ବେତନଟୀ : ବେତନଟୀ ଉପକଣ୍ଠ ତୁଳସୀଚୌରା ନିକଟରେ ଏକ ଧଳା ରଙ୍ଗର ବଲେରୋ ଗତକାଲି ରାତ୍ରୀରେ ଏକ ପଲସର ମୋଟର ସାଇକେଲକୁ ଧକ୍କା ଦେଇ ଫେରାର ହୋଇ ଯାଇଛି । ଏହି ମୋଟର ସାଇକେଲରେ ଥିବା ତିନି ଜଣଙ୍କ ମଧ୍ୟରୁ ଗତକାଲି ରାତ୍ରୀରେ ବେତନଟୀ ଥାନା ଅଧୀନ ଆମ୍ବଯୋଡାର ସଜନ ନାଏକଙ୍କର ମୃତ୍ୟୁ ହୋଇ ଯାଇ ଥିଲା । ଗୁରୁତର ଅବସ୍ଥାରେ ଗତକାଲି ରାତ୍ରୀରେ ବଡସାହି ଥାନା ଅଧୀନ ପଥରାର ମନୋରଞ୍ଜ ନାଏକ ଓ ବାଗୁଲିର ଅଜୟ ନାଏକଙ୍କୁ ବାରିପଦା ଜିଲ୍ଲା ମୁଖ୍ୟାଳୟ ଡାକ୍ତରଖାନାକୁ ସ୍ଥାନାନ୍ତର କରା ଯାଇ ଥିଲା । ସେଠାରେ ଅଜୁ ନାଏକଙ୍କର ମୃତ୍ୟୁ ହୋଇ ଯାଇ ଥିବା ବେଳେ ମନୋରଞ୍ଜନ ନାଏକ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି ।
ମୋଟର ସାଇକେଲକୁ ଧକ୍କା ଦେଇ ଥିବା ବଲେରୋଟି ଘଟଣା ସ୍ଥଳରୁ ଫେରାର ହୋଇ ଯାଇ ଥିବାର ଜଣା ପଡିଛି । ବଲେରୋର ଆଗ ଅଂଶ ଏହି ଦୁର୍ଘଟଣାରେ ଭାଙ୍ଗି ଯାଇ ଥିବାର ଜଣା ପଡିଛି । ଆଜି ସଜନ ନାଏକଙ୍କ ଭାଈ ଧରଣୀଧର ନାଏକ ବେତନଟୀ ଥାନାରେ ଲିଖିତ ଭାବେ ଅଭିଯୋଗ କରିବା ପରେ ବେତନଟୀ ଥାନା ଆଇଆଇସି ଅଶୋକ କୁମାର ନାୟକ ଦଫା ୨୭୯, ୩୩୭, ୩୩୮, ୩୦୪ (କ) ମୂଳେ ମାମଲା ନମ୍ବର ୧୭୩/୨୦୨୦ ରୁଜୁ କରି ଏସଆଇ ବିନୟ ରଞ୍ଜନ ପରିଡାଙ୍କୁ ତଦନ୍ତ ଭାର ପ୍ରଦାନ କରିଛନ୍ତି । ଶ୍ରୀ ପରିଡା ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ବାରିପଦା ଜିଲ୍ଲା ମୁଖ୍ୟ ଚିକିସôାଳୟକୁ ଯାଇ ଦୁଇଟି ଯାକ ଶବକୁ ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ । ତେବେ ମୃତଦେହ ଗ୍ରାମକୁ ଫେରିବା ପରେ ଗ୍ରାମରେ ଶୋକାକୂଳ ପରିସ୍ଥିତି ଦେଖା ଦେଇଛି । ପୋଲିସ ସଂପୃକ୍ତ ବଲେରୋଟିକୁ ଖୋଜୁ ଥିବାର ଜଣା ପଡିଛି ।