ରାୟଗଡା (Rabindra Patkhandal) -ରାୟଗଡାର ଲାଇଫ ଲାଇନ କୁହାଯାଉଥିବା ଓଭର ବ୍ରିଜର ସ୍ଥିତି ଅତି ଦୟନୀୟ ହୋଇପଡିଲାଣି ଜିଲ୍ଲା ପାଇଁ ବିପଦ ପ୍ରତି ଦିନ ଦୁର୍ଘଟଣା ହେଉଥିବା ବେଳେ ହଜାରେରୁ ଉର୍ଦ୍ଧ ଖାଲ ଖମାମ ହୋଇଛି । ତେଣୁ ଓଭର ବ୍ରିଜରେ କେବଳ ଦୁଇ ଚକିଆ ଯାନ ବାହାନ ଚଳା କରାଯାଉ ଏବଂ ଭାରିଯାନ ଗୁଡିକ ନୂତନ ଭାବେ ନିର୍ମାଣ ହୋଇଥିବା ଏଫସିଆଇ ଛକରୁ ସିରିକୋଣା ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ବାଇପାସ ରାସ୍ତାରେ ଚଳାଚଳ କରିବା ପାଇଁ ଦାବୀ କରିଛି ଯୁବ ବିକାଶ ପରିଷଦ ।
ଏ ନେଇ ଆଜି ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାସ ରାୟଗଡା ଅତିରିକ୍ତ ଜିଲ୍ଲାପାଳଙ୍କ ସହ ସାକ୍ଷାତ କରି ଏକ ଦାବୀ ପତ୍ର ଦେବା ସହ ଓଭର ବ୍ରିଜର ଦୟନୀୟ ସ୍ଥିତି ସଂପର୍କରେ ଆଲୋଚନା କରିଥିଲେ । ମରାମତି ନାମରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଦିନକୁ ଦିନ ଓଭରବ୍ରିଜର ସ୍ଥିତି ଦୟନୀୟ ହେବାକୁ ଲାଗିଛି । ସ୍ଥାୟୀ ମରାମତି ପାଇଁ ଜାତୀୟ ରାଜପଥ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ଶ୍ରୀଦାସ ।
ଯଦି ସମୟ ଥାଉଣୁ ଭାରିଯାନ ଗୁଡିକୁ ଓଭରବ୍ରିଜ ଉପରେ ଚଳାଚଳ ବନ୍ଦ ନ କରାଯାଏ ତା ହେଲେ ସହରବାସୀଙ୍କ ଜୀବନପ୍ରତି ବିପଦ ଆସିପାରେ । ତେଣୁ ବିକଳ୍ପ ବ୍ୟବସ୍ଥା ସ୍ୱରୁପ ଏଫସିଆଇ ଛକ ଠାରୁ ସିରିକୋଣା ପର୍ଯ୍ୟନ୍ତ ନୂତନ ଭାବେ ନିର୍ମାଣ ହୋଇଥିବା ବାଇପାସ୍ ରାସ୍ତାରେ ଭାରିଯାନ ଚଳାଚଳ କରିବା ସହ କେବଳ ଦୁଇ ଚକିଆ ଯାନ ଗୁକି ଓଭରବ୍ରିଜ ଉପରେ ଚଳାଚଳ କରିବା ପାଇଁ ବ୍ୟବସ୍ଥା କରିବା ପାଇଁ ଯୁବ ବିକାଶ ପରିଷଦ ଅନୁରୋଧ କରିଛି । ଯଦି ଆଗାମୀ ୧୫ ଦିନ ମଧ୍ୟରେ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ ନ କରାଗଲେ ସହରବାସୀଙ୍କ ସୁରକ୍ଷା ପାଇଁ ପ୍ରତିକାରତ୍ମକ ପନ୍ଥା ଅବଲମ୍ବନ କରିବା ପାଇଁ ବାଧ୍ୟ ହେବୁ ବୋଲି ଯୁବ ବିକାଶ ପରିଷଦ ତରଫରୁ ଚେତାବନୀ ଦିଆଯାଇଛି ।