ସୌଭାଗ୍ୟ ମହାନ୍ତି (ରାଜା ) : ମହାମାରୀ କରୋନା ପ୍ରଭାବରେ ଯେଉଁ କ୍ଷେତ୍ରଗୁଡିକ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି, ତା ମଧ୍ୟରେ ଶିକ୍ଷାକ୍ଷେତ୍ର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । କେବଳ କ୍ଷତିଗ୍ରସ୍ତ ଶିକ୍ଷା କ୍ଷେତ୍ର ସଂପୂର୍ଣ୍ଣ ବିପର୍ଯ୍ୟାସ୍ତ ହୋଇପଡ଼ିଛି ବୋଲି ନିସନେ୍ଦହରେ କୁହାଯାଇପାରିବ । କେବଳ ଭାରତ ନୁହେଁ , ସମଗ୍ର ବିଶ୍ୱରେ କରୋନା ଯୋଗୁଁ ପ୍ରାଥମିକ ଠାରୁ ଆରମ୍ଭ କରି ମହାବିଦ୍ୟାଳୟ ପର୍ଯ୍ୟନ୍ତ ସବୁ କିଛି ବିପର୍ଯ୍ୟାସ୍ତ ହୋଇପଡ଼ିଛି । ଗତ ୪ ତାରିଖରେ ଜାତିସଂଘ ପକ୍ଷରୁ ବିଶ୍ୱ ଶିକ୍ଷା ସ୍ଥିତି ନେଇ ପ୍ରକାଶିତ ରିପୋର୍ଟରେ ଯାହା କୁହାଯାଇଛି, ତାହା ଯେତିକି ଉଦ୍ବେଗଜନକ, ସେତିକି ଚିନ୍ତାଜନକ । ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସ୍କୁଲ, କଲେଜ ସମେତ ଅନ୍ୟ ଶିକ୍ଷାନୁଷ୍ଠାନଗୁଡିକ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ବନ୍ଦ ରହିବା ଫଳ ବିଶ୍ୱ ଛାତ୍ର ସଂଖ୍ୟାର ୯୪ ପ୍ରତିଶତ ଛାତ୍ରଛାତ୍ରୀଙ୍କ ଉପରେ ପ୍ରଭାବ ପକାଇଛି ।
ନିମ୍ନ ଏବଂ ନିମ୍ନ-ମଧ୍ୟବିତ ଆୟକାରୀ ରାଷ୍ଟ୍ରଗୁଡିକରେ ୯୯ ପ୍ରତିଶତ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟରେ କୁହାଯାଇଛି । ରେଡିଓ, ଟେଲିଭିଜନ, ଅନଲାଇନରେ ପିଲାମାନଙ୍କୁ ଶିକ୍ଷା ଦେବା ପାଇଁ ପିତାମାତା, ଶିକ୍ଷକ ଏବଂ ସରକାରଙ୍କ ପକ୍ଷରୁ ପ୍ରୟାସ ଜାରି ରହିଥିଲେ ମଧ୍ୟ ଶିକ୍ଷା ପାଇଁ ବହୁ ଛାତ୍ରଙ୍କ ନିକଟରେ ଏଭଳି ସାଧନ ନାହିଁ । ଅନଲାଇନରେ ଶିକ୍ଷା ଦାନ ଏବେ ଏକ ପ୍ରହସନରେ ପରିଣତ ହୋଇଛି ବୋଲି କହିଲେ ଭୁଲ ହୋଇନପାରେ । ନେଟୱାର୍କ ଅଭାବରୁ ଛାତ୍ରଛାତ୍ରୀମାନÿଙ୍କୁ କେଉଁଠି ପାହାଡ ଉପରେ ଚଢିବାକୁ ପଡୁଛି ତ, କେଉଁଠି ଗଛ ଉପରେ, କେଉଁଠି ପାଣିଟାଙ୍କି ଉପରେ ଚଢି ପାଠ ପଢିବାକୁ ହେଉଛି । ଦୁର୍ଗମ ଅଂଚଳରେ ଇଂଟରନେଟ ସୁବିଧା ତ ଦୂରର କଥା, ପିଲାଙ୍କ ନିକଟରେ ସ୍ମାର୍ଟଫୋନ୍ ସ୍ୱପ୍ନ ହୋଇ ରହିଛି । ସେହିପରି ଗରିବ, ନିମ୍ନ ଆୟକାରୀ, ମଧ୍ୟବିତ, ଶରଣାର୍ଥୀ, ଭିନ୍ନକ୍ଷମ ଦୁର୍ଗମ ଅଂଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ ସାଂପ୍ରତିକ ସମୟରେ ଶିକ୍ଷା ଏବେ ସଂପୂର୍ଣ୍ଣ ଅପହଂଚ ହୋଇପଡିଛି ବୋଲି ସ୍ୱୀକାର କରିବାକୁ ହେବ ।
ରିପୋର୍ଟରେ ଭାରତ ସଂପର୍କରେ ଯାହା କୁହାଯାଇଛି, ତାହା ଅତ୍ୟନ୍ତ ଚିନ୍ତାଜନକ । କରୋନା ମହାମାରୀ ଭାରତରେ ଶିକ୍ଷା ବ୍ୟବସ୍ଥା ସଂପୂର୍ଣ୍ଣ ବିପର୍ଯ୍ୟାସ୍ତ ହୋଇପଡ଼ିଛି । ୟୁନୋସ୍ଥୋ ରିପୋର୍ଟ ଅନୁଯାୟୀ ଭାରତରେ ୩୨୧ ମିଲିଅନ ଛାତ୍ରଛାତ୍ରୀ ଗତ ମାର୍ଚ୍ଚ ଶେଷ ଭାଗରୁ ଘରେ ବସି ରହିଛନ୍ତି । ତେବେ କେବେ ସ୍କୁଲ କଲେଜ ଖୋଲିବ, ତାହା କହିହେବ ନାହିଁ । ସେପ୍ଟେମ୍ବରରେ ସ୍କୁଲ ଖୋଲିବା ପାଇଁ ଅନଲକ୍-୩ରେ କେନ୍ଦ୍ର ସରକାର ଘୋଷଣା କରିଥିବା ସତ୍ୱେ ଏବେ ଦେଶରେ ଦୈନିକ ସଂକ୍ରମଣ ଯେପରି ବଢିଚାଲିଛି, ସେଥିରେ ସ୍କୁଲ, କଲେଜ ଆଦି ଖୋଲିବା ଆଶା କରିବା ଅତ୍ୟନ୍ତ ତରବରିଆ ହେବ ବୋଲି କହିଲେ ହୁଏତ ଭୁଲ ହୋଇନପାରେ । ଦେଶରେ ଶିକ୍ଷା ଏପରି ଶୋଚନୀୟ ଜଟିଳ ପରିସ୍ଥିତିର ସମ୍ୁଖୀନ ହୋଇଛି ଯେ, ବିନା ପରୀକ୍ଷାରେ ପିଲାଙ୍କୁ ପାଶ୍ କରାଇବାକୁ କର୍ତୁପକ୍ଷ ବାଧ୍ୟ ହୋଇଛନ୍ତି । ଦଶମ ଦ୍ୱାଦଶ ପରି ଗୁରୁତ୍ୱପୂର୍ଣ୍ଣ ବୋର୍ଡ ପରୀକ୍ଷାରେ ୩ଟି ବିଷୟରେ ସର୍ବାଧିକ ରଖିଥିବା ନମ୍ବର ଆଧାରରେ ଛାତ୍ରଛାତ୍ରୀମାନÿଙ୍କୁ ଗ୍ରେଡ୍ ଦିଆଯାଇଛି । କହିବା ବାହୁଲ୍ୟ ଯେ, ଯେତେବେଳେ ଦେଶରେ କରୋନା ସଂକ୍ରମଣ ମନ୍ଥର କିମ୍ବର ନିମ୍ନ ସ୍ତରରେ ଥିଲା, ସେତେବେଳେ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରି ଦିଆଯାଇଥିଲା । ଏବେ ବିଶ୍ୱରେ ସର୍ବାଧିକ ସଂକ୍ରମିତ ରାଷ୍ଟ ତାଲିକାରେ ତିନି ନମ୍ବର ସ୍ଥାନରେ ଭାରତ ରହିଥିବା ବେଳେ ଏବଂ ଦୈନିକ ସଂକ୍ରମଣ ୬୦ ହଜାର ଉପରେ ରହିଥିବା ସମୟରେ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ ।
ଉଲ୍ଲେଖଯୋଗ୍ୟ ଯେ, ଗତ ୨୦୦୯ ମସିହାରେ ଦେଶରେ ପିଲାମାନଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର (ରାଇଟ ଅଫ ଚିଲଡ୍ରେନ ଟୁ ଫ୍ରି ଆଣ୍ଡ କମ୍ପଲସରି ଏଜୁକେଶନ ଆକ୍ଟ – ୨୦୦୯) କାର୍ଯ୍ୟକାରୀ ହେବା ପରେ ପ୍ରାଥମିକ ସ୍କୁଲରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ଶିକ୍ଷା ଭିତିଭୂମି ମଧ୍ୟରେ ଯଥେଷ୍ଟ ଉନ୍ନତି ଆସିଛି । ମାତ୍ର ଶିକ୍ଷା ବାତାବରଣ ବା ଫଳାଫଳ ସନ୍ତୋଷଜନକ ହୋଇପାରି ନାହିଁ । ଏବେ କରୋନା ମହାମାରୀର ପ୍ରଭାବ ଏଥିପ୍ରତି ଗୁରୁତର ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସେହିପରି ମଧ୍ୟାହ୍ନ ଭୋଜନ ବନ୍ଦ ହୋଇଯିବା, ଅଭିଭାବକ ରୋଜଗାର ହରାଇବା ପରିସ୍ଥିତିକୁ ଆହୁରି ଜଟିଳ କରି ଦେଇଛି । ଏହା ପୁଣି ଡ୍ରପ-ଆଉଟ ବା ଅଧାରୁ ପାଠ ଛାଡ ସଂଖ୍ୟା ବୃଦ୍ଧି କରିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ଜାତିସଂଘର ଚେତାବନୀ ସମୟୋଚିତ ଏଥିପ୍ରତି ସରକାର ଧ୍ୟାନ ଦେବା ଏକାନ୍ତ ଜରୁରୀ ।