ତାଳଚେର ତା ୨୪/୦୯ ଶିଳ୍ପ ସମୃଦ୍ଧ ତାଳଚେର ସହର ମଧ୍ୟରେ ରହିଥିବା ପ୍ରସସ୍ତ ଅଂଚଳକୁ ନେଇ ରାଣୀପାର୍କର ପୁନରଉଦ୍ଧାର କରିବା ପାଇଁ ବିଭିନ୍ନ ମହଲରୁ ଦାବୀ ହେବାପରେ ଅନୁଗୋଳ ଜିଲ୍ଳାପାଳ ଆଜି ଆସି ରାଣୀପାର୍କ ଅଂଚଳ ବୁଲି ଦେଖିବା ସହ ଏହାର ଉନ୍ନତି କରଣ କରାଯିବା ପାଇଁ ମତବ୍ୟକ୍ତ କରିଛନ୍ତି ।
ତାଳଚେର ସହର ମଧ୍ୟରେ ଲାଗି ରହିଥିବା ୭୧୪ ଏକର ପରିମିତ ଅଂଚଳରେ ରାଣୀପାର୍କ ଅବସ୍ଥିତ । ପ୍ରାୟ ୧କୋଟି ଅର୍ଥ ବିନିଯୋଗରେ ତାଳଚେର ବନବିଭାଗ ପକ୍ଷରୁ ହଜାର ହଜାର ସଂଖ୍ୟକ ବୃକ୍ଷରୋପଣ କରାଯାଇ ଏବେ ଏହା ଏକ ଅଭାୟାରଣ୍ୟରେ ପରିଣତ ହୋଇଛି । ପୂର୍ବେ ଏହି ଅଂଚଳକୁ ନେଇ ଏକ ମିନି ନନ୍ଦନ କାନନ କରିବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁବାବୁ ପରିକଳ୍ପନା କରିଥିଲେ । ଏହି ପରିକଳ୍ପନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଅନୁଷ୍ଠାନ, ସାମ୍ବାଦିକ ସଂଘ ଇତ୍ୟାଦି ପକ୍ଷରୁ ଦାବୀ ହୋଇ ଆସୁଥିଲା ।
ପୁନଃଶ୍ଚ ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ଲୋକପ୍ରତିନିଧି ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଅନୁଗୋଳ ଜିଲ୍ଳାରେ ନୁତନଭାବେ ଯୋଗଦେଇଥିବା ଜିଲା୍ଳପାାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ସାକ୍ଷାତ କରି ଏହାର ଅଭିଯୋଗ କରିଥିଲେ । ଫଳରେ ଜିଲ୍ଳାପାଳ ଶ୍ରୀ ସ୍ୱାଇଁ, ଏଡ଼ିଏମ୍ ତପନ ଶତପଥି ଆଜି ମଧ୍ୟାହ୍ନ ସମୟରେ ରାଣୀପାର୍କ ଅଂଚଳକୁ ଆସି ବୁଲି ଦେଖିଥିଲେ । ତାଳଚେର ଉପଜିଲ୍ଲାପାଳ ରଜନୀ କାନ୍ତ ସିଂହ, ତାଳଚେର ତହସିଲଦାର ଗୌରୀ ନାୟକ, ତାଳଚେର ନିର୍ବାହି ଅଧିକାରିଣୀ ଅତସୀ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।