ଭୋପାଲ : ମଧ୍ୟ ପ୍ରଦେଶରେ ହେବାକୁ ଥିବା ୨୮ ଆସନ ପାଇଁ ଉପ ନିର୍ବାଚନକୁ ନେଇ ବିଜେପି ଓ କଂଗ୍ରେସ ଜୋରସୋରରେ ପ୍ରସ୍ତୁତି କରୁଛନ୍ତି। ନିର୍ବାଚନ ଘୋଷଣା ଏବେ ଯାଏଁ ହୋଇନାହିଁ । କିନ୍ତୁ ଶାସନାଧୀନ ବିଜେପିକୁ ଏହି ଉପ ନିର୍ବାଚନରେ ହରାଇବାକୁ କଂଗ୍ରେସ ପୁରା ଦମ ଦେଖାଉଛି। କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ତାଙ୍କ ପ୍ରଭାବରେ ଥିବା ଗ୍ୱାଲିୟର-ଚମ୍ବଲ ଅଞ୍ଚଳର ଆସନ ଉପରେ ଦଳର ଖାସ ନଜର ରହିଛି। ଏହିଭଳି ସ୍ଥିତିରେ କଂଗ୍ରେସ ସଚିନ ପାଇଲଟଙ୍କୁ ନିର୍ବାଚନ ପ୍ରଚାରରେ ଓହ୍ଲାଇବାକୁ ଯୋଜନା କରୁଛି।
ସଚିନ ପାଇଲଟଙ୍କୁ ନିର୍ବାଚନ ପ୍ରଚାର ମଇଦାନକୁ ଓହ୍ଲାଇବାରେ କଂଗ୍ରେସର ରଣନୀତି ରହିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ ସଚିନ ପାଇଲଟ୍ ପରସ୍ପରର ଘନିଷ୍ଠ ବନ୍ଧୁ । ପାଇଲଟ୍ ଯେତେବେଳେ ରାଜସ୍ଥାନରେ ତେବର ଦେଖାଇଥିଲେ ସିନ୍ଧିଆ ତାଙ୍କ ସମର୍ଥନରେ ବୟାନ ମଧ୍ୟ ଦେଇଥିଲେ । ପାଇଲଟଙ୍କୁ ସିନ୍ଧିଆଙ୍କ ବିପକ୍ଷରେ ନିର୍ବାଚନ ପ୍ରଚାରକୁ ଓହ୍ଲାଇ କଂଗ୍ରେସ ଏକ ଯୋଜନାବଦ୍ଧ ଗେମ ପ୍ଲାନ୍ ସହ ମଇଦାନକୁ ଓହ୍ଲାଇବାକୁ ଚାହୁଁଛି ।
ମଧ୍ୟ ପ୍ରଦେଶରେ ଯେଉଁ ୨୮ ଆସନ ପାଇଁ ବିଧାନସଭା ଉପନିର୍ବାଚନ ହେବାକୁ ଅଛି, ସେଥିରୁ ଅଧିକାଂଶ ଆସନ ଗ୍ୱାଲିୟର-ଚମ୍ବଲ ଅଞ୍ଚଳର ରହିଛି । ଏହାକୁ ସିନ୍ଧିଆଙ୍କ ପ୍ରଭାବିତ ଅଞ୍ଚଳ ବୋଲି କୁହାଯାଏ । ମଧ୍ୟ ପ୍ରଦେଶର ଏହି ଅଞ୍ଚଳ ରାଜସ୍ଥାନ ସୀମା ଅଞ୍ଚଳରେ ରହିଛି । ସେଥିପାଇଁ ସଚିନ ପାଇଲଟ ନିର୍ବାଚନ ପ୍ରଚାର କଲେ ସିନ୍ଧିଆଙ୍କ ଉପରେ ଭାରି ପଡିବ ବୋଲି କଂଗ୍ରେସର ଆଶଙ୍କା ।
ମଧ୍ୟ ପ୍ରଦେଶରେ ଯେଉଁ ୨୮ ଆସନ ପାଇଁ ନିର୍ବାଚନ ହେବାକୁ ଅଛି ସେଥିରୁ ୧୬ ଆସନ ଗ୍ୱାଲିୟର-ଚମ୍ବଲ ଅଞ୍ଚଳର। ଏଠାରେ ଅନେକ ଭୋଟର୍ ଗୁର୍ଜର ସମ୍ପ୍ରଦାୟର । ଏହିଭଳି ସ୍ଥିତିରେ ରାଜସ୍ଥାନ ଗୁର୍ଜର ନେତା ସଚିନ ପାଇଲଟ୍ କଂଗ୍ରେସ ପାଇଁ ମହତ୍ଵପୁର୍ଣ ପ୍ରମାଣିତ ହୋଇପାରନ୍ତି । ଦଳ ଏହି ଚିନ୍ତାଧାରା ସହ ସଚିନ ପାଇଲଟଙ୍କୁ ସିନ୍ଧିଆ ପ୍ରଭାବିତ ଅଞ୍ଚଳରେ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଯୋଜନା କରିଛି । ତେବେ ମଇଦାନରେ ଘନିଷ୍ଠ ବନ୍ଧୁତା ପରସ୍ପର ବିରୋଧରେ କିଭଳି ବୟାନ ଦେଉଛନ୍ତି ତାହା ଦେଖିବା ବାକି ରହିଲା ।