିଲେ ସମସ୍ତେ ଭଲ ହିଁ ପ୍ରତୀୟମାନ ହେବେ । ତେବେ ଆଉ କେତେଦିନ ଏମିତି ନକାରାତ୍ମକ ଦୃଷ୍ଟିଭଙ୍ଗୀ ନେଇ ଅନ୍ୟର ନିନ୍ଦା ଓ କୁତ୍ସାରଟନା କରୁଥିବା । ବରଂ ଭଲ ହେବ ଦୁନିଆକୁ ଏକ ସକାରାତ୍ମକ ଦୃଷ୍ଟିଭଙ୍ଗୀରେ ଦେଖିବାକୁ ମାନସିକ ଭାବେ ପ୍ରସ୍ତୁତ ହେବା । ଚାଲନ୍ତୁ ଆମ ଦୃଷ୍ଟିଭଙ୍ଗୀକୁ ବଦଳାଇ ଦେବାକୁ ସାଧ୍ୟମତେ ପ୍ରୟାସ କରିବା ।