ଭଞ୍ଜନଗର,୧୨/୮ – ଭଞ୍ଜନଗରର ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ କଂଗ୍ରେସର କୋର କମିଟି ସଦସ୍ୟ ନୃସିଂହ କୁମାର ରଥଙ୍କ ପରଲୋକ । ଭଞ୍ଜନଗରସ୍ଥିତ ନିଜ ବାସଭବନ ପରିସରରେ ବୁଧବାର ଭୋର ୪ଟା ୪୫ ମିନଟ୍ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୬୨ବର୍ଷ ହୋଇଥିଲା । ଜଣେ ଆମାୟିକ, ମେଳାପୀ, ବନ୍ଧୁବତ୍ସଳ ତଥା ଦଳୀୟ ସଂଗଠକଭାବେ ସେ ଭଞ୍ଜନଗର ଅଂଚଳରେ ବେଶ ଜଣାଶୁଣା ଥିଲେ । ତାଙ୍କର ମୃତ୍ୟୁରେ ସମଗ୍ର ଭଞ୍ଜନଗର ଅଂଚଳରେ ଶୋକର ଛାୟା ଖେଳିଯାଇଛି ।
ରାଜ୍ୟର ପୂର୍ବତନ ମନ୍ତ୍ରୀ, ବାଚସ୍ପତି, ତଥା ଲୋକସଭା ସଦସ୍ୟ ସ୍ୱର୍ଗତ ସୋମନାଥ ରଥଙ୍କ ସାନପୁଅ ନୃସିଂହଙ୍କ ମୃତ୍ୟୁରେ ସ୍ଥାନୀୟ କଂଗ୍ରେସରେ ଏକ ବିରାଟ ଶୁନ୍ୟତା ସୃଷ୍ଟି ହୋଇଛିବୋଲି ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ନିଜ ଶୋକବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । କଂଗ୍ରେସ ଦଳ ପାଇଁ ନୃସିଂହ ରଥଙ୍କ ତ୍ୟାଗର ପଟାନ୍ତର ନାହିଁ । ସେ ଦଳୀୟ ସଂଗଠନକୁ ସୁଦୃଢ କରିବା କ୍ଷେତ୍ରରେ ଜଣେ ଆଗଧାଡିର ନେତାଭାବେ କାର୍ଯ୍ୟ କରୁଥିଲେ ମଧ୍ୟ କେବେ ନିଜେ କୌଣସି ପଦପଦବୀ ପାଇଁ ଆଶା ରଖିନଥିଲେବୋଲି ପିସିସି ସଭାପତି ପଟ୍ଟନାୟକ ନିଜ ପ୍ରତିକି୍ରୟାରେ ଉଲ୍ଲେଖ କରିଛନ୍ତି ।
ଜଣେ ଓକିଲଭାବେ ନିଜ କର୍ମମୟ ଜୀବନ ଭଞ୍ଜନଗର ବାରରୁ ଆରମ୍ଭ କରିଥିଲେ ନୃସିଂହ କୁମାର ରଥ । ଆଉ ତାଙ୍କର ମୃତ୍ୟୁ ଖବର ପ୍ରଚାରିତ ହେବାମାତ୍ରେ ବାର ସଭାପତି ଗୋପାଳକୃଷ୍ଣ ପ୍ରଧାନ, ସଂପାଦକ ଅକ୍ଷୟ କୁମାର ସାହୁଙ୍କ ସମେତ ବରିଷ୍ଠ ଓକିଲ ଏମ୍. ତାଜ ଆଦେନୀ, ସନ୍ତୋଷ କୁମାର ନାୟକ, ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କ ସହ ବହୁ ଓକିଲ ବନ୍ଧୁ ତାଙ୍କ ବାସଭବନ ନିକଟରେ ଉପସ୍ଥିତ ରହି କୋଭିଡ ନିୟମ ଅନୁପାଳନ ପୂର୍ବକ ଶେଷ ଦର୍ଶନ କରିଥିଲେ ।
ନୃସିଂହଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କର ବିଧବା ପତ୍ନୀଙ୍କ ସମେତ ୨ ପୁଅ ବୋହୁ, ବଡଭାଇ ବିନୟ କୁମାର ରଥ ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତଥିଲେ । ଗତ ଏକବର୍ଷ ତଳେ ନୃସିଂହଙ୍କ ଦେହରେ କର୍କଟ ରୋଗର ଲକ୍ଷଣ ଦେଖାଦେଇଥିଲା । ଆଉ ସେ ତୁରନ୍ତ ବାଙ୍ଗାଲୋର ଓ ମୁମ୍ବାଇରେ ରହି ଦୀର୍ଘକାଳୀନ ଚିକିତ୍ସା କରି ୬ମାସ ତଳେ ଭଞ୍ଜନଗର ଫେରିଥିଲେ । ନୃସିଂହଙ୍କ ମୃତ୍ୟୁରେ ଦଳମତ ନିର୍ବିଶେଷରେ ବହୁ ବ୍ୟକ୍ତିବିଶେଷ ତାଙ୍କ ଶବଧାର ନିକଟରେ ଉପସ୍ଥିତ ରହି ଶେଷଦର୍ଶନ କରିବାସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଟାଉନ ବିଜେଡି ସଭାପତି ରାଜେନ୍ଦ୍ର କୁମାର ବିଶୋୟୀ, ବିଜେପିର ବରିଷ୍ଠ ନେତା ସନ୍ତୋଷ କୁମାର ତିଆଡି, ପିସିସି ସଭ୍ୟ ଦେବୀ ବିଶୋୟୀ, କଂଗ୍ରେସର ପୂର୍ବତନ ବ୍ଲକ ସଭାପତି ଅଯୋଧ୍ୟାନାଥ ମହାପାତ୍ର, ଯୁବ କଂଗ୍ରେସ ନେତା ପ୍ରଶାନ୍ତ କୁମାର ବିଶୋୟୀଙ୍କ ସମେତ ବହୁ ବ୍ୟକ୍ତିବିଶେଷ କୋଭିଡ ନିୟମ ପାଳନ ସହ ସ୍ୱର୍ଗତ ରଥଙ୍କ ଶେଷଦର୍ଶନ କରିଥିଲେ ।