ଖଇରା : ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧୀନ ମାଣିତ୍ରୀ ସେବା ସମିତିରେ ସମ୍ପାଦକ ନିଯୁକ୍ତିରେ ବିଳମ୍ବ ଘଟୁଥିବା ଚାଷୀମାନେ ବିଚଳିତ ହୋଇ ପଡିଛନ୍ତି । ୨୦୧୮ ମସିହାରୁ ଅଦ୍ୟାବଧି ନିଯୁକ୍ତି ନେଇ ବାଦ ବିବାଦ ଲାଗି ରହିଥିବା ବେଳେ ଉଚ୍ଚ ଅଦାଲତର ନିଦେ୍ର୍ଦଶ ସତ୍ୱେ ନିଯୁକ୍ତି କମିଟି ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଏହାର ଫଳ ସାଧାରଣ ଚାଷୀଙ୍କୁ ଭୋଗିବାକୁ ପଡୁଛି । ବର୍ତ୍ତମାନ ଧାନ ରୁଆ ପୋତା ସମୟ ହୋଇଥବାରୁ ପ୍ରତ୍ୟେକ ଦିନ ଶହ ଶହ ଚାଷୀ ଋଣ ସାର ତଥା ଧାନବିକ୍ରୀ ପାଇଁ ପଞ୍ଜିକରଣ ପାଇଁ ସମିତି କାର୍ଯ୍ୟାଳୟକୁ ଆସୁଛନ୍ତି ।
ଏଭଳି ସମୟରେ ଜଣେ ସ୍ଥାୟୀ ସମ୍ପାଦକ ଅଭାବ ଚାଷୀଙ୍କ ମଧ୍ୟରେ ହତାଶ ଭାବ ସୃଷ୍ଟି କରିଛି । ୨୦୧୪ମସିହା ଫେବୃଆରୀ ୨୨ତାରିଖରେ ସ୍ଥାୟୀ ସମ୍ପାଦକ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ ପାଇଥିଲା । ଏଥିପାଇଁ ନିଯୁକ୍ତି କମିଟି ୨୦୧୮ ଫେବୃଆରୀ ୨୬ତାରିଖରେ ଯୋଗ୍ୟତା ତାଲିକାକୁ ଆସିଥିବା ୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ସର୍ବାଧିକ ପଏଣ୍ଟ ହାସଲ କରିଥିବା ହୃଷିକେଶ ସାହୁଙ୍କୁ ନିଯୁକ୍ତି ଦେଇଥିଲେ । ହେଲେ ନିଯୁକ୍ତିରୁ ବାଦ ପଡିଥିବା ଜନୈକ ଆବେଦନକାରୀ ଉତ୍ତମ କୁମାର ପାଣିଗ୍ରାହୀ ଉଚ୍ଚ ଅଦାଲତର ଆଶ୍ରୟ ନେବା ପରେ ଅଦାଲତ ବାଲେଶ୍ୱର ଜିଲାପାଳଙ୍କୁ ନିଯୁକ୍ତି ପାଇଁ ନିଦେ୍ର୍ଦଶନାମା ଜାରି କରିଥିଲେ ।
ହେଲେ ଜିଲ୍ଲାପାଳ ତରବରିଆ ଭାବେ ନିଯୁକ୍ତି କମିଟି ସହ ବିଚାର ବିମର୍ଷ ନକରି ଉତ୍ତମ ପାଣିଗ୍ରାହୀଙ୍କ ନିଯୁକ୍ତିଦେବା ପ୍ରତିବାଦରେ ପୁନଶ୍ଚ ହୃଷିକେଶ ଉଚ୍ଚ ଅଦାଲତର ଆଶ୍ରୟ ନେଇଥିଲେ । ୨୦୨୦ ମସିହା ଫେବୃଆରୀ ୨୭ତାରିଖରେ ଉଚ୍ଚ ଅଦାଲତ ଉକ୍ତ ମାମଲା ଡବ୍ଲ୍ୟ ପି(ସି)୧୬୦୪୧ ଅଫ୨୦୧୮ ର ବିଚାର କରି ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆଉ କୌଣସୀ ନୂତନ ନିଯୁକ୍ତି ନଦେବାକୁ ନିଦେ୍ର୍ଦଶନାମା ଦେବା ସହ ଅନ୍ୟ ନିଯୁକ୍ତି ପର୍ଯ୍ୟନ୍ତ ପୁର୍ବ ନିଯୁକ୍ତ କାଏମ ରଖିବା ସମ୍ପର୍କରେ ମତ ରଖିଥିଲେ । ଏହି ରାୟକୁ ଭିତ୍ତି କରି ନିଯୁକ୍ତି କମିଟି ଦ୍ୱାରା ନିଯୁକ୍ତ ହୋଇଥିବା ସମ୍ପାଦକ ହୃଷିକେଶ ସାହୁ ମୁଖ୍ୟ ନିବନ୍ଧକ,ଭଦ୍ରକ ସହ ନିବନ୍ଧକଙ୍କୁ ଭେଟି କୋର୍ଟ ରାୟ ମୁତାବକ ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଅବସ୍ଥାପିତ କରିବାକୁ ଲିଖିତ ଭାବେ ଯୁକ୍ତି ଦର୍ଶାଇଥିଲେ ।
ନିଯୁକ୍ତି ନମିଳିବା ପ୍ରତିବାଦରେ ସେ ଲିଖିତ ଅଭିଯୋଗ ରାଜ୍ୟପାଳ,ମୁଖ୍ୟମନ୍ତ୍ରୀ,ଯୋଗାଣ ସାମଗ୍ରୀ ଖାଉଟି କଲ୍ୟାଣ ଓ ସମନ୍ୱୟ ବିଭାଗ ମନ୍ତ୍ରୀ,ବିଭାଗୀୟ ସଚୀବ,ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ସେପଟେ ତୁରନ୍ତ ସମ୍ପାଦକ କରାନଗଲେ ଚାଷୀ ମାନେ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ଭଦ୍ରକ ଉପ ନିବନ୍ଧକ ସନ୍ତୋଷ ଦାସଙ୍କୁ ପଚାରିବାରେ କୋର୍ଟ ରାୟ ଆସିବା ପରେ ଏ ସମ୍ପର୍କରେ ରାଜ୍ୟ ନିବନ୍ଧକଙ୍କ ଚିଠିକୁ ଅପେକ୍ଷା କରାଯାଇଛି । ତାହା ଆସିବା ପରେ ନିଯୁକ୍ତି ସମ୍ପର୍କରେ ଯାହାକିଛି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।