ଯାଜ୍ଞସେନୀ ସାହୁ : ଶିଶୁଟିଏ ଜନ୍ମ ହେବାପରେ ନିଜ ପରିବାର ହିଁ ତାର ପ୍ରଥମ ସମାଜ ଓ ପିତାମାତା ହିଁ ତାର ପ୍ରଥମ ଶିକ୍ଷାଦାତା ଶିକ୍ଷାଦାତ୍ରୀର ଭୂମିକା ତୁଲାଇଥାନ୍ତି ।ସାମାଜିକୀକରଣରେ ଆନୁବଂଶିକତା ଓ ପାରିସ୍ଥିତିକ ବାତାବରଣର ମିଳିତ ପ୍ରଭାବ ରହେ। କିନ୍ତୁ ପରିବେଶଗତ (ଦ୍ୱିତୀୟକ) ସାମାଜିକୀକରଣ ଶିଶୁ ବିକାଶରେ ଗୌଣ ହୋଇଥିବା ବେଳେ ପ୍ରାଥମିକ ସାମାଜିକୀକରଣ ତଥା ପରିବାରକୁ ମୁଖ୍ୟ ରୂପେ ନିଆଯାଏ। ଏହା ବିକାଶର ଏକ ମୂଳଦୁଆ କହିଲେ ଅତ୍ୟୁକ୍ତି ହେବନାହିଁ ।ଠିକ୍ ଯେମିତି ବିରାଟକାୟ ଗଛ ମୂଳରେ ଶକ୍ତ ଦୃଢ ଚେରର ଭୂମିକା।ତେଣୁ ଶୈଶବାବସ୍ଥାରୁ ଶିଶୁଟିର ପାଳନପୋଷଣରେ ସ୍ୱଚ୍ଛତା ହିଁ ତାକୁ ବିକାଶ ଅଭିମୁଖେ ଅଗ୍ରସର କରାଇପାରିବ।ତେବେ ନାରୀ ବିକାଶର ଡିଣ୍ଡିମ ପିଟୁଥିବା ତଥା ନାରୀକୁ ସମାଜର ମୁଖ୍ୟସ୍ରୋତରେ ଅବତରିତ କରାଇବା ପଛରେ ଗୁଡ୍ ପ୍ୟାରେଣ୍ଟିଙ୍ଗ୍ ର ଆବଶ୍ୟକତା ଓ ଭୂମିକାରେ ଅଭାବ ରହିଯାଇନି ତ ?
ନାରୀବିକାଶ ପାଇଁ ଆମେ ପ୍ରତିବଦ୍ଧ ହେଉଥିବା ବେଳେ କିଛି ପାରିବାରିକ ଚଳଣି ଓ ନୀଚ୍ଚ ମାନସିକତା ଶିଶୁକନ୍ୟାଟି ଜନ୍ମ ହେବା ବେଳରୁ ହିଁ ସେଥିରେ ପ୍ରତିବନ୍ଧକ ଜାତ କରାଏ। ପରିବାର ଯୋଜନାକୁ ସୀମିତ କରାଯାଉଥିବା ବେଳେ କିଛି ଦମ୍ପତି ପୁତ୍ର ସନ୍ତାନ ଆଳରେ ପରିବାର ବୃଦ୍ଧି କରିଚାଲନ୍ତି।ଦୁଇ ବା ତତୋଧିକ କନ୍ୟାସନ୍ତାନ ପରେ ପୁତ୍ରସନ୍ତାନଟି ଆସିବା କ୍ଷଣି ଲାଳନପାଳନରେ ଭେଦଭାବ ସହ ଆର୍ଥିକ ସ୍ଥିତି କାରଣରୁ ସେମାନେ କୁପୋଷଣର ଶିକାର ହୁଅନ୍ତି ।ତେବେ ମୂଳକଥାଟି ହେଲା, ପୁତ୍ରସନ୍ତାନ ଆଶାରେ ପରିବାରରେ ଚାଲୁଥିବା ଆଳାପ ଆଲୋଚନା,ପୂଜା ମାନସିକ ପରି ଅଦମ୍ୟ ଚେଷ୍ଟା ଆଦି ସଂସ୍ପର୍ଶରେ ଆସି କନ୍ୟାସନ୍ତାନଟିର ଆଦ୍ୟାବସ୍ଥାରୁ ନିଜପ୍ରତି ଅନାବଶ୍ୟକତା ଓ ହେୟ ମନୋଭାବ ଆସିବା ଅସମ୍ଭବ ନୁହେଁ ।ନାରୀର ନିଜକୁ ନିକୃଷ୍ଟ ରୂପେ ଆତ୍ମବୋଧ ହେବାର ଏ ହେଉଛି ପରିବାରର ପ୍ରଥମ ଭୁଲ।
କନ୍ୟାଟିର ପାଳନପୋଷଣରେ (ଗୁଡ୍ ପ୍ୟାରେଣ୍ଟିଙ୍ଗ୍ )ଶୈଶବାବସ୍ଥାରୁ ହିଁ ସଠିକ୍ ସଂଚରଣ ଆଣିବା ଉଚିତ୍। ଛୋଟବେଳୁ ଘରେ ଏପରି ଏକ ବାୟୁମଣ୍ଡଳ ତିଆରି କରିନେବା ଦରକାର ଯେପରି ବାପା ମାଆ ଅଥବା ସମାଜ ଦ୍ଵାରା ଝିଅଟି ଲିଙ୍ଗଗତ ଅସମାନତାର ଶିକାର ହେବନାହିଁ । ପ୍ରଥମତଃ, ଯେମିତି ଆମେ ଦେଖୁ ପିଲାଟି ବେଳୁ ଝିଅଟିକୁ ଗୃହକାର୍ଯ୍ଯରେ ଅଭ୍ୟସ୍ତ କରାଯାଇଥାଏ ପୁଅଟିଏ ପ୍ରତି ସେସବୁ କମ୍ ଦୃଷ୍ଟିଗୋଚର ହୁଏ।ରୋଷେଇବାସ, ବାସନମଜା, ଲୁଗାସଫା, ଘରସଜ୍ଜା ଆଦି କାମ ଝିଅମାନଙ୍କ ପାଇଁ ଅଧିକ ପ୍ରାଥମିକତା ଦିଆଯିବା ବେଳେ ଅପରପକ୍ଷରେ ପୁଅଟିକୁ ସେପରି ଶିକ୍ଷା ଦିଆଯାଇନଥାଏ।ବେଳେ ବେଳେ ଘରର ପୁଅଟିକୁ ହାତପାହାନ୍ତାରେ ଖାଦ୍ୟପେୟ, ପୋଷାକପତ୍ର ଓ ଅନ୍ୟାନ୍ୟ ଜରୁରୀ ଜିନିଷ ଆଦି ଯୋଗାଇଦେବାକୁ ଝିଅଟିକୁ ହିଁ ନିର୍ଦ୍ଦେଶ ଦିଆଯାଇଥାଏ।ଏହାଦ୍ବାରା ଝିଅଟି ପର୍ଯ୍ୟାପ୍ତ ସମୟ ନିଜ ପଢାପଢିରେ ଦେଇ ନ ପାରିବା ସହ ପୁଅଟିଏ ତାର କର୍ତ୍ତବ୍ୟ ଓ ଦାୟିତ୍ୱ ପ୍ରତି ଲଗାମଛଡା ହେଇଯାଏ ଓ ନାରୀ ଅବସ୍ଥିତିର ସାମାନ୍ୟତା ପ୍ରତି କୁଧାରଣା ସୃଷ୍ଟି ହୁଏ।ଠିକ୍ ଏହି ଚଳଣିରେ ଘରର ବାପାଟିଏ ମଧ୍ୟ ଛୋଟରୁ ଛୋଟ ଜିନିଷରେ ମାଆପ୍ରତି ନିର୍ଭରଶୀଳ ରହିବା ଦ୍ଵାରା ଏକ ପୁରୁଷପ୍ରାଧାନ୍ୟ ସମାଜର ବୀଜ ଘରୁ ଅଙ୍କୁରିତ ହୋଇଚାଲେ।କଠୋର ଅନୁଶାସନର ଧାରା ଝିଅଟିର ଲାଳନପାଳନରେ ପ୍ରତିରୋଧ ସାଜେ।ପୋଷାକ ପରିଧାନରେ, କଥା କହିବା ଅଙ୍ଗଭଙ୍ଗୀରେ, ଆଚାର ବ୍ୟବହାରରେ ଶାଳୀନତା ଆଣିବାରେ ପ୍ରୟାସ ଓ ପ୍ରଚଳିତ ସଂସ୍କାର ଅନୁଯାୟୀ ପରିବର୍ତ୍ତନ ପାଇଁ ଚାପ ତାକୁ ସଙ୍କୁଚିତ କରିଦିଏ ।ସ୍ୱାଧୀନ ଭାବେ ଉଡିବାକୁ ଚାହୁଁଥିବା ବେଳେ ସମାଜର ଦ୍ଵାହି ଦେଇ ତା ଡେଣା କାଟି ଦିଆଯାଏ।ପରୋକ୍ଷ ଭାବରେ ପ୍ରତିଟି କାର୍ଯ୍ୟକଳାପ ସମାଜ ଦ୍ଵାରା ଗ୍ରହଣୀୟ ହେବା ଆବଶ୍ୟକ ତଥା ଘରର ଇଜ୍ଜତ୍, ମର୍ଯ୍ୟାଦା ରକ୍ଷାଟି ଝିଅଟି ଉପରେ ହିଁ ନ୍ୟସ୍ତ ଭଳି ବୋଝ ଲଦିଦିଆଯାଏ।ଏହିଭଳି ଭାବେ ସେ ବାଲ୍ୟାବସ୍ଥା ଓ କିଶୋରାବସ୍ଥାର ହସମଜା ମୂହୁର୍ତ୍ତରୁ ବଞ୍ଚିତ ରୁହେ।
ଅଧ୍ୟୟନ ଓ ଭବିଷ୍ୟତ ନିର୍ମାଣ ଦିଗରେ ମଧ୍ୟ ପ୍ୟାରେଣ୍ଟିଙ୍ଗ୍ ର ଗୁରୁତ୍ବ ଅଧିକ ରହିଛି ।କାରଣ ଶିକ୍ଷା ହିଁ ଦୁନିଆରୁ ଅନ୍ଧକାର ଦୂରୀଭୂତ କରାଏ। ଏବେ ବି ପୁଅଟିକୁ ଅର୍ନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପଢିବା ପାଇଁ ସୁଯୋଗ ଦେବାବେଳେ ଝିଅଟିର ପରିପକ୍ୱତା ଲାଭପରେ ଶିକ୍ଷା କ୍ଷେତ୍ରରେ ଏତେଟା ଧ୍ୟାନ ନଦେଇ ଘରକରଣା, ସଂସାର ଜଞ୍ଜାଳ ମାୟାରେ ଛନ୍ଦି ଦିଆଯାଏ।ଆଜିକା ସମୟରେ ବି ପୁଅଟିକୁ ବିଜ୍ଞାନ, ସୂଚନା-ପ୍ରଯୁକ୍ତିବିଦ୍ୟା, ଶିଳ୍ପ-ଉଦ୍ୟୋଗିକ ଶିକ୍ଷା,ସମର ଶିକ୍ଷା, ଧନ୍ଦାମୂଳକ ଶିକ୍ଷା ପାଇଁ ପ୍ରେରଣା ଦିଆଯିବା ବେଳେ ଝିଅଟିର ପରିସର କଳା , ଗୃହବିଜ୍ଞାନ ପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଭାବେ ସୀମିତ କରିଦେବା ନାରୀର ଯୋଗ୍ୟତା ଓ କ୍ଷମତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ।ନିଜ ସୀମା ବାହାରେ ଝିଅଟି ଅନ୍ୟ କ୍ଷେତ୍ରରେ ଭବିଷ୍ୟତ ଗଢିବାକୁ ଅଗ୍ରାଧିକାର ପାଏନି।ଫଳତଃ ଆଗକୁ ବଢିବା ଓ ସ୍ୱାଧୀନଭାବେ ଜୀବନ ଜୀବିକା ତୁଲାଇବା ,ସ୍ୱାବଲମ୍ବୀ ହେବା ନିମିତ୍ତ ଯଥେଷ୍ଟ ମନୋବଳ ଓ ପ୍ରୋତ୍ସାହନର ଅଭାବ ରହିଯାଏ।
ଘରର ଏରୁଣ୍ଡି ବନ୍ଧ ଡେଇଁଲେ ଲୋକେ କଣ କହିବେ ଭଳି ମନୋବୃତ୍ତି ଝିଅଟି ପାଇଁ ଅନ୍ୟକିଛି ବିକଳ୍ପ ରଖେନି।ପାଠପଢା ସମେତ ଅନ୍ୟାନ୍ୟ ପାଠ୍ୟନୁବର୍ତ୍ତୀ କାର୍ଯ୍ୟକଳାପ ଓ ସଉକର ଆବିଷ୍କାର ବାପମାଆ ଉପଯୁକ୍ତ ସମୟରେ ନକରିପାରିବା ଫଳରେ ଝିଅଟିର ଅନେକ ପ୍ରତିଭା ଲୁଚିଯାଏ।ଅପରପକ୍ଷରେ ସ୍କୁଲ,କଲେଜ ପାଇଁ ଅନୁମତି ଥିଲେ ବି ଆବଶ୍ୟକତାଠାରୁ ଅଧିକ ରକ୍ଷଣଶୀଳ ହେଇ କେବଳ ବାଳିକା ବିଦ୍ୟାଳୟ, ବାଳିକା ମହାବିଦ୍ୟାଳୟରେ ନାମ ଲେଖାଇବା, ଛାତ୍ରଙ୍କଠାରୁ ଦୁରେଇ ରହିବା, ବନ୍ଧୁତା ସ୍ଥାପନା ନକରିବା ଆଦି ତାଗିଦ୍ ଝିଅଟି ଉପରେ ନକରାତ୍ମକ ପ୍ରଭାବ ପକାଏ। ଏଇଭଳି ବନ୍ଧନ ଦ୍ୱାରା ଯୌବନାବସ୍ଥାରେ ବିପରୀତଲିଙ୍ଗ ପ୍ରତି ଅଧିକ ଆକର୍ଷଣର ସମ୍ଭାବନା ରହିଥାଏ। ନିରପେକ୍ଷତା ଅଭାବରୁ ଝିଅଟି ପୁରୁଷ ପ୍ରବୃତ୍ତି ଓ ବ୍ୟକ୍ତିତ୍ୱ ପ୍ରତି ଅନଭିଜ୍ଞ ରୁହେ ଯାହା ଭବିଷ୍ୟତରେ ଜୀବନସାଥି ଚୟନ ବେଳେ ଅସୁବିଧା କରାଏ।ଆଗପଛ ନ ବିଚାରି ନିଜସ୍ୱ ମତବିନା ଗୁରୁଜନଙ୍କ ନିଷ୍ପତ୍ତିକୁ ଅନ୍ଧଭାବେ ମାନିନିଏ।
ଘରେ ଘରେ ସମସାମୟିକ ରୂପେ ଚାଲି ଆସିଥିବା, ଝିଅ ଜନମ ଚୁଲିମୁଣ୍ଡକୁ, ଝିଅ ହେଉଛି ପରଧନ, ଶାଶୁଘର ହିଁ ଝିଅର ପ୍ରକୃତ ଘର ପ୍ରବାଦ ଆଦିକୁ ଛୋଟବେଳୁ ଝିଅର ଅବଚେତନ ମନରେ ଧାରାବାହିକ ଭାବେ କ୍ଷଣକୁକ୍ଷଣ ପୂରାଇବା ସହ ପୁଅ ହିଁ ଭବିଷ୍ୟତରେ ବାପାମାଆଙ୍କୁ ପୋଷିବ,ମଲାବେଳେ ମୁହଁରେ ପାଣି ଦେବ,ମୁଖାଗ୍ନି ଦେବ ଭଳି ମାନସିକତାର ପ୍ରତିପୋଷଣ ଝିଅର ସମାଜରେ ସମାନ ସହଭାଗିତା ଉପରେ ଏକପ୍ରକାର କୁପ୍ରହାର କରିଥାଏ।ଏହି ପରିପ୍ରେକ୍ଷୀରେ ବିଶେଷକରି ମାଆମାନଙ୍କର ଶିକ୍ଷା ଦେବାରେ ଅନେକ ଭୁଲ ରହିଯାଏ।ଶାଶୁଘର ଚଳଣି ଆଧାରରେ ବାରମ୍ବାର ଝିଅକୁ ସାନବେଳୁ ପ୍ରସ୍ତୁତ କରାଇବା,ତାର ଶାରୀରିକ ଗଠନ ଅବସ୍ଥା ଯଥା କଳା,ଗେଡା,ଛୋଟି ଆଦିରେ ସୁଧାର ଆଣିବାରେ ଚେଷ୍ଟିତ ହେବା,ପୁରୁଷ ପ୍ରତି ସମର୍ପଣ,ସହନଶୀଳ,ସମ୍ବେଦନଶୀଳ ଭାବ ପ୍ରଦର୍ଶନ କରିବା ତଥା କିପରି ଶାଶୁଘର ଲୋକଙ୍କୁ ସନ୍ତୁଷ୍ଟ କରାଇବା: ଏଭଳି ଭାବେ ମାଆଟିଏ ତନ୍ନ ତନ୍ନ କରି ଝିଅର ପ୍ରତିଟି କାର୍ଯ୍ୟ ତଦାରଖ କରେ।
ଏମିତି କଲେ କେମିତି ଶାଶୁଘରେ ଚଳିବୁ, ସେମିତି କଲେ କେମିତି ସ୍ୱାମୀ ପାଖେ ଚଳିବୁ କହି କହି ଝିଅଟିକୁ ଅପ୍ରାପ୍ତ ବୟସରୁ ଭୟଭୀତ କରାଇଦିଆଯାଏ।ପରଘରେ ଜଟିଳ ପରିସ୍ଥିତିକୁ ସାମ୍ନା କରିବା ପାଇଁ ତ୍ୟାଗ ଓ ବଳିଦାନ ପ୍ରବୃତ୍ତିର ବୃଦ୍ଧି କରାଯାଏ।ଯାହାଫଳରେ, ତା ଭିତରେ ଅନ୍ୟାୟ ପ୍ରତି ସ୍ୱର ଉତ୍ତୋଳନର ସାହାସଟା ଦବିଯିବା ସହ ଶାଶୁଘର ଓ ଭବିଷ୍ୟତ ଜୀବନସାଥୀକୁ ନେଇ ଅସୁରକ୍ଷିତ ଭାବ ପରିଲକ୍ଷିତ ହୁଏ।କିଛି ସାଂସ୍କୃତିକ, ପାରମ୍ପରିକ ଶିକ୍ଷା ମଧ୍ୟ ଏଥିପାଇଁ ଦାୟୀ।ଐତିହାସିକ କାହଣୀଠାରୁ ଆଜି ଘରେ ଘରେ ପୌରାଣିକ କାହାଣୀ ଓ ପୌରାଣିକ ଶିକ୍ଷାର ଆଲୋଚନା ଅଧିକ ।ସୀତା,ଦୁର୍ଗା,ଲକ୍ଷ୍ମୀ,ଦ୍ରୌପଦୀଙ୍ କ ଉଦାହରଣ ଦେଇ ଦେଇ ଝିଅଟିକୁ ଏପରି ଭାବେ ଗଢାଯାଏ ଯେ ଜୀବନ ତମାମ ବାପା,ଭାଇ, ସ୍ୱାମୀ,ପୁଅ ପାଇଁ ଓଷା ବାର ବ୍ରତରେ ତା ଜୀବନ ଉତ୍ସର୍ଗ କରିଦିଏ।କହିବା ବାହୁଲ୍ୟ ଯେ, ଏପରି ଅପରିବର୍ତ୍ତନବାଦ ଓ ଋଢିବାଦର ବିରାଟ ପ୍ରଭାବରେ ଲକ୍ଷ୍ମୀବାଇ,ସାବିତ୍ରୀଫୁଲେଙ୍କ ପରି କ୍ରାନ୍ତିକାରୀମାନେ ହଜିଯିବା ସହ ନାରୀର ସ୍ୱାଧୀନ ଓ ନିରପେକ୍ଷ ଚିନ୍ତାଧାରା କ୍ଷୟ ହେବାକୁ ବସିଛି।
ଗୁଡ୍ ପ୍ୟାରେଣ୍ଟିଙ୍ଗ୍ ର ପ୍ରଥମ ଓ ମୌଳିକ ନିୟମଟି ହେଉଛି ପିତାମାତା ନିଜ ସନ୍ତାନ ସହ ପଡୋଶୀ ଓ ସଂପର୍କୀୟଙ୍କ ସନ୍ତାନ ସହ ତୁଳନା ନ କରିବା।କିନ୍ତୁ ତା ଠାରୁ ବି ଅଧିକ ଗୁରୁତ୍ବପୂର୍ଣ୍ଣ ନିଜ ଘରେ ପୁଅ ଝିଅ ମଧ୍ୟରେ ତୁଳନା ଓ ପକ୍ଷପାତିତା ନ କରିବା ।ପିତୃସତ୍ତାର ବଶବର୍ତ୍ତୀ ହୋଇ ସାଧାରଣତଃ ଘରେ ପୁଅ ଝିଅ ମଧ୍ୟରେ ସ୍ୱାଧୀନତା ପ୍ରଦାନରେ ଫରକ୍ ରହିଯାଏ।ଯେପରି ପୁଅଟିଏ ଚାହିଁଲେ ଅଧିକ ରାତି ପର୍ଯ୍ୟନ୍ତ ଘରବାହାରେ ରହେ,ସାଙ୍ଗସାଥିଙ୍କ ସହ ପିକନିକ୍ ଅବା ସହର ବାହାରେ ନିର୍ବିଘ୍ନରେ ଯାଇପାରେ।କିନ୍ତୁ ଝିଅଟି ପାଇଁ ଏଭଳି ସୁଯୋଗର କଥା ଉଠିଲେ ଶୁଣାଯାଏ, “ପୁଅ ସିନା ପିତ୍ତଳ ହାଣ୍ଡି ଧୋଇ ମାଜି ଦେଲେ ଚିକ୍କଣ ହୋଇଯିବ, ହେଲେ ଝିଅପରା ମାଟି ହାଣ୍ଡି”। ଏସବୁ ଲୋକବାଣୀ ଅସମାନତା ସୃଷ୍ଟି କରିବା ସହ ନାରୀକୁ ଅଧିକ ପରାଧୀନତାକୁ ଠେଲି ଦିଏ।ଆଗାମୀ ପିଢି ପାଇଁ ନାରୀସମାଜ ପ୍ରତି ତାର ଦୃଷ୍ଟିକୋଣ ମଧ୍ୟ ସେହିପରି ଗତି କରିଚାଲେ।
ପ୍ୟାରେଣ୍ଟିଙ୍ଗ୍ ସିଷ୍ଟମ୍ କୁ ମନୋବିଜ୍ଞାନ ଦିଗରୁ ଦେଖିବାକୁ ଗଲେ ଜାଣିବା ଯେ, ଡାଏନା ବୋମରିଣ୍ଡ୍ ନାମକ ଜଣେ ମନୋବୈଜ୍ଞାନିକ ପ୍ୟାରେଣ୍ଟିଙ୍ଗ୍ ଅବା ଲାଳପପାଳନର ଶୈଳୀକୁ ଚାରୋଟି ଭାଗରେ ଦର୍ଶାଇଥିଲେ।ସତ୍ତାବାଦ( Authoritarian), ଆଧିକାରିକ (Authoritative),ଅନୁମୋଦକ( Permissive) ,ଅସଂବନ୍ଧ(Uninvolved)।ଏଥି ମଧ୍ୟରୁ ଆଧିକାରିକ ଶୈଳୀଟି ଅଧିକ ପ୍ରଯୁଜ୍ୟ ।ଏଥିରେ ପିତାମାତା ଆଂଶିକ ସତ୍ତାବାଦୀ ହୋଇଥିଲେ ହେଁ ବେଳେ ବେଳେ ଉଦାରପଣ ଦେଖାଇଥାନ୍ତି।ପ୍ରଶ୍ନ କରିବାର ଅଧିକାର ଦେବା ସହ ନିଜେ ଉତ୍ତରଦାୟୀ ସ୍ୱଭାବ ରଖନ୍ତି ।ଦଣ୍ଡବିଧାନରେ କୋହଳତା ରଖିବା ସହ ପିଲାଙ୍କ ମତକୁ ବହୁ ଆୟାମୀ ଦୃଷ୍ଟିରୁ ତର୍ଜମା କରନ୍ତି ଓ ସନ୍ତୁଳିତ ପ୍ରତିକ୍ରିୟା ରଖନ୍ତି ।ଯାହା ଦ୍ଵାରା ପିଲାଙ୍କର ଆତ୍ମସମ୍ମାନ ଗଠିତ ହୋଇଥାଏ।
ଅନ୍ୟାନ୍ୟ ଦିଗ ପ୍ରତି ଆଖି ବୁଲାଇଲେ ଜାଣିପାରିବା ଯେ,କନ୍ୟାସନ୍ତାନର ପାଳନପୋଷଣ ଧାରାରେ ଆମକୁ କେତେ ପରିମାଣରେ ପରିବର୍ତ୍ତନ ଆଣିବା ଆବଶ୍ୟକ ।ପ୍ରକୃତରେ ଆମେ ଯଦି ନାରୀ ବିକାଶ ଚାହୁଁ ତେବେ ପ୍ରଥମେ ଘର ପରିବାରରୁ ହିଁ ଆରମ୍ଭ କରିବାକୁ ପଡିବ।ସେମାନଙ୍କ ସମାଜ ସ୍ଥିତିକୁ ସମ୍ମାନ ଜଣାଇବା ପ୍ରଥମ ଓ ବରିଷ୍ଠ କର୍ତ୍ତବ୍ୟ ।ତା ଛଡା ଯୌଥ ପରିବାର ଅବା ଏକକ ପରିବାର; ଯକୌଣସିଟି ସମାଜ ପରିବେଶ ହେଲେବି ବାହ୍ୟ କାରକ ପ୍ରତି ଅଧିକ ଧ୍ୟାନ ନଦେଇ, ଆତ୍ମସନ୍ତୁଷ୍ଟିକୁ ଅଧିକ ଧ୍ୟାନ ଦେବା ଉଚିତ୍ ବୋଲି ବାପା ମାଆ ହିଁ ସମର୍ଥନ ଦେବା ଦରକାର।ଝିଅଟି ପ୍ରତି ଅଧିକ ବନ୍ଧୁତ୍ୱପୂର୍ଣ୍ଣ ଭାବେ ରହିବା ଦରକାର ଯେପରି ସେ ସମସ୍ତ ଛୋଟରୁ ବଡ ସମସ୍ୟାକୁ ମୁକ୍ତ ଭାବେ ସହଜବୋଧରେ ବାଣ୍ଟି ପାରିବ।ନିଜ ନିଷ୍ପତ୍ତିକୁ ଲଦି ନ ଦେଇ ସେମାନଙ୍କୁ ଶୁଣିବା ଦ୍ବାରା ସେମାନେ ନିଜ ମୂଲ୍ୟବୋଧକୁ ପରଖି ପାରିବେ ଓ ଭଲମନ୍ଦର ବାଛବିଚାର କରିପାରିବେ ।ସ୍ୱାଧୀନ ଚିନ୍ତନ ପାଇଁ ସାହସ ଦେବା ସହ ଆତ୍ମବଳ ମନୋବଳକୁ ଦୃଢ କରିବାରେ ସହଯୋଗ କରିବା ଶ୍ରେୟସ୍କର ।ଶୀର୍ଷରେ, ଲିଙ୍ଗଗତ ପକ୍ଷପାତିତାକୁ ସମୂଳେ ନାଶ କରିବା ସହ ଘରେ ଶୃଙ୍ଖଳିତ ପରିବେଶ ବଜାୟ ରଖିବାକୁ ପଡିବ। “ବେଟି ବଚାଓ, ବେଟି ପଢାଓ” ସମାଜରୁ ଆରମ୍ଭ କରିବା ପୂର୍ବରୁ ପରିବାରରୁ ହିଁ ଆରମ୍ଭ କରାଗଲେ ଏକ ସୁସ୍ଥ ସମାଜ ଗଢାଯାଇ ପାରନ୍ତା ।