ଡ୍ରାଇଭରଙ୍କୁ ବାନ୍ଧି ଡିକିରେ ପୁରାଇ କାର ଲୁଟ ଯୋଜନା ; ପର୍ଦ୍ଦା ଫାସ କଲା ପଟ୍ଟାମୁଣ୍ଡାଇ ପୋଲିସ , ୩ ଲୁଟେରା କୋର୍ଟ ଚାଲାଣ, ୨ ବାଇକ, ବନ୍ଧୁକ, ୩ ମୋବାଇଲ ଓ ୬ ହଜାର ଟଙ୍କା ଜବତ
ପଟ୍ଟାମୁଣ୍ଡାଇ ତା୨୪.୯- ଅପରାଧର ମୂଳପୋଛ କରିବା ପାଇଁ ଅପରାଧିଙ୍କୁ ଧରିବାକୁ ପୋଲିସ ଦିନକୁ ଦିନ ନୂଆ କୌଶଳ ଆପଣାଉଥିବାବେଳେ ଅପରାଧିମାନେ ମଧ୍ୟ ଅପରାଧ ଘଟାଇବା ପାଇଁ ଭିନ୍ନ କୌଶଳ ଆପଣାଇ ପୋଲିସକୁ ଚକମା ଦେଇ ଅପରାଧ ଘଟାଇ ଚାଲିଛନ୍ତି । ଯାହାର ଝଲକ ଦେଖିବାକୁ ମିଳିଛି ପଟ୍ଟାମୁଣ୍ଡାଇଥାନା ଅଚଂଳରେ । ଗତକାଲି ଭୂବନେଶ୍ୱରରୁ କାର ଭଡା କରି ଆସୁଥିବା ୪ ଜଣ ଅପରାଧି ଡ୍ରାଇଭରକୁ ବାନ୍ଧି ଡିକିରେ ପକାଇ କାର ଲୁଟ ଭଳି ଜଘନ୍ୟ ଅପରାଧର ଆଜି ପର୍ଦ୍ଦା ଫାସ କରିଛି ପଟ୍ଟାମୁଣ୍ଡାଇ ପୋଲିସ । ଆଜି ମଧ୍ୟାହ୍ନରେ ପଟ୍ଟାମୁଣ୍ଡାଇ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଥି ନେଇ ସବିଶେଷ ତଥ୍ୟ ଦେଇଛନ୍ତି କେନ୍ଦ୍ରାପଡା ଏସପି ନୀତିଶେଖର ।
ଏସପି କହିଛନ୍ତି ଯେ ପଟ୍ଟାମୁଣ୍ଡାଇ ଥାନା ଡାମରପୁର ବାଲିପାଟଣା ଗ୍ରାମର ଗୁନୁରି ଓରଫ ପରେଶ ପରିଡା (୨୮), କୁଲୁ ଓରଫ ବିଶ୍ୱଜିତ ବଳ (୨୧) ଏବଂ ରାଜନଗର ଥାନା ଗଳିଦଣ୍ଡା ଗ୍ରାମର ଦିପୁ ଓରଫ ଦୀପକ ଓରଫ ତ୍ରିଲୋଚନ ସାମନ୍ତରାୟ (୨୬) ଓ ତାଙ୍କର ଅନ୍ୟ ଜଣେ ସହଯୋଗୀ ବାଇକ ଯୋଗେ ଭୂବନେଶ୍ୱର ଯାଇଥିଲେ । ସେଠାରେ କାର ଲୁଟ ଯୋଜନା କରି ଏକ ଭଡା କାର ଡାକିଥିଲେ । ଭୂବନେଶ୍ବର ଲକ୍ଷ୍ମୀସାଗର ଅଚଂଳର ମାଲିକଙ୍କ ମାରୁତି ସୁଇପ୍ଟ ଡିଜାର କାର ନଂ.- ଓଡି ୩୩ ଏକ୍ସ ୧୦୬୮କୁ ଚଳାଉ ଥିବା ପୁରୀ ଜିଲ୍ଲା ପିପିଲି ଥାନା ଗୁରୁଡି ପୋଖରୀ ଗ୍ରାମର ଅଜୟ ନାୟକଙ୍କ ସହିତ ରାଜନଗର ଯିବା ପାଇଁ ଭଡା ଛିଡାଇ ଭୂବନେଶ୍ୱରରୁ ରାଜନଗର ବାହାରିଥିଲେ । ୪ଜଣ ଯାକ ଡ୍ରାଇଭରଙ୍କୁ ଧରି କଟକ-ଚାନ୍ଦବାଲି ରାସ୍ତାରେ ରାଜନଗର ଯାଉଥିବାବେଳେ ସାଲେପୁର-ନିଶ୍ଚିନ୍ତକୋଇଲି ମଝିରେ ନିଛାଟିଆ ରାସ୍ତାରେ ଡ୍ରାଇଭରକୁ ଗାଡି ସ୍ଲୋ କରିବା ପାଇଁ କହିଥିଲେ । ଡ୍ରାଇଭର ଗାଡି ସ୍ଲୋ କରିବା ପରେ ଅଭିଯୁକ୍ତମାନେ ତା ମୁଣ୍ଡରେ ବନ୍ଧୁକ ଲଗାଇ ବୟଭୀତ କରିବା ସହିତ ତାର ହାତଗୋଡ ବାନ୍ଧି କାର ଡିକି ମଧ୍ୟରେ ଫିଙ୍ଗି ଦେଇଥିଲେ । କାରରେ ଲାଗିଥିବା ନମ୍ବର ପ୍ଲେଟକୁ ଅଭିଯୁକ୍ତମାନେ ଖୋଲି ଦେଇଥିଲେ । ଅଭିଯୁକ୍ତମାନେ ଡ୍ରାଇଭର ଅଜୟଙ୍କୁ ରାଜନଗରକୁ ନେଇ କୁମ୍ଭୀରିଆ ନଦୀ ମଧ୍ୟକୁ ଫିଙ୍ଗି ଦେବାର ଯୋଜନା କରିଥିଲେ ।
ଏହାପରେ ଅଭିଯୁକ୍ତମାନେ କାର ଚଳାଇ ରାଜନଗର ଅଭିମୁଖେ ଯାଉଥିବାବେଳେ ପଟ୍ଟାମୁଣ୍ଡାଇ ଥାନା ନିକଟ ରାସ୍ତାରେ ଟ୍ରାଫିକ ଜାମ ଯୋଗୁଁ କିଛି ସମୟ କାରଟି ଅଟକି ଯାଇଥିଲା । ଏହି ସମୟରେ ହାତଗୋଡ ବନ୍ଧା ହୋଇ କାର ଡିକିରେ ପଡି ରହିଥିବା ଡ୍ରାଇଭର ଅଜୟ କୌଶଳ କରି କୌଣସି ପ୍ରକାର କାର ମଧ୍ୟରୁ ପଦାକୁ ବାହାରି ଆସିଥିଲେ । ଏହା ଦେଖି ଅଭିଯୁକ୍ତମାନେ ତତକ୍ଷଣାତ କାରରୁ ଓହ୍ଲାଇ ଅଜୟଙ୍କୁ ପୁନର୍ବାର କାର ମଧ୍ୟକୁ ନେବାକୁ ଜୋରଜବରଦସ୍ତ କରିବାବେଳେ ସେ ଚିକôାର କରିବାରୁ ଘଟଣାସ୍ଥଳରେ ଲୋକମାନେ ଜମି ଯାଇଥିଲେ । ଏହା ଦେଖି ଅଭିଯୁକ୍ତମାନେ ପଟ୍ଟାମୁଣ୍ଡାଇ ବଜାର ପାର କରି ବଙ୍ଗାଳିଦିଆ ଅଭିମୁଖେ ଦୌଡି ପଳାଇ ଥିଲେ ।
ଖବର ପାଇ ପଟ୍ଟାମୁଣ୍ଡାଇ ଆଇଆଇସି ରାକେଶ ତ୍ରିପାଠୀ ପୋଲିସ ବାହିନୀ ସହିତ ଅପରାଧୀଙ୍କ ପିଛା କରି ବଙ୍ଗାଳିଦିଆ ଖରିବଣକୁ ଯାଇ ସ୍ଥାନୀୟ ଲୋକଙ୍କ ସହାୟତାରେ ଖୋଜାଖୋଜି କରିବା ପରେ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଡ୍ରାଇଭର ଅଜୟ ନାୟକଙ୍କ ଏତଲାକୁ ଭିତି କରି ସ୍ଥାନୀୟ ପୋଲିସ ଥାନା କେସ ନଂ- ୩୬୦/୨୦୨୦ରେ ଭାରତୀୟ ପିଙ୍ଗଳକୋର୍ଡ ଦଫା ୩୬୪(ଏ), ୩୯୪ ଏବଂ ୨୫ ଆର୍ମ ଆକ୍ଟ ବଳରେ ମୋକଦ୍ଦମା ରୁଜୁ କରି ୨ଟି ବାଇକ, ୩ଟି ମୋବାଇଲ, ବନ୍ଧୁକ ଓ ନଗଦ ୬ ହଜାର ଟଙ୍କା ଜବତ କରିଛି ବୋଲି ଏସ.ପି ସୂଚନା ଦେଇଥିଲେ । ଏହି ମାମଲାରେ ପୋଲିସ ନିକଟରୁ କୌଶଳକ୍ରମେ ଫେରାର ହୋଇଯାଇଥିବା ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଖୁବଶିଘ୍ର ଗିରଫକରାଯିବ ବୋଲି ଏସ.ପି ପ୍ରକାଶ କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ପଟ୍ଟାମୁଣ୍ଡାଇ ଏସଡିପିଓ ରଞନ କୁମାର ଦେ, ଆଇଆଇସି ରାକେଶ କୁମାର ତ୍ରିପାଠିଙ୍କ ସମେତ ପ୍ରମୁଖ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ । ଆସାମୀମାନଙ୍କୁ ମଧ୍ୟାହ୍ନରେ କୋର୍ଟ ଚାଲାଣ କରାଯାଇଥିବାବେଳେ ସେମାନଙ୍କୁ ବାରିମୂଳ ଜେଲ ହାଜତକୁ ପଠାଇ ଦିଆଯାଇଛି । ଏହି ଘଟଣା ସମଗ୍ର ପଟ୍ଟାମୁଣ୍ଡାଇ ଅଚଂଳରେ ଚାଚଂଲ୍ୟ ସୃଷ୍ଟି କରିଛି ।