ଯଦୁମଣି ପାଣିଗ୍ରାହୀ : ସକଳ ପ୍ରତିକୂଳତା ଭିତରେ ଓଡିଶାର ଚାଷ ଓ ଚାଷୀ ଆଗେଇବ କେମିତି ? କେବଳ ଆଜି ନୁହେଁ ବରଂ ବହୁ ଦିନରୁ ଏ ପ୍ରକାର ଏକ ପ୍ରଶ୍ନ ଆମ ସମସ୍ତଙ୍କ ମନକୁ ସଦା ସର୍ବଦା ଆନେ୍ଦାଳିତ କରିଆସୁଛି । କେତେବେଳେ ପ୍ରକୃତିର କୋପ ତ ପୁଣି କେତେବେଳେ ସରକାରୀ ଅବହେଳା ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଉଥିବା ବେଳେ ଚାଷୀ ଆଗକୁ ଆଗେଇବାର ବାଟ ଆଉ କାହିଁ ? ଯେଉଁଥି ପାଇଁ ଅତୀତରେ ଚାଷୀ ଯେମିତି ନିଜର ଚାଷବାସକୁ ନେଇ ନିରନ୍ତର ଲଢେଇ କରି ଆସୁଥିଲା, ଆଜି ବି ସେ ଲଢେଇ ଅବ୍ୟାହତ ରହିଛି । ବ୍ରିଟିଶ ଶାସକଙ୍କ ଅତ୍ୟାଚାର, ଅରାଜକତା ଓ ମନମୁଖୀ ଶାସନ ଭିତରେ ଏ ଦେଶ ତଥା ଏ ରାଜ୍ୟର ଚାଷୀ ସମାଜ ଯେଭଳି ଅବହେଳିତ, ଅତ୍ୟାଚାରିତ ଓ ନିର୍ଯାତିତ ହୋଇ ଆସୁଥିଲା ଆଜି ବି ସେ ଧାରା ବଳବତ୍ତର ରହିଛି କହିଲେ ଭୁଲ ହେବନି ।
ଦୀର୍ଘଦିନର ପରାଧୀନତା ଭିତରେ ଚାଷୀ ଓ ଚାଷର ଉନ୍ନତି ଲାଗି ବି୍ରଟିଶ ଶାସକ କୌଣସି ପଦକ୍ଷେପ ନେଇନଥିବା ବେଳେ ଆଜିର ଏହି ସ୍ୱାଧୀନ ଦେଶର ଶାସକଗୋଷ୍ଠୀ ଚାଷ ଓ ଚାଷୀର ସମସ୍ୟା ସମାଧାନ ଦିଗରେ ସେମିତି କିଛି ଆଖିଦୃଶିଆ ପଦକ୍ଷେପ ନେଇ ପାରିନାହାନ୍ତି । ଫଳରେ ଆଜି ବି ଚାଷୀ ବହୁ ସମସ୍ୟା ଭିତର ଦେଇ ଗତି କରୁଛି । ଏ ରାଜ୍ୟରେ ପ୍ରତିବର୍ଷ କିଛି ନା କିଛି ପ୍ରାକୃତିକ ବିପର୍ଯ୍ୟୟ ଘଟି ଚାଷୀର ଅଣ୍ଟାକୁ ଭାଙ୍ଗି ଦେଉଛି । ଅଣ୍ଟା ସଳଖି ଠିଆ ହେବାର ବାଟ ନାହିଁ । ଓଡିଶାର ପ୍ରାୟ ୭୦ ଭାଗ ଭଳି ଲୋକ ମୁଖ୍ୟତଃ ଚାଷ ଉପରେ ନିର୍ଭର କରୁଥିବା ବେଳେ ଏ ରାଜ୍ୟର ଅର୍ଥନୀତି କୃଷି ଦ୍ୱାରା ନିୟନ୍ତ୍ରିତ ହୋଇଥାଏ । ଧାନ ଓ ଗହମ ଚାଷ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ପନିପରିବା, ତୈଳବୀଜ, ଆଖୁ, କପା ଓ ଝୋଟ ଆଦି ନାନାପ୍ରକାର ଚାଷ ଏ ରାଜ୍ୟର ଚାଷୀମାନେ କରିଥାନ୍ତି । ତେବେ ଚାଷବାସ ଲାଗି ଜଳସେଚନର ବ୍ୟାପକ ସୁବ୍ୟବସ୍ଥା ଆଜିଯାଏଁ କରାଯାଇ ପାରିନଥିବାରୁ ଏ ରାଜ୍ୟର ଚାଷ ବିଶେଷକରି ମୌସୁମୀ ଜନିତ ବର୍ଷା ଉପରେ ନିର୍ଭରଶୀଳ ହୋଇଥାଏ ।
କେଉଁବର୍ଷ ମୌସୁମୀ ସଅଳ ଆସେ ତ କେଉଁବର୍ଷ ବହୁ ବିଳମ୍ବରେ ଆସିଥାଏ ଯାହାକୁ ନେଇ ଚାଷବାସ ପ୍ରଭାବିତ ହୋଇଥାଏ । ଧାନ ଓ ପନିପରିବା ଚାଷ ଏ ରାଜ୍ୟର ମୁଖ୍ୟ ଚାଷ ହୋଇଥିବା ବେଳେ ଫି’ବର୍ଷ ଚାଷୀ କିଛିନା କିଛି ସଙ୍କଟରେ ପଡୁଥିବା ପରିଲକ୍ଷିତ ହେଉଛି । ସଂପ୍ରତି ବିଭିନ୍ନ ପାରିବେଶିକ କାରଣରୁ ପାଣିପାଗରେ ପରିବର୍ତ୍ତନ ଦେଖାଯାଉଛି । କେବେ ବର୍ଷାର ପରିମାଣ ସ୍ୱଳ୍ପ ତ କେବେ ଅଧିକ ପୁଣି କେବେ ଅତ୍ୟଧିକ । ସ୍ୱଳ୍ପ ବର୍ଷା ଯୋଗୁଁ ମରୁଡି । ଅତ୍ୟଧିକ ବର୍ଷ ଯୋଗୁଁ ବନ୍ୟା । ତା’ ସହିତ ପୁଣି ଲଘୁଚାପ ଜନିତ ଝଡବାତ୍ୟା ଅଛି । ଉଜୁଡି ଯାଉଛି କ୍ଷେତ । ଆଉ ଉଜୁଡି ଯାଉଛି ଚାଷୀର ଆଶା ଓ ଭରସା । ବର୍ଷକର ସମ୍ବଳ ଓ ସମ୍ଭାବନା ସବୁ ମାଟିରେ ମିଶି ଯାଉଛି ।
ଯଦି ବା କେଉଁବର୍ଷ ପାଗଯୋଗ ଠିକ୍ ରହୁଛି ତେବେ ସେବର୍ଷ ଫସଲରେ ରୋଗପୋକର ପ୍ରାଦୃର୍ଭାବ । ଚାଷୀର ହାଡଭଙ୍ଗା ପରିଶ୍ରମର ଫଳ ଫସଲ ଗଣ୍ଡାକ ଉଜୁଡି ଯାଉଛି । ଭାଙ୍ଗିପଡୁଛି ଚାଷୀ । ସମବାୟ ବ୍ୟାଙ୍କରୁ ହେଉ କି ହାତଉଧାରି ଋଣକରଜ ହେଉ ଚାଷରେ ବିନିଯୋଗ କରିଥିବା ଅର୍ଥ ଯେତେବେଳେ ତା’ ପାଖକୁ ଫେରିବାର ଆଉ ସମ୍ଭାବନା ରହୁନାହିଁ ସେତେବେଳେ ତା’ର ହୋସ୍ ଉଡିଯାଉଛି । ତା’ ମୁଣ୍ଡରେ ବସା ବାନ୍ଧୁଛି କରଜ ପରିଶୋଧର ଓ ପରିବାର ପ୍ରତିପୋଷଣର ଚିନ୍ତା । ସ୍ୱପ୍ନ ସବୁ ଭାଙ୍ଗରୁଜି ଛାରଖାର ତଥା ବଞ୍ଚିବାର ସବୁ ରାସ୍ତା ବନ୍ଦ ହୋଇଗଲା ପରେ ଆତ୍ମହତ୍ୟାର ପଥ ହିଁ ତା’ ଆଗରେ ଯେମିତି ଏକମାତ୍ର ବିକଳ୍ପ ଭାବେ ଉଭା ହୋଇଥାଏ ।
ଇଏତ ଗଲା ପ୍ରାକୃତିକ ଦୁର୍ବିପାକ । ଏହା ପରେ ପୁଣି ରହିଛି ସରକାରୀ ଅବହେଳା । ପ୍ରକୃତିର କୋପରୁ ବଳି ପଡିଥାଏ ସରକାରୀ ଅବହେଳା । କେବେ ବିହନ ଯୋଗାଣରେ ଅବ୍ୟବସ୍ଥା ତ କେବେ ସାର ଓ କୀଟନାଶକର ବ୍ୟାପକ ଅଭାବ ଓ କଳାବଜାରୀ । ବଜାରରୁ ଚଢା ଦାମ୍ରେ ସାର ଓ କୀଟନାଶକ କିଣି ଚାଷୀ ଆବଶ୍ୟକତା ମେଣ୍ଟାଇଥାଏ । ଯଦି ବି କେବେ ସୁରୁଖୁରୁରେ ଫସଲ ଗଣ୍ଡାକ ଅମଳ ହେଲା ତେବେ ଏହାକୁ ବିକ୍ରୀ କରିବା ତା’ ଆଗରେ ଏକ ସମସ୍ୟା ହୋଇ ଠିଆ ହୋଇଥାଏ । ଫସଲର ଅଭାବୀ ବିକ୍ରୀ ଯୋଗୁଁ ଚାଷୀ ଗୁରୁତର ସଙ୍କଟରେ ସମ୍ମୁଖୀନ ହୋଇଥାଏ । ଚାଷୀ ନିର୍ଦ୍ଦିଷ୍ଟ ସମୟ ଓ ନିର୍ଦ୍ଧାରିତ ଦରରେ ଅମଳ କରିଥିବା ଫସଲ ବିକ୍ରୀ କରିବାକୁ ସମର୍ଥ ହୋଇପାରେନି ଯାହାଫଳରେ ଚାଷୀ ଶାଗମାଛ ଦରରେ ତା’ର ଫସଲକୁ ବିକ୍ରୀ କରିବାକୁ ବାଧ୍ୟ ହୋଇଥାଏ ତେଣୁ ଚାଷୀକୁ ତା’ର ଫସଲର ଉପଯୁକ୍ତ ମୂଲ୍ୟ ମିଳିପାରେନି ।
ଏ ରାଜ୍ୟର ଉତ୍ପାଦିତ ଫସଲକୁ ବିକ୍ରୀ କରିବାକୁ ଆବଶ୍ୟକ ବଜାର ନାହିଁ କି ମହଜୁଦ କରି ରଖିବାର ସୁବ୍ୟବସ୍ଥା ବି ନାହିଁ । ତେଣୁ ଯାହା ଯେତିକି ମିଳିଲା ସେତକରେ ନିଜ ପରିଶ୍ରମର ଫଳକୁ ଟେକି ଦେବାକୁ ବାଧ୍ୟ ହୋଇଥାଏ ଚାଷୀ । ଦୈବୀ ଦୁର୍ବିପାକର ଦାଉ ସାଙ୍ଗକୁ ସରକାରୀ ଅବହେଳାରେ ଶିକାର ହୋଇ ଆଜି ଏ ରାଜ୍ୟର ଚାଷ ଓ ଚାଷୀର ଅବସ୍ଥା ସଙ୍କଟାପନ୍ନ ହୋଇପଡିଛି । ଚାଷୀଙ୍କ ଲାଗି ପ୍ରଣୀତ ସବୁ ସରକାରୀ ଯୋଜନା ଆଜି ବିଫଳ ରାସ୍ତାରେ ଆଗେଇ ଚାଲିଛି ।
ଆଉ ଚାଷୀ ନିଜ ଭାଗ୍ୟ ଓ ଭଗବାନଙ୍କୁ ନିନ୍ଦା କରିଚାଲିଛି । ଆଜି ଏ ରାଜ୍ୟର ଚାଷ ଓ ଚାଷୀର ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇ ପାରିନି କି ନିକଟ ଭବିଷ୍ୟତରେ ହେବାର ଆଶା ବି ଉଜ୍ଜ୍ୱଳ ଦେଖାଯାଉନି । କାରଣ ଚାଷ ଓ ଚାଷୀଙ୍କ ସମସ୍ୟା ସମାଧାନ ଦିଗରେ ସରକାର ଯେଉଁଭଳି ନିଷ୍ଠା ଓ ଆନ୍ତରିକତା ଦେଖାଇବା କଥା ତାହା ଆଜିଯାଏଁ ଦେଖାଇ ପାରିଲେ ନାହିଁ ।
ଚାଷ ଓ ଚାଷୀ ପ୍ରତି ସରକାରୀ ସ୍ତରରେ ଏତାଦୃଶ ଅବହେଳା ଓ ପ୍ରୋତ୍ସାହନର ଅଭାବ ଯୋଗୁଁ ଅନେକ ଲୋକ ଚାଷବାସ ପ୍ରତି ଅନାଗ୍ରହ ଭାବ ପ୍ରକାଶ କରଥିବା ଦେଖାଯାଉଛି । ବିଶେଷକରି ଯୁବଗୋଷ୍ଠୀ ଚାଷ ପ୍ରତି ବିମୁଖ ହେଉଛନ୍ତି ।
ଫଳରେ ସେମାନେ ଓଡିଶାରେ ଚାଷ କରିବା ଅପେକ୍ଷା ପ୍ରବାସରେ ରହି ଦାଦନ ଖଟିବାକୁ ଶ୍ରେୟ ମଣୁଛନ୍ତି । ଚାଷବାସର ସମସ୍ତ ପ୍ରକାର ଭିତ୍ତିଭୂମି ଏ ରାଜ୍ୟରେ ରହିଥିବା ବେଳେ ଏହାର ବିକାଶ ଦିଗରେ ସରକାରୀସ୍ତରରେ କୌଣସି ପଦକ୍ଷେପ ନିଆଯାଉନି । ଯାହାଫଳରେ ଚାଷବାସ ଗୁରୁତର ପ୍ରଭାବିତ ହେଉଥିବା ବେଳେ ଏ ରାଜ୍ୟର ଅର୍ଥନୀତି ବି ସୁଦୃଢ ହୋଇପାରୁନି । ଚାଷୀର ଆର୍ଥିକ ମାନଦଣ୍ଡ ବି ଭାଙ୍ଗିପଡୁଛି । ଯାହା ଆଗାମୀ ସମୟ ଲାଗି ଏକ ଆହ୍ୱାନ କହିଲେ ଭୁଲ ହେବନି ।
ଚଳିତବର୍ଷ କରୋନା ଯୋଗୁଁ ଏ ରାଜ୍ୟର ଚାଷ ଓ ଚାଷୀ ବ୍ୟାପକ ପ୍ରଭାବିତ ହୋଇଥିବା ବେଳେ ଲଗାତର ଲଘୁଚାପ ଜନିତ ବର୍ଷା ଯୋଗୁଁ ବନ୍ୟା ସୃଷ୍ଟି ହୋଇ ଏବେ ଖରିଫ ଧାନ ଓ ପନିପରିବା ଚାଷର ଅଶେଷ କ୍ଷତି ଘଟାଇଛି । ସେହିପରି ଏଥର ସରକାରୀ ଧାନ ବିହନକୁ ନେଇ ଚାଷୀ ସମସ୍ୟାରେ ପଡିବା ଓ ବଜାରରେ ସାରର ଅଭାବ ଦେଖାଦେବା ଘଟଣାକୁ ନେଇ ସାରା ରାଜ୍ୟରେ ଚାଷୀ ଅସନ୍ତୋଷ ଦେଖାଦେଇଛି । ତେବେ ଯାହା କିଛି ଫସଲ ରହିଯାଇଛି ସେସବୁର ସଫଳ ଅମଳ ନେଇ କିଛି ଗ୍ୟାରେଣ୍ଟି ନାହିଁ । କାରଣ ପ୍ରାକୃତିକ ଦୁର୍ବିପାକ ଘଟିବାର ସମୟ ଅତିକ୍ରାନ୍ତ ହୋଇନି । ଆଗକୁ ବି ଏହା ଘଟିବାର ସମ୍ଭାବନା ରହିଛି । ରୋଗପୋକର ପ୍ରାଦୁର୍ଭାବ ବି ରହିଛି ।
ଏହାସହିତ ଅମଳ ଫସଲକୁ ବିକ୍ରୀ କରିବା ନେଇ ବିଗତ ବର୍ଷ ମାନଙ୍କ ପରି ଏଥର ଯେ ସମସ୍ୟା ସୃଷ୍ଟି ନହେବ ସେକଥା କିଏ କହିପାରିବ । ଏସବୁକୁ ଦୃଷ୍ଟିରେ ରଖି ଏତିକି କୁହାଯାଇପାରେ ଯେ, ଚାଷୀର ଭବିଷ୍ୟତ ସଦାସର୍ବଦା ଅନିଶ୍ଚିତ ଓ ତା’ର ଜୀବନ କଣ୍ଟକିତ । ସବୁ ପ୍ରତିକୂଳତା ଯେମିତି ତା’ ମୁଣ୍ଡକୁ । ଏସବୁ ଭିତରେ ଚାଷୀ ଆଗକୁ ଆଗେଇବ କେମିତି ? ତେଣୁ ଚାଷ ଓ ଚାଷୀର ସମସ୍ୟାକୁ ଦୂର କରିବାକୁ ସରକାରୀସ୍ତରରେ ଉଦ୍ୟମ ହେବା ଜରୁରୀ ନୁହେଁ କି?