(ଯଦୁମଣି ପାଣିଗ୍ରାହୀ) : ତିହିଡି ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତର ସାଲପୁର ଗାଁର କୃଷ୍ଣଚନ୍ଦ୍ର ମାଝୀଙ୍କ ପୁଅ କମଳ କିଶୋର ମାଝୀ ପ୍ରସ୍ତୁତ କରିଛନ୍ତି ମନିପର୍ସ ସାନିଟାଇଜର ଓ ପାଦଚଲା ସାନିଟାଇଜର । ଅତି କମ ଖର୍ଚ୍ଚରେ ଲୋକେ ଏହା ବ୍ୟବହାର କରି ପାରିବା ସହିତ କରୋନାକୁ ରୋକି ପାରିବେ ବୋଲି ଶ୍ରୀ ମାଝି ଆଶା ବ୍ୟକ୍ତ କରିଛନ୍ତି । ପୂର୍ବରୁ କମଳ କିଶୋର ସବୁଠାରୁ ଛୋଟ ଭେକୁ୍ୟମ୍ କ୍ଲିନର ପ୍ରସ୍ତୁତ କରି ‘ଗିନିଜ୍ ବୁକ୍ ଅଫ୍ ରେକର୍ଡ’ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସଂପ୍ରତି ମନିପର୍ସ ସାନିଟାଇଜର ଓ ପାଦ ଚଲା ସାନିଟାଇଜର ପ୍ରସ୍ତୁତ କରିବା ଘଟଣା ତାଙ୍କୁ ନୂଆ ପରିଚିତି ଆଣିଦେଇଛିି ।
ଶିକ୍ଷକ କୃଷ୍ଣଚନ୍ଦ୍ର ମାଝୀ ଓ କୁନ୍ତଳା ମାଝୀଙ୍କ ପୁଅ କମଳକିଶୋରଙ୍କ ଏହି କାର୍ଯ୍ୟ ଲାଗି ସମଗ୍ର ଗୋବିନ୍ଦପୁର ପଞ୍ଚାୟତ ଆଜି ଗର୍ବିତ । କୋଭିଡ୍-୧୯ ବିରୋଧରେ ବିଶ୍ୱବ୍ୟାପୀ ଲଢେଇ ଚାଲିଥିବା ବେଳେ କମଳ କିଶୋର ମଧ୍ୟ ଗୁଣ୍ଡୁଚି ମୂଷାର ଭୂମିକା ନିର୍ବାହ କରିଛନ୍ତି । କମଳକିଶୋରଙ୍କ ଏହି ସଫଳତାକୁ ସମ୍ମାନ ଜଣାଇ ଗୋବିନ୍ଦପୁର ପଞ୍ଚାୟତ ପକ୍ଷରୁ ତାଙ୍କୁ ପବିତ୍ର ସ୍ୱାଧୀନତା ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି । ସରପଞ୍ଚ ମାନସ ରଞ୍ଜନ ସାହୁ ଓ ସମିତି ସଭ୍ୟା ବିଦ୍ୟାବତୀ ମହାନ୍ତି, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସସ୍ମିତା ବାରିକ, ଜିଆରଏସ ବିରଞ୍ଚô ନାରାୟଣ ଦାସ, ପୂର୍ବତନ ସମିତି ସଭ୍ୟ ଲିଙ୍ଗରାଜ ନାୟକ ଓ କମଳାକାନ୍ତ ମାଝୀ ପ୍ରମୁଖ କମଳ କିଶୋରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।