Odisha news

ସୁଦର୍ଶନ ଉଚ୍ଚ ବିଦ୍ୟାଳୟ ଜମିରେ ବେଆଇନ ନିର୍ମାଣ ଅଭିଯୋଗ

0

କେନ୍ଦ୍ରାପଡା (ରବୀନ୍ଦ୍ର ଦାଶ ) : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ୍ ଅନ୍ତଗତ ଠାକୁହାଟସ୍ଥିତ ସୁଦର୍ଶନ ଉଚ୍ଚ ବିଦ୍ୟାଳୟ ଜମିରେ ବେଆଇନ ନିର୍ମାଣ କାର୍ଯ୍ୟ ହେଉଥିବାର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ବିଦ୍ୟାଳୟ ପରିସରରେ ସାର୍ବଜନିନ ପାର୍କ ନିର୍ମାଣ,ପଂଚାୟତ ଭବନ ନିର୍ମାଣ,ବିଦ୍ୟାଳୟ ପରିସରରୁ ମାଟି ଉଠାଇ ଖାଲ କରାଯିବା ଏବଂ ବିଦ୍ୟାଳୟ ଜମିରେ ମାଟି ପକାଯାଇ ହୋଟେଲ ନିର୍ମାଣ କରାଯିବା ଲାଗି ପ୍ରୟାସ ଚାଲି ବୋଲି ଅଭିଯୋଗ ହୋଇଛି ।

ଏସବୁ କରାଯିବା ଦ୍ୱାରା ବିଦ୍ୟାଳୟ ପରିସର ଦିନକୁ ଦିନ ସଂକୁଚିତ ହେବାରେ ଲାଗିଛି । ମୁଷ୍ଟିମେୟ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ବଳି ପକାଯାଉଥିବା ଅଭିଯୋଗ ହୋଇଛି । ଏ ଅଂଚଳର ୪/୫ଟି ପଂଚାୟତର ପିଲାମାନେ ଶିକ୍ଷାଲାଭ କରିବା ପାଇଁ ଏହି ବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି । ନୂତନ ଶିକ୍ଷା ନୀତି ଅନୁଯାଇ ହାଇସ୍କୁଲରେ +୨ ଶିକ୍ଷା ମିଶିବାକୁ ଯାଉଥିବା ବେଳେ ଏଠାରେ ଶ୍ରେଣୀକକ୍ଷର ବହୁ ଆବଶ୍ୟକତା ରହିଛି । ବିଦ୍ୟାଳୟରେ ଯଥେଷ୍ଟ ଶ୍ରେଣୀ ଗୃହର ଅଭାବ ଥିବା ବେଳେ ସଭାଗୃହ,ପାଠାଗାର,ଛାତ୍ରଛାତ୍ରୀଙ୍କ ପାଇଁ ସାଧାରଣ କୋଠରୀ ସମେତ ବିଜ୍ଞାନାଗାର ପ୍ରଭୃତିର ଆବଶ୍ୟକତା ଅଛି । ଏହା ଏକ ପୁରାତନ ବିଦ୍ୟାଳୟ ହୋଇଥିଲେ ମଧ୍ୟ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଏଠାରେ ନାହାଁନ୍ତି ।

କ୍ରୀଡା ଶିକ୍ଷକ ବହୁଦିନ ହେବ ଡେପୁଟେସନରେ ଅନ୍ୟତ୍ର ପଠାଇଦିଆଯାଇଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ହିନ୍ଦି ଶିକ୍ଷକଙ୍କ ଅବସରଗ୍ରହଣ ପରେ ଏହି ପଦରେ ତୁରନ୍ତ ଶିକ୍ଷକ ନିଯୁକ୍ତି ପ୍ରଦାନ ନିମନ୍ତେ ଦାବି କରାଯାଇଛି । ବିଦ୍ୟାଳୟର ରାତ୍ର ଜଗୁଆଳି ଅବସର ନେବା ପରେ ସେହି ପଦରେ ମଧ୍ୟ କାହାକୁ ନିଯୁକ୍ତି ପ୍ରଦାନ କରାଯାଇନାହିଁ । ଏହା ଏକ ନୋଡାଲ ଉଚ୍ଚ ବିଦ୍ୟାଳୟ ହୋଇଥିବା ବେଳେ ଏହାର ଚର୍ତୁପାଶ୍ୱର୍ରେ ପାଚେରୀ ନଥିବାରୁ ଦୈନିକ ସନ୍ଧ୍ୟାରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମୁଥିବାରୁ ବିଦ୍ୟାଳୟ ପାଚେରୀ ନିର୍ମାଣ ନିତ୍ୟାନ୍ତ ଆବଶ୍ୟକ । ତେଣୁ ଏସବୁ ସମସ୍ୟାର ନିରାକରଣ ପାଇଁ ପଂଚାୟତବାସୀଙ୍କ ପକ୍ଷରୁ କାଙ୍ଗାଳି ଚରଣ ବାରିକ, ରମେଶ ପାତ୍ର, ସରୋଜକାନ୍ତ ବିହାରୀ, ଚନ୍ଦ୍ରକାନ୍ତି ରଣା, ଗୋବିନ୍ଦ ଚୁଳି ପ୍ରମୁଖ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଦାବିକରିଛନ୍ତି ।

Leave A Reply