ଫୁଲବାଣୀ (ସନ୍ତୋଷ ମିଶ୍ର ), କନ୍ଧମାଳ ଜିଲ୍ଲାର ଅପହଂଚ ଇଲାକା ଫିରିଙ୍ଗିଆ ବ୍ଲକ୍ର ବାଲନ୍ଦାପଡ଼ା, ପାହିରାଜୁ, କୁଏରମାଣ୍ଡୁ, ଲୁଇସିଂ ଓ ପକାରୀ ଗ୍ରାମ ପଂଚାୟତର ୧୦୧ଟି ଗ୍ରାମରେ କିଶୋରୀ ଓ ମାତୃ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ କ୍ରାଏ, କୋଲକାତା ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀଙ୍କ ମିଳିତ ଉଦ୍ୟମରେ ଚାଲି ଆସୁଅଛି ।
ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଗର୍ଭବତୀ ମା ଓ କିଶୋରୀମାନଙ୍କ ଶରୀରରେ ଦେଖାଦେଉଥିବା ରକ୍ତହୀନତାକୁ କମାଇବା, ଜୀବନ କୌଶଳ ସମ୍ବନ୍ଧୀୟ କିଶୋରୀମାନଙ୍କୁ ଶିକ୍ଷାଦାନ ଦେଇ ମାତୃତ୍ୱ ସମୟର ସ୍ୱାସ୍ଥ୍ୟ ସଚେତନତା ବଢ଼ାଇବା ଇତ୍ୟାଦି । ତତ୍ସହିତ ପୋଷଣ ସମ୍ବନ୍ଧୀୟ ଜ୍ଞାନ ବଢ଼ାଇବା ଦିଗରେ ନିଜ ଘର ବାରିବଗିଚାରେ ପନିପରିବା, ଫଳ ଚାଷ ସହିତ ସଜନା ଓ ଅମୃତଭଣ୍ଡା ଗଛ ଲଗାଇ ତାର ବ୍ୟବହାର ବହୁଳ ମାତ୍ରାରେ କରିବା ପାଇଁ ପ୍ରବର୍ତାଯାଉଛି ।
୨୦୨୦ ମସିହାରେ ସମଗ୍ର ପୃଥିବୀକୁ କରୋନା ମହାମାରୀ ଗ୍ରାସିଥିବାବେଳେ ଏହା ସହ ଲଢ଼େଇ କରିବା ଦିଗରେ ଏହି ଉଭୟ ସଂସ୍ଥା କନ୍ଧମାଳ ଜିଲ୍ଲାରେ ଉଦ୍ୟମ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ କ୍ରାଏ, କୋଲକାତାଙ୍କ ତରଫରୁ ସ୍ୱାତୀ ଅନୁଷ୍ଠାନଙ୍କ ମାଧ୍ୟମରେ ଉପରୋକ୍ତ ଅଂଚଳ ଗୁଡ଼ିକରେ ପାଖାପାଖି ୨୦୦୦ରୁ ଅଧିକ ପରିବାରଙ୍କୁ ବାରମ୍ବାର ହାତ ଧୋଇବାର ଅଭ୍ୟାସକୁ ଜାରି ରଖିବା ପାଇଁ ମାଗଣାରେ ସାବୁନ୍, ଅଙ୍ଗନୱାଡ଼ି କେନ୍ଦ୍ର ମାନଙ୍କୁ ହେଣ୍ଡ ୱାସ୍ ଓ ସାନିଟାଇଜର (ସାମୁହିକ ବ୍ୟବହାର ନିମନ୍ତେ) ଯୋଗାଇ ଦେଇଛନ୍ତି ।
ଏହା ନିଶ୍ଚିତ ଭାବେ କିଛି ମାତ୍ରାରେ କୋରୋନା ଭାଇରସ୍ ସଂକ୍ରମଣକୁ ରୋକିବାରେ ସହାୟକ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମକୁ ସ୍ୱାତୀର ସମ୍ପାଦକ ଇଂ. ହରିଶଙ୍କର ରାଉତ ସହାୟତା ଯୋଗାଇଥିବା ବେଳେ ବିଶ୍ୱରଞ୍ଜନ କର ସଂଯୋଜନା କରିଛନ୍ତି । ତତ୍ସହିତ ଉମେଶ ମିଶ୍ର, ପୁଷ୍ପିତା ସାହୁ, ନିହାରିକା ବେହେରା, ମାଣିକ ବେହେରା, ଚଂଚଳା କହଁର ପ୍ରମୁଖ ସହଯୋଗ କରିଛନ୍ତି ।