ବର୍ଷା ଓ ବନ୍ୟାରେ ଉଜୁଡ଼ି ଯାଇଛି ଧାନ ଓ ପନିପରିବା ଚାଷ , କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଦାବିକଲା ଚାଷୀ ଶ୍ରମିକ ସଂଘ
ଡେରାବିଶ : ଗତ ଲଘୁଚାପ ଜନିତ ବର୍ଷା ଓ ବିରୁପା, ଲୁଣା ଓ କରାଣ୍ଡିଆ ନଦୀରେ ଆସିଥିବା ବନ୍ୟାଜଳରେ ଡେରାବିଶ ବ୍ଳକ ଅଂଚଳରେ ଧାନ ଫସଲ ଓ ପନିପରିବା ଚାଷର ବ୍ୟାପକ କ୍ଷୟକ୍ଷତି ହୋଇଛି । ବ୍ଲକ ଅଂଚଳର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ଏ ନେଇ କ୍ଷତିଗ୍ରସ୍ତ ଚାଷୀଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ କେନ୍ଦ୍ରାପଡ଼ା ଜିଲ୍ଲା ଚାଷୀ ଶ୍ରମିକ ସଂଘ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଡେରାବିଶ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।
ବ୍ଳକ ଅଧୀନ ଅଠରପଡ଼ା ପାଟ, କାଉପଡ଼ା, ନରଣପୁର ବାଘିଲୋ, ଗୁଆଳସିଂ, କୁରୁଜଙ୍ଗା, ନୂଆହାଟ ପାଟ, ନୋଳପାଟ, ଲକ୍ଷ୍ମୀନାରାୟଣପୁର, ବାଲିଆ, ପଲେଇ, ମୁଣ୍ଡିଲୋ, ନରସିଂହପୁର, ଇନ୍ଦାଳୋ, ବାଘିଲୋ, ମନ୍ତ୍ରୀପଡ଼ା, ମହେଶପୁର ପାଟରେ ହଜାର ହଜାର ହେକ୍ଟର ଚାଷଜମିରେ ସମ୍ପୂର୍ଣ୍ଣ ଫସଲ ନଷ୍ଟ ହୋଇଥିବା ବେଳେ ବଡ଼ମଙ୍ଗରାଜପୁର, ନୁଆଗାଁ, ପୁଷୋତମପୁର, ବଘାଳୋ, ଗୁଡ଼ୁଗୁଡ଼ି ପ୍ରଭୃତି ବହୁ ଅଂଚଳରେ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି ବୋଲି ଦାବିପତ୍ରରେ ଉଲ୍ଲେଖ ଅଛି ।
ଏବେବି ବହୁ ଖାଲୁଆ ଜମିରେ ୨ ଫୁଟ ଉଚ୍ଚର ପାରି ଜମି ରହିଛି । ଧାର କରଜ କରି ଚଳିତ ବର୍ଷ ଧାନ ଫସଲ ଓ ପନିପରିବା କରିଥିବା ଚାଷୀଙ୍କ ମେରୁଦଣ୍ଡ ସମପୂର୍ଣ୍ଣ ଦୋହଲି ଯାଇଛି ବୋଲିଦାବିପତ୍ରରେ ଦର୍ଶାଯାଇଛି । ସଂଘ ସଭାପତି ପଣ୍ଡିତ ଶରତ ଚନ୍ଦ୍ର ମିଶ୍ର, ସମ୍ପାଦକ କୃତିବାସ ଦାସଙ୍କ ନେତୃତ୍ୱରେ ଭାଗବତ ମଲ୍ଳିକ, ଅନନ୍ତ ଚରଣ ଭୂୟାଁ ପ୍ରମୁଖ ତହସିଲଦାର ସମ୍ବିତ ଶତପଥିଙ୍କୁ ଭେଟି ଏହି ଦାବିପତ୍ର ପ୍ରଦାନ କରିଥିଲେ ।