ସାଲେପୁର : ସାଲେପୁର ମୁଖ୍ୟଡାକଘର ଏହି ଅଞ୍ଚଳର ଏକ ଗୁରୁତ୍ୱପୂର୍ଣ୍ଣ ଡାକଘର ହୋଇଥିବାବେଳେ ଦୀର୍ଘ ୧୫ଦିନ ହେବ ଏହି ଡାକଘରେ ଲିଙ୍କ୍ ଫେଲ୍ ହୋଇଥିବା ନେଇ କୌଣସି ଅନ୍ଲାଇନ୍ କାର୍ଯ୍ୟ କରାଯାଇପାରୁନାହିଁ । ବିଶେଷ କରି ବହୁ ଦୂରଦୂରାନ୍ତରରୁ ଏହି ଡାକଘରକୁ ଟଙ୍କା ଉଠାଇବାପାଇଁ ଆସୁଥିବା ଗ୍ରାହକମାନେ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଠିଆ ହୋଇ ଶେଷରେ ଟଙ୍କା ଉଠାଇ ନପାରି ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି ।
ପ୍ରକାଶ ଯେ ସାଲେପୁର, ମାହାଙ୍ଗା, ନିଶ୍ଚିନ୍ତକୋଇଲି ଆଦି ବ୍ଲକ୍ର ସାଲେପୁର ଡାକଘର ଏକ ମୁଖ୍ୟ ଡାକଘର ଅଟେ । କଟକ କେନ୍ଦ୍ରାପଡ଼ା ପରେ ଏହା ମୁଖ୍ୟ ଡାକଘର ହୋଇଥିବାବେଳେ ନିୟମିତ ଏହି ଡାକଘରକୁ ବିଭିନ୍ନ କାର୍ଯ୍ୟ ନେଇ ବହୁ ଦୂରଦୂରାାନ୍ତରରରୁ ଲୋକମାନେ ଆସିଥାନ୍ତି । କିନ୍ତୁ ଲିଙ୍କ୍ ଫେଲ୍ ଯୋଗୁ ଟଙ୍କା ଡିପୋଜିଟ୍, ଉଠାଣ, ସାର୍ଟିଫିକେଟ୍ ଏନ୍କ୍ୟାସ୍, ସ୍ପିଡ୍ପୋଷ୍ଟ ଓ ମନିଅର୍ଡର ଆଦି କାର୍ଯ୍ୟ ହୋଇପାରୁନାହିଁ । ଏହି ସମସ୍ୟା ଦୀର୍ଘ ୧୫ଦିନ ଧରି ଲାଗିରହିଥିବାବେଳେ ଅଧିକାଂଶ ଦିନରେ ୧୨ଟାପରେ ଲିଙ୍କ୍ ଫେଲ୍ ହେଉଥିବାବେଳେ ଆଜି ସଂପୂର୍ଣ୍ଣ ଭାବେ ଏହି ପୋଷ୍ଟାଲରେ ଲିଙ୍କ୍ ଫେଲ୍ ହୋଇଥିବାରୁ ସାଲେପୁର ଡାକଘରେ କୌଣସି କାର୍ଯ୍ୟ ହୋଇପାରିନାହିଁ ।
ଏହାନେଇ ଗ୍ରାହକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ସଂପର୍କରେ ଆମ ପ୍ରତିନିଧି ସାଲେପୁର ମୁଖ୍ୟ ଡାକଘରର ପୋଷ୍ଟ ମାଷ୍ଟର ଅଚୁ୍ୟତାନନ୍ଦ ମିଶ୍ରଙ୍କୁ ପଚାରିବାରୁ ଏହି ସମସ୍ୟା ଦୀର୍ଘ ୧୫ଦିନ ଧରି ଲାଗିରହିଛି, ଖାଲି ସାଲେପୁରରେ ନୁହେଁ, ସମଗ୍ର ଓଡ଼ିଶାରେ ଏହି ସମସ୍ୟା ଉପୁଜିଥିବା ସେ କହିଥିଲେ । ଯେଉଁ ଡାକଘରେ ନିଜସ୍ୱ ଟାୱାର ଅଛି, ସେମାନେ କାର୍ଯ୍ୟ କରିପାରୁଥିବାବେଳେ ଯାହାର ଏହି ସୁବିଧା ନାହିଁ ଲିଙ୍କ୍ ଫେଲ୍ ଯୋଗୁ କୌଣସି କାର୍ଯ୍ୟ କରିପାରୁନାହାଁନ୍ତି । ଏପରିକି ଆଜି ସକାଳୁ ଅପରାହ୍ଣ ପର୍ଯ୍ୟନ୍ତ ଲିଙ୍କ୍ ଫେଲ୍ ହୋଇଥିବାରୁ ସାଲେପୁର ଡାକଘରେ କୌଣସି କାର୍ଯ୍ୟ ହୋଇପାରିନାହିଁ ବୋଲି ସେ ପ୍ରକାଶ କରିଥିଲେ ।