ସୋର-୨୪/୦୯ -ଆମେରିକା, ଇଟାଲୀ, ଫ୍ରାନ୍ସ, ବ୍ରାଜିଲ,ରୁଷିୟା ଭଳି ଦେଶରେ କରୋନା ଜନିତ ଭୟଙ୍କର ମୃତୁ୍ୟ ସଂଖ୍ୟାକୁ ଦେଖି ଭାରତ ତଥା ଓଡ଼ିଶାରେ କବାଟ କିଳି ବାଲକୋନୀରେ ଥାଳି ପିଟି ଚାପଡ଼ା ମାରୁଥିବା ସରକାର ନିଜଦେଶରେ ମୃତୁ୍ୟର ବିଭୀଷିକାରେ ଭୟଭୀତ ନହୋଇ ବେପରୁଆ ଭାବେ କରୋନା ସହିତ ଲଢ଼େଇ ପାଇଁ ଲୋକଙ୍କୁ ଛାଡ଼ି ଦିଆଯାଇଥିବା ବୁଦ୍ଧଜୀବୀ ମହଲରେ ଚିନ୍ତାରକାରଣ ପାଲଟିଛି । ବିଶେଷକରି ସୋର ଭଳି ଏକ ଛୋଟିଆ ସହରରେ ପ୍ରତିଦିନ ରାତି ପାହିବା ମାତ୍ରେ ଏକାଧିକ ଲୋକଙ୍କର ଲୋମଟାଙ୍କୁରା ମୃତୁ୍ୟ ଖବର ଲୋକଲୋଚନକୁ ଆସିଯାଉଥିବା ବେଳେ ଅନେକ ଏହିଭଳି ବିଭତ୍ସ ମୃତୁ୍ୟ ଖବର ଆଢ଼ୁଆଳରେ ରହିଯାଉଥିବା ଦେଖିବାକୁ ମିଳୁଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅର୍ଥନୀତିକୁ ଅଧାର କରି ଲୋକମାନଙ୍କ ଉପରୁ ସମସ୍ତ ପ୍ରକାର କଟକଣା ହଟାଇ ନିଆଯାଇଥିବା ବେଳେ ବେପରୁଆମାନେ ମନଇଚ୍ଛା ଲଗାମଛଡ଼ା ଚଳପ୍ରଚଳ ଯୋଗୁଁ ଏବେ ଗୋଷ୍ଠୀ ସଂକ୍ରମଣରେ ପରିଣତ ହେବାରେ ଲାଗିଛି ।
ବିଶେଷ କରି ସଂକ୍ରମଣର କେନ୍ଦ୍ର ସ୍ଥଳୀ ମଦ ଦୋକାନଙ୍କୁ ରାତି ୧୦ଟା ଯାଏଁ ଖୋଲାଯିବା ପାଇଁ ଅଧ୍ୟାଦେଶ ଜାରି କରାଯାଇଥିବା ବେଳେ ହୋଟେଲ ଡାବାମାନଙ୍କରେ ବେପରୁଆ ମଦ କାରବାର ଚାଲିବାରୁ ବିନା ବାଧାରେ ସଂକ୍ରମଣ ବଢ଼ିବାରେ ଲାଗିଛି । ସେହିପରି ଡାକ୍ତରଖାନାମାନଙ୍କରେ କରୋନା ରୋଗୀମାନଙ୍କୁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ନଥିବା ବେଳେ ସାଧାରଣ ଲୋକ ସରକାରୀ ଚିକିତ୍ସା ସୁଯୋଗ ପାଇବା ବେଳକୁ ମରିଯାଉଛନ୍ତି । ଯେଉଁ କେତେକ ବେସରକାରୀ ଡାକ୍ତରଖାନା ରହିଛି ସେଠାରେ କରୋନା ନାମରେ ଯେକୌଣସି ରୋଗୀଙ୍କୁ ମନ ଇଚ୍ଛା ଶୋଷଣ କରିବାରେ ଲାଗି ପଡ଼ିଛନ୍ତି । ଗଲା ଗୋଟିଏ ସପ୍ତାହ ଭିତରେ ସମଗ୍ର ସୋରରେ ମୋଟ ସଂକ୍ରମଣ ସଂଖ୍ୟା ୧ ହଜାରମୁହାଁ ହେଉଥିବା ବେଳେ ମୃତୁ୍ୟ ସଂଖ୍ୟା ବେସରକାରୀ ଭାବେ ୧୦୦କୁ ଟପିସାରିଲାଣି । ସରକାରୀ ଭାବେ ଏହିସବୁ ମୃତୁ୍ୟକୁ ଅନ୍ୟାନ୍ୟ କାରଣରୁ ହେଉଥିବା ଦର୍ଶାଯାଉଛି । ଆଗାମୀ ଦିନରେ ଏ ପରିସ୍ଥିତି ଆହୁରି ଭୟଙ୍କର ହେବାର ସମ୍ଭାବନାଥିବାରୁ ଏହାର ମୁକାବିଲା ପାଇଁ ଲୋକଚଳାଚଳ, ଯାତାୟତ, ବ୍ୟବସାୟ, ବାଣିଜ୍ୟ ଉପରେ ପୁନଃ ଆଂଶିକ କଟକଣା ଲାଗାଇବା ସପକ୍ଷରେ ସୋରର ବହୁ ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।