ରାୟଗଡା,୨୯।୮ (ରବିନ୍ଦ୍ର ପାଟଖଣ୍ଡାଳ)-ଭାକୁରଗୁଡା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଗନ ଚନ୍ଦ୍ର ସାହୁଙ୍କ ଦେହାନ୍ତରେ ଶିକ୍ଷକ ମହଲରେ ଗଭୀର ଶୋକର ଛାୟା ଖେଳି ଯାଇଛି । ସ୍ବର୍ଗତ ସାହୁ ଆସନ୍ତା ସେପ୍ଟେମ୍ବର ୩୦ରେ ଚାକିରୀ ଜୀବନରୁ ଅବସର ଗ୍ରହଣ କରି ଥାଆନ୍ତେ । ତା ପୂର୍ବରୁ ଆଜି ତାଙ୍କର ମୃତ୍ୟ ଭାକୁରଗୁଡା ବିଦ୍ୟାଳୟ ପରିସରରେ ସରକାରୀ ବାସ ଭବନରେ ହୋଇଛି ।
ମୃତ୍ୟୁ ବେଳକୁ ପାଖରେ ତାଙ୍କ ସ୍ତ୍ରୀ ସ୍ନେହଲତା ସାହୁ, ଏକମାତ୍ର ପୁତ୍ର ଶୁଭେନ୍ଦୁ କୁମାର ସାହୁ , ସହକାରୀ ଶିକ୍ଷକ ଦ୍ବିତୀ ଚନ୍ଦ୍ର ସାହୁ , ଶିକ୍ଷୟତ୍ରୀ ରୋଜାଲିନ ପରିଡା , ଅରୁନ୍ଧତୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ସାହୁ ଗତ କିଛି ମାସ ହେବ ପେଟଜନିତ ସମସ୍ୟାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ । ଆଜି ସକାଳେ ହଠାତ ତାଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବିଗିଡି ଗଲା ଏବଂ ତାର କିଛି ମୁହୂର୍ତ୍ତରେ ହିଁ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ସେ ଜଣେ ଅତ୍ୟନ୍ତ ମେଳାପୀ, ମିଷ୍ଠଭାଷୀ, ନିଷ୍ଠାବାନ ଛାତ୍ରବତ୍ସଳ ଆଦର୍ଶ ଶିକ୍ଷକ ଭାବେ ବେଶ ସୁପରିଚିତ । ଭାକୁରଗୁଡା ଆଶ୍ରମ ବିଦ୍ୟାଳୟକୁ ନୂଆ ରୂପରେଖ ପ୍ରଦାନ କରିବାରେ ସ୍ବର୍ଗତ ସାହୁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।
ତାଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ଭାକୁରଗୁଡା ଆଶ୍ରମ ବିଦ୍ୟାଳୟ ଏକ ନୂତନ ଶିଖରରେ ପହଂଚି ପାରିଛି । ତାଙ୍କ ଦେହାନ୍ତରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ବିଭାଗୀୟ ଡିଆଇ ଶ୍ୟାମ ଘନ ଭୂୟାଁ, ପୂର୍ବତନ ରାୟଗଡ ଉପଜିଲ୍ଲାପାଳ ତଥା ପିଡ଼ି ଡିଆରଡିଏ କୋରାପୁଟ ପ୍ରବୀର କୁମାର ନାୟକ, ଅବସରପ୍ରାପ୍ତ ପ୍ରଶାସକ ଶଶୀ ଭୂଷଣ ପାଢ଼ୀ, ମୁରଲୀଧର ପଟ୍ଟନାୟକ, ୟୁନିସେଫର ଶିକ୍ଷା ବିଭାଗ, ରାଜ୍ୟ ମୁଖ୍ୟ ସଂଯୋଜିକା ଲଳିତା ପଟ୍ଟନାୟକ, ସର୍ବୋଜିତା ବାନାର୍ଜୀ ସମେତ କଲ୍ୟାଣ ବିଭାଗ ଶିକ୍ଷକ ସଂଘର କର୍ମକର୍ତ୍ତା ତଥା ରାୟଗଡା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗରେ କର୍ମରତ ସମସ୍ତ ଶିକ୍ଷକ ମହଲରୁ ଗଭୀର ଶୋକ ପ୍ରକଟ ସହ ଅମର ଆତ୍ମାର ସଦଗତି କାମନା କରାଯାଇଛି । ଭାକୁରଗୁଡା ଗ୍ରାମବାସୀ ପକ୍ଷରୁ ତାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ ପରେ ଶେଷକୃତ ପାଇଁ ଶବକୁ ଯାଜପୁର ଜିଲ୍ଲା ଅନ୍ତର୍ଗତ ମଙ୍ଗଳପୁରକୁ ନିଆଯାଇଛି ।