ଯାଜପୁର : ଯାଜପୁର ଜିଲ୍ଲା ବରୀ ବ୍ଲକ୍ ଅଂଚଳରେ ଚଳିତ ବର୍ଷ ତଳି ରୁଆଧାନ ପଚି ନଷ୍ଟ ହେବାକୁ ବସିଛି । ଏ ନେଇ ଚାଷିକୂଳ ମୁଣ୍ଡରେ ହାତ ଦେଇ ବସିଥିଲାବେଳେ ଜମିରୁ ଜଳ ନିଷ୍କାସନ ପାଇଁ ସାଧାରଣରେ ଦାବି କରାଯାଇଛି । ଜଣାଯାଇଛି ଯେ ଲଘୁଚାପ ଜନିତ ଲଗାଣ ବର୍ଷାରେ ବିରୂପା, କେଲୁଅ, ବ୍ରାହ୍ମଣୀ, ଖରସ୍ରୋତାରେ ଜଳପତନ ବୃଦ୍ଧି ଘଟିଛି । ବିରୂପା, କେଲୁଅ ନଦୀର ଜଳ ଗମୁଁ ଓ ମହାକାଳପଡା ଠାରେ ଥିବା ସ୍ଲୁଇସ ଗେଟ୍ ଖୋଲାଥିବାରୁ ନଦୀଜଳ ପାଟ ଭିତରକୁ ପ୍ରବେଶ କରିଛି ।
ଏପଟେ ବର୍ଷା ଜଳ ସାଙ୍ଗକୁ ସେପଟେ ନଦୀରୁ ଆସିଥିବା ଜଳ ପାଟ ଜମିରେ ମିଶିଯାଇ ଜମି ରହିଛି । ଗମୁଁ, ମହାକାଳପଡା, ନୀଳାପଦା, ଅମଠପୁର, ରତ୍ନଗିରି, ଶୁକଳ, ମନ୍ଦାରୀ, ଚନ୍ଦନପୁର, ଅଲିଆବାଦ ପାଟରେ ପାଣି ଜମି ରହିଥିଲାବେଳେ ବାଲିଆ ପାଟରେ ଜଳ ନିଷ୍କାସନ ସୁବିଧା ନଥିବାରୁ ଜମିରେ ପାଣି ପସି ରହିଛି । ଯାହାଦ୍ୱାରା ୯ ହଜାର ହେକ୍ଟର ଧାନ ପଚି ନଷ୍ଟ ହେବାକୁ ଯାଉଛି ।
ବର୍ଷା ଛାଡିଯିବା ପରେ ଜଳ ସେଚନ ବିଭାଗ ସ୍ଲୁଇସ ଗେଟ ବନ୍ଦ କରି ଦେଇଛି । ଯାହାଫଳରେ ବର୍ଷାଜଳ ନିଷ୍କାସନ ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି । ଏ ନେଇ ଚାଷିଙ୍କ ମୁଣ୍ଡରେ ଚଡକ ପଡିଛି । ୠଣ ଆଣି ଚାଷି ରୁହା ପୋଦା କରିଥିଲା ବେଳେ ନଷ୍ଟ ହେବା ଦେଖି ଚାଷି ଚିନ୍ତାରେ ବାଙ୍ଗି ପଡିଛି ବୋଲି କୃଷକ ନେତା ମୁକୁନ୍ଦ ସାମଲ, ପୂର୍ବତନ ସରପଂଚ ସଂଗ୍ରାମ ସାମଲ, ସଞ୍ଜୟ ଦାସ, ବା‚ାନିଧି ସାହୁ, ପ୍ରଶାନ୍ତ ସାହୁ ପ୍ରମୁଖ ଜଳ ନିଷ୍କାସନ ପାଇଁ ଦାବି କରିଛନ୍ତି । ସେହିପରି ବରୀ, ଅଟିରା, କିମ୍ଭିରିଆପାଳ, ଅନ୍ୟାସୀପୁର ଆଦି ପଂଚାୟତ ପାଟରେ ବନ୍ୟାପାଣି ଜମି ରହିଛି । ଏଥି ସହିତ ପନିପରିବା ଚାଷ ମଧ୍ୟ ନଷ୍ଟ ହୋଇଯାଇଛି । କୃଷି ବିଭାଗ ଏସବୁ ଅଂଚଳ ପରିଦର୍ଶନ କରି ପଦକ୍ଷେପ ନେବାକୁ ଦୀପକ ସାମଲ, ଶିବ ପ୍ରସାଦ ସିଂ ଦାବି କରିଛନ୍ତି