ଯାଜପୁରସଦର : ରାଜ୍ୟ ସରକାର ପଲିଥିନ ବ୍ୟବହାରକୁ ନିଷେଧ କରିବାକୁ ବ୍ୟାପକ ସଚେତନତା ସୃଷ୍ଟି କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଗାଁ ଠାରୁ ସହର ପର୍ଯ୍ୟନ୍ତ ସଚେତନତା କରାଯାଇଥିଲା । ଏଥିପାଇଁ ସରାକର ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ସଚେତନତା କରାଇଥିଲେ । ଗତ ୨୦୧୯ ମସିହା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିନ ଠାରୁ ପଲିଥିନ ବ୍ୟବହାର ନିଷେଧ ବୋଲି କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଥିଲେ । ହେଲେ କିଛି ଅମାନିଆ ବ୍ୟବସାୟୀଙ୍କ ପାଇଁ ଏହା ଯଥା ପୂର୍ବଂ ତଥା ପରଂ ଅବସ୍ଥାକୁ ଚାଲି ଆସିଥିବାର ଦେଖାଯାଇଛି ।
ଏବେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଛୋଟ ବଡ ଦୋକାନରେ ପଲିଥିନର ବହୁଳ କାରବାର ହେଉଥିବାର ଦେଖାଯାଉଛି । ଜିଲ୍ଲାରେ ପଲିଥିନ ଏବେ ଏତେ ମାତ୍ରାରେ ବ୍ୟବହାର ହେଉଛି ଲାଗିଛି ସରକାର ବା ପ୍ରଶାସନ ପକ୍ଷରୁ ସତେ ଯେମିତି କଟକଣା କୁ ଉଠାଇ ଦିଆଯାଇଛି । ଜନସାଧାରଣ ମଧ୍ୟ ପଲିଥିନ ଉପରେ ଏତେ ମାତ୍ରାରେ ନିର୍ଭର କରୁଛନ୍ତି କି ଜରି ଓ ପଲିଥିନ ବିନା ଯେମିତି ଚଳିପାରିବେନି । ଏବେ ଗାଁ ଓ ସହରରେ କୁଢ଼ କୁଢ଼ ପଲିଥିନ ଗଦା ହେଉଥିବାର ଦେଖାଯାଉଛି । ଅସ୍ୱାସ୍ଥ୍ୟକର ପରିବେଶ ପାଇଁ ପଲିଥିନ, ଜରିର ବହୁଳ ବ୍ୟବହାର ମୁଖତ ଦାୟି ରହୁଥିବାବେଳେ ନିଷେଧ କଟକଣାକୁ କଡାକଡି ଭାବେ ପାଳନ କରିବା ପାଇଁ ଜିଲ୍ଳା ପ୍ରଶାସନ ଦୃଢ଼ ପଦକ୍ଷେପ ନେବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।