ଉଦୟଗିରି : ଯାଜପୁର ଜିଲା ବଡଚଣା ବ୍ଲକ ବାଲିପଡିଆ ପଞ୍ଚାୟତର ବାଲିପଡିଆ ଗ୍ରାମକୁ ରିଲିଫ ପ୍ରଦାନ ପାଇଁ ଦାବୀ ହୋଇଛି । ଚଳିତ ପ୍ରଳୟଙ୍କରୀ ବନ୍ୟାରେ ବାଲିପଡିଆ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ରିଲିଫ ପ୍ରଦାନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ଗ୍ରାମ ମଧ୍ୟରେ ବାଲିପଡିଆ ର ନାମ ନାହିଁ । କେବଳ ଏହି ପଞ୍ଚାୟତର ଦେକୁରୀ ଓ ଟିଗିରିଆ ଗ୍ରାମକୁ ସାମିଲ କରାଯାଇଛିା ଯାହାକୁ ନେଇ ପଞ୍ଚାୟତବାସୀ ଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଅପରପକ୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ଚଳିତ ବନ୍ୟାରେ ୨୩ ଗୋଟି ପଞ୍ଚାୟତର ୯୭ ଟି ରାଜଶ୍ୱ ଗ୍ରାମକୁ ଚଳିତ ବନ୍ୟାରେ ରିଲିଫ ପ୍ରଦାନ ପାଇଁ ସୁପାରିଶ କରାଯାଇଛି । ତେବେ ଏହି ତାଲିକାରେ ଆଦୌ ବନ୍ୟାପାଣି ଯାଇନଥିବା ଏକାଧିକ ଗ୍ରାମକୁ ରିଲିଫ ପାଇଁ ଯୋଗ୍ୟ ଘୋଷଣା କରାଯାଇଥିବା ବେଳେ ବାଲିପଡିଆ ପଞ୍ଚାୟତର ବାଲିପଡିଆ ଗ୍ରାମକୁ ବାଦ ଦେବା ଘଟଣା ପ୍ରଶାସନର ତୃଟିପୂର୍ଣ୍ଣ ନିଷ୍ପତିକୁ ପଦାରେ ପକାଇଛି ବୋଲି ଅଭିଯୋଗ ହୋଇଛି ।
ସୂଚନା ଯୋଗ୍ୟ ଯେ ପ୍ରଳୟଙ୍କରୀ ବନ୍ୟା ପୂର୍ବରୁ ଗୋବରୀ ନଦୀରେ ବନ୍ୟା ଆସି ବାଲିପଡିଆର ଶହ ଶହ ହେକ୍ଟର ଚାଷଜମୀ ଜଳମଗ୍ନ ହେବା ସହ ବ୍ୟାପକ ଫସଲହାନୀ ହୋଇଥିଲା ଏବଂ ଘରେ ପାଣି ପଶିଯିବା ଯୋଗୁ ଅନେକ କଚ୍ଚାଘର ଭାଙ୍ଗିଯାାଇଥିଲା । ପୁଣି ବେଣୀପୁର ଠାରେ ଘାଇ ହେବା ଯୋଗୁ ବିରୂପା ନଦୀର ବନ୍ୟାରେ ବାଲିପଡିଆ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ଅନେକ ପ୍ରଶାସନିକ ଅଧିକାରୀ, ସାଂସଦ , ବିଧାୟକ ମାନେ ଗ୍ରାମ ପରିଦର୍ଶନ କରିଥିଲେ । ମାତ୍ର ପ୍ରଶାସନ ପକ୍ଷରୁ ରିଲିଫ ପ୍ରଦାନ ସମୟରେ ବାଲିପଡିଆ ଗ୍ରାମ ନାମ ନଥିବାକୁ ନେଇ ଗ୍ରାମବାସୀ ମାନେ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି । ପ୍ରଶାସନ ପକ୍ଷରୁ ଏହି ଘଟଣାର ପୁନଃବିଚାର କରାଯାଇ ବାଲିପଡିଆକୁ ସରକାରଙ୍କ ଘୋଷଣା ମୁତାବକ ରିଲିଫ ପ୍ରଦାନ କରିବାକୁ ସରପଞ୍ଚ ସର୍ମିଷ୍ଠା ବେହୁରା, ସମିତି ସଭ୍ୟ କନକ ଲତା ଭଞ୍ଜ,ପ୍ରାକ୍ତନ ସରପଞ୍ଚ ଅନିରୁଦ୍ଧ ସାମଲ, ସରୋଜ ବେହେରା, ପୂର୍ବତନ ସମିତି ସଭ୍ୟ ସୁମନ୍ତ ଜେନା,ପ୍ରବାଶ ଦାଶ,ପ୍ରଭାତ ମାହନ୍ତି, ପ୍ରକାଶ ତ୍ରିପାଠୀ, ଅଜିତ ପ୍ରଧାନ, ମନ୍ମଥ ସାମ. ଗଗନ ବିହାରୀ ସ୍ୱାଇଁ ସମେତ ଗ୍ରାମବାସୀ ମାନେ ଦାବି କରିଛନ୍ତି ।