ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ବଛାଳ ପଞ୍ଚାୟତର ବ୍ରାହ୍ମଣି ଗାଁ ଆଜକୁ ୪ ଦିନରୁ ଅଧିକ ହେବ ପାଣିଘେରରେ ରହିଛି। ପାଖାପାଖି ୪୦ ପରିବାରର ୨୦୦ ଶହରୁ ଉର୍ଦ୍ଧ ଲୋକ ଏହି ପାଣି ଘେର ଭିତରେ ରହୁଛନ୍ତି। ଗାଁ ଲୋକେ ବାହାରିବାକୁ କୌଣସି ରାସ୍ତା ନଥିବା ବେଳେ ସରକାରୀ ବୋଟ ହିଁ ଏକମାତ୍ର ଭରସା ।
ଏହି ବୋଟ ମାଧ୍ୟମରେ ଗ୍ରାମବାସୀମାନେ ଆବଶ୍ୟକ ଜିନିଷ ପତ୍ର ଆଣିବା ପାଇଁ ନିକତସ୍ଥ ମାର୍କେଟକୁ ଯାଇ ପୁଣି ଗାଁକୁ ବୋଟ ମାଧ୍ୟମରେ ଫେରିଥାନ୍ତି। ପାଣି ଘେରରେ ଲୋକମାନେ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କ ପାଖରେ ରିଲିଫ ସାମଗ୍ରୀ ଓ ଗୋଖାଦ୍ୟ ଆଦି ପହଞ୍ଚିନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି ।
ଏପରିକି ସବୁଠାରୁ ବଡ଼ କଥା ହେଲା ପିଇବା ପାଣି ପାଇଁ ଥିବା ଦୁଇଟି ଟ୍ୟୁବେଲରୁ ଗୋଟିଏ ଖରାପ ହୋଇଯାଇଥିବା ବେଳେ ଗୋଟିଏ ଟ୍ୟୁବେଲ ଉପରେ ସମସ୍ତେ ନିର୍ଭର କରୁଛନ୍ତି । ଏହି ବନ୍ୟା ବିପନ୍ନଙ୍କ ପାଖରେ ଖବର ସଂଗ୍ରହ କରିବା ପାଇଁ ବୋଟ୍ ଯୋଗେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛନ୍ତି ଆମ ପ୍ରତିନିଧି। ପ୍ରଶାସନ ପକ୍ଷରୁ ତୁରନ୍ତ ରିଲିଫ୍ ସାମଗ୍ରୀ ସହିତ ଗୋଖାଦ୍ୟ ପହଞ୍ଚାଇବା ପାଇଁ ବ୍ରାହ୍ମଣି ଗାଁ ବାସୀ ଅନୁରୋଧ କରିଛନ୍ତି।