Odisha news

ସହମତି ଓ ସଂପର୍କ

0
ସୌଭାଗ୍ୟବତୀ ଗିରି : ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ,ତତ୍ର ରମନ୍ତେ ଦେବତା l ଏକଥା ମୁଁ କହୁନି,ଶାସ୍ତ୍ର କହୁଛି l କିନ୍ତୁ ଏ କଥାଟିକୁ ଆଉ ଶୁଣୁଛି କିଏ ନା ମାନୁଛି କିଏ l ଏବେ ସମସ୍ତେ ଏୟା ଦେଖେଇବାକୁ ଚାହାଁନ୍ତି ଯେ ନାରୀ ହିଁ ଭୁଲ୍ l କିଛି ଲୋକ କୁହନ୍ତି ନାରୀ ହିଁ ସବୁ ଅନର୍ଥର ମୂଳ କାରଣ l ନାରୀ ପାଇଁ ରାମାୟଣ,ନାରୀ ପାଇଁ ମହାଭାରତ l ହଁ, ସେ ବି ଠିକ୍ କଥା l କିନ୍ତୁ ବୁଝିବାରେ ଟିକେ ଓଲଟପାଲଟ l ପ୍ରକୃତ କଥା ହେଲା, ନାରୀ ପାଇଁ ନୁହେଁ l ବରଂ ନାରୀକୁ ଅପମାନ କରିଥିବା ପାଇଁ l ଗୋଟେ ନାରୀର ଅପମାନରେ ଅଠର ଦିନର ମହାଭାରତ ଯୁଦ୍ଧ,ଆଉ ଗୋଟେ ନାରୀର ଅପମାନରେ ରାବଣ ଭଳି ଜଣେ ଶ୍ରେଷ୍ଠ ବ୍ରାହ୍ମଣ ଓ ମହାଜ୍ଞାନୀଙ୍କ ବିନାଶ l
ଏକଥା କହିବାର କାରଣ କିଛିଦିନ ତଳେ ମାନ୍ୟବର ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ ରାୟ ଦେଇଥିଲେ l ସହମତିରେ ସଂପର୍କ ଦୁଷ୍କର୍ମ ନୁହେଁ l ଯେଉଁ ରାୟକୁ ନେଇ ପୁରୁଷ ସମାଜର ଅନେକ ଲୋକ ଓ ଯୁବବର୍ଗଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା l ଭାବବିହ୍ୱଳ ହୋଇ କିଛି ନୀଚ୍ଚ ମାନସିକତା ର ଯୁବକ ସୋସିଆଲ୍ ମିଡିଆରେ ନାରୀ ମାନଙ୍କ ପାଇଁ ବିଭିନ୍ନ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରି ମାନ୍ୟବର ହାଇକୋର୍ଟଙ୍କ ରାୟ ରେ ଖୁସି ବ୍ୟକ୍ତ କରୁଥିବାର ଦେଖିବାକୁ ମିଳିଥିଲା l କିଛି କବି କବୟିତ୍ରୀ ଫଟାଫଟ୍ କାଗଜ କଲମ ଉଠେଇ ନାରୀ ବିରୋଧୀ କବିତା ଲେଖିପକେଇ ସୋସିଆଲ୍ ମିଡିଆରେ ପୋଷ୍ଟ୍ କରି ଅନେକ ପ୍ରଶଂସା ସାଉଁଟିଲେ l କିନ୍ତୁ କିଛି ସାମାଜିକଧର୍ମୀ ଓ ଆଧ୍ୟାତ୍ମିକବାଦୀ ଲୋକ ଏ ରାୟଟିକୁ ପ୍ରଥମରୁ ଗ୍ରହଣ କରିବା ସପକ୍ଷରେ ନଥିଲେ l ଏହି ରାୟ ଆସିବା ଦିନଠାରୁ ଲୋକମାନଙ୍କ ଭିତରେ ଚାଲିଛି ନାନା ତର୍କବିତର୍କ l
ଏହା ଉପରେ କିଛି ଆଲୋଚନା କରାଯାଇପାରେ l ପ୍ରଥମରୁ କହି ରଖିବି ଏହା ଏକ ସଚେତନତାମୂଳକ ଲେଖା l କୌଣସି ପୁରୁଷ ବା ନାରୀଙ୍କ ଚରିତ୍ରସଂହାରର ବାର୍ତ୍ତା ଦେବା ଏହି ଲେଖାର ଲକ୍ଷ୍ୟ ନୁହେଁ l ଘଟଣାଟି ଏହିପରି ଥିଲା l କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା  ଅଞ୍ଚଳର ୧୯ ବର୍ଷୀୟା ଯୁବତୀ ସେହି ଅଞ୍ଚଳର ଯୁବକ ଜି.ଅଚ୍ୟୁତ କୁମାରଙ୍କ ନାମରେ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିବା ଓ ବଳାତ୍କାର ଅଭିଯୋଗ ଆଣିଥିଲେ l ତଳ କୋର୍ଟରୁ ଜାମିନ୍ ଆବେଦନ ଖାରଜ ହୋଇଯିବା ପରେ ଯୁବକ ଜଣଙ୍କ ମାନ୍ୟବର ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ l କିନ୍ତୁ ଯୁବକଙ୍କ ବିରୁଦ୍ଧରେ ଲଗାଯାଇଥିବା ଭାରତୀୟ ପିଙ୍ଗଳ କୋର୍ଡ IPC ଧାରା ୩୭୬(ବଳାତ୍କାର କରିବା)କୁ  ମାନ୍ୟବର ହାଇକୋର୍ଟ ଖାରଜ କରି ଦେଇଥିଲେ l ପ୍ରକାଶ ଥାଉକି ଅନେକ ପୂର୍ବରୁ ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ରାୟ ଦେଇ ସାରିଥିଲେ ଯେ ଶିକ୍ଷିତା ଯୁବତୀମାନେ ଏମିତି କେସ୍ ନିଜ ପୁରୁଷବନ୍ଧୁଙ୍କ ବିରୁଦ୍ଧରେ ଆଣି ପାରିବେ ନାହିଁ l ଏହାକୁ ସମସ୍ତେ ଗ୍ରହଣ କରି ନେଇଥିଲେ l
ଏବେ ଆଲୋଚନାର ବିଷୟ ପ୍ରେମ l କାରଣ ଆଜିକାଲି  ଶାରୀରିକ ସଂପର୍କର ମୂଳଦୁଆ ଏଇ ଶବ୍ଦଟିରୁ ହିଁ ପଡୁଛି l ଶ୍ରୀମା’ କହିଥିଲେ – କାମ ବାସନା ପାଇଁ ପ୍ରେମ ଶବ୍ଦର ପ୍ରୟୋଗ କରି ପ୍ରେମ ପରି ଏକ ପବିତ୍ର ଶବ୍ଦକୁ ଦୂଷିତ କର ନାହିଁ l କାରଣ କାମବାସନା ତ ମନୁଷ୍ୟକୁ ପଶୁମାନଙ୍କଠାରୁ ଉତ୍ତରାଧିକାରରେ ମିଳିଛି l କିନ୍ତୁ ପ୍ରେମ ମନୁଷ୍ୟକୁ ପରମେଶ୍ୱରଙ୍କ ଠାରୁ ଉତ୍ତରାଧିକାରରେ ମିଳିଛି l ପ୍ରେମ ପ୍ରାଣିକ ଆକର୍ଷଣ ଓ ଆଦାନପ୍ରଦାନ ନୁହେଁ l ପ୍ରେମ ଏକ ପବିତ୍ର ଐଶ୍ୱରିକ ଶକ୍ତି l କିନ୍ତୁ ସେ ଐଶ୍ୱରିକ ପ୍ରେମ ଏବେ ବିସ୍ମୃତିର ଅତଳ ଗର୍ଭରେ ଲୀନ ହୋଇଯାଇଛି l ଏବେର ସମୟରେ ପ୍ରେମ କେବଳ ଏକ ଫମ୍ପା ଶବ୍ଦରେ ପରିଣତ ହେଇ ସାରିଛି l ପ୍ରେମର ପ୍ରକୃତ ଅର୍ଥ କାହିଁ କେବେଠୁ ବଦଳିଯାଇଛି l ଗ୍ରାମାଞ୍ଚଳର ଅଶିକ୍ଷିତା ବା ଅର୍ଦ୍ଧଶିକ୍ଷିତା ଝିଅଙ୍କ କଥା ଭାବି ଦେଖିଲେ ସେମାନେ ଅତି ସହଜରେ ଏହି ଶବ୍ଦ ବ୍ୟବହାର କରି ଛଳନା କରୁଥିବା ପୁରୁଷର ଶିକାର ହୁଅନ୍ତି l କିଏ ଭୁଲ୍ କିଏ ଠିକ୍ ନ ଜାଣି ପ୍ରତାରକକୁ ବିଶ୍ୱାସ କରି ତାକୁ ନିଜ ଜୀବନର ଏକ ଗୁରୁତ୍ୱପୂର୍ଣ ଅଙ୍ଗ ବୋଲି ଭାବି ନିଅନ୍ତି l ଏପରି ସ୍ଥଳେ ପ୍ରତାରକ ଅତି ସହଜରେ ନିଜ ମାୟା ଜାଲରେ ଫସେଇ କଥା ଶାରୀରିକ ସଂପର୍କ ଯାଏ ଚାଲିଯାଏ l
ଅନେକ କ୍ଷେତ୍ରରେ ଦେଖିବାକୁ ମିଳେ ଯେ ଯୁବକ ମାନେ ନିଜ ଲାଳସା ମେଣ୍ଟାଇ ସାରିବା ପରେ ସେ ଯୁବତୀକୁ ଛାଡି ଅନ୍ୟତ୍ର ବିବାହ କରନ୍ତି l ଏମିତି କେସ୍ କୋର୍ଟ କଚେରୀରେ କମ୍ ପହଞ୍ଚେ l ଅଧିକାଂଶ କେସ୍ ମାନସମ୍ମାନ ହାନିର ଭୟରେ ଚାପି ଦିଆଯାଏ l ପୂର୍ବରୁ ଛଳନାକାରୀ ମାନଙ୍କ ମନରେ ଦଫା ୩୭୬ ବା ବଳାତ୍କାର ଆଇନ୍ ପ୍ରତି ଭୟ ରହୁଥିଲା l ତେଣୁ ସେମାନେ ସାମାନ୍ୟ ସତର୍କ ରହୁଥିଲେ l କିନ୍ତୁ ମାନ୍ୟବର ହାଇକୋର୍ଟଙ୍କ ଏହି ନୂଆ ରାୟ ହୁଏତ ପ୍ରତାରଣାକାରୀଙ୍କୁ ଉତ୍ସାହିତ କରିପାରେ l ଏପରି ହେଲେ ଝିଅମାନେ ହୁଏତ ପ୍ରତାରିତା ହେଲା ପରେ ବି ଚୁପ୍ ରହି ପାରନ୍ତି l କିନ୍ତୁ ସେମାନଙ୍କ ହିଂସାତ୍ମକ ମନୋଭାବ ଆଗକୁ ନୂଆ ସମସ୍ୟାଟିଏ ନିଶ୍ଚୟ ସୃଷ୍ଟି କରିବ l ଶିକ୍ଷିତ ଯୁବକଯୁବତୀ ମାନେ ବି କିଛି ପଛରେ ନାହାଁନ୍ତି l ପ୍ରେମ କରି କେବଳ ନାନା ଦିବସ ପାଳନର ବାହାନାରେ ଦାମୀ ଉପହାରର ଆଦାନପ୍ରଦାନ କରୁଛନ୍ତି l କେତେକ ସ୍ଥାନରେ ଜଣେ କେବଳ ଦେଇ ଚାଲିଥିବା ଓ ଆର ଜଣଙ୍କ ଗୋଟିଏ ମୁଦ୍ରା ଖର୍ଚ୍ଚ ନକରି ବି କେବଳ ନେଇ ଚାଲିଥିବା ବି ଦେଖିବାକୁ ମିଳୁଛି l
ଶେଷରେ ବେଳେବେଳେ ପୁଅଟିଏ ଝିଅ ବିରୁଦ୍ଧରେ ବା ଝିଅଟିଏ ପୁଅ ବିରୁଦ୍ଧରେ ଟଙ୍କା ହଡପ୍ ର ଅଭିଯୋଗ ଆଣୁଥିବା ଦେଖିବାକୁ ମିଳୁଛି l ଆଉ କିଛି ତ ସବୁ ଟଙ୍କାପଇସା ହରେଇ ସାରିବା ପରେ ବି ଚୁପ୍ ରହୁଛନ୍ତି l ସେମାନେ କହନ୍ତି ଜଣେ ଜଣଙ୍କ ଟଙ୍କାପଇସା ଲୁଟି ନେଇପାରେ କିନ୍ତୁ କେହି କାହାର ଭାଗ୍ୟ ଲୁଟି ନେଇ ପାରିବ ନାହିଁ l ଟଙ୍କା ଆଜି ଚାଲି ଯାଇଚି ତ କାଲି ରୋଜଗାର କରିହେବ l ସେଇଟା ବି ଠିକ୍ l ତେବେ କଥା ହେଲା ସଂପର୍କ ଏତିକି ଭିତରେ ସୀମିତ ରହିବା ଦରକାର l ଶାରୀରିକ ସଂପର୍କ ଆଡେ କଥା ନଯାଉ l କାରଣ ଏ ଶାରୀରିକ ସଂପର୍କ ହୁଏତ ପାଶ୍ଚାତ୍ୟ ସଭ୍ୟତା ପାଇଁ ଏକ ମାମୁଲି କଥା ହେଇପାରେ ହେଲେ ଆମ ଧର୍ମସଂସ୍କୃତି ପାଇଁ ଏହା ଅତ୍ୟନ୍ତ ମୂଲ୍ୟବାନ୍ l ଯଦି ପ୍ରେମକୁ ସମସ୍ତେ ପିଲାଖେଳ ଭାବିନେଇ ଏହାର ଦୁରୁପଯୋଗ କରି ଚାଲିବେ ତାହାଲେ ସମସ୍ୟା ଦିନକୁ ଦିନ ବଢି ଚାଲିବ l
ଅବଶ୍ୟ ଏହା ସତ ଯେ ଦୁଇଜଣ ପୁଅଝିଅ ପରସ୍ପରକୁ ଭଲପାଇ ଯଦି କୌଣସି କାରଣରୁ ବି ଅଲଗା ହେଇ ଯାଆନ୍ତି,କିଛି ଲୋକ ପୁଅଆଡୁ ନଜର ହଟାଇ ଝିଅର ଚରିତ୍ର ସଂହାର କରିବାରେ ଖୁବ୍ ଜୋର୍ ରେ ଲାଗିପଡି ନିଜ ହୀନ ଓ ନୀଚ୍ଚ ମାନସିକତାର ପରିଚୟ ଦିଅନ୍ତି l ଏମିତି ଲୋକଙ୍କ ସଂଖ୍ୟା ଆମ ସମାଜରେ କିଛି କମ୍ ନୁହେଁ l ନିଜ ଘରଠୁ ନଜର ହଟାଇ ଏମାନେ କେବଳ ପର ଝିଅଙ୍କ ଉପରେ ତୀକ୍ଷ୍ଣ ନଜର ରଖି ଥାଆନ୍ତି l ସାମାନ୍ୟ ସୁଯୋଗ ମିଳିଲେ ପର ଝିଅ ମାନଙ୍କ ଚରିତ୍ରର କୁଚିତ୍ରଣ କରିବା ଆରମ୍ଭ କରି ଦିଅନ୍ତି l ଏଥିରେ କେବଳ ପୁରୁଷ ମାନେ ନୁହଁ କିଛି ନୀଚ୍ଚମନା ନାରୀମାନେ ମଧ୍ୟ ସାମିଲ୍ ଥା’ନ୍ତି l ଯେମିତି କି ନିଜ ପୁଅ କି ଭାଇ ଅନ୍ୟ ଝିଅଙ୍କଠୁ ଟଙ୍କା ଲୁଟି ଝିଅଙ୍କ ଜୀବନ ନେଇ ଖେଳୁଛି ଜାଣିବା ପରେ ବି ତାର ଭୁଲ୍ କୁ ଲୁଚେଇ ଚାଲନ୍ତି l ଆଉ ଯେତେବେଳେ ସେଇ ସମାନ ବିପଦ ନିଜ ଉପରେ ପଡେ ସେତେବେଳେ ନାରୀକାର୍ଡ ର ସାହାଯ୍ୟ ନେଇ କେସ୍ କରିବା ପାଇଁ ବାହାରି ପଡନ୍ତି l ଅବଶ୍ଯ ଏମିତି ନାରୀକାର୍ଡ ଖେଳି ସବୁ ଜାଗାରେ ଜିତିବାକୁ ଚାହୁଁଥିବା ଝିଅ ମାନଙ୍କ ପାଇଁ ଏହା ମାନ୍ୟବର ହାଇକୋର୍ଟଙ୍କର ଏକ ସ୍ୱାଗତଯୋଗ୍ୟ ରାୟ l
ଶିକ୍ଷିତା ଯୁବତୀ ମାନଙ୍କ ପାଇଁ ଏହି ରାୟ ବହୁ ଆଗରୁ ମିଳିସାରିଛି l ହୁଏତ ସେମାନେ ଏ ବିଷୟରେ ସଂପୂର୍ଣ ଜ୍ଞାତ  ୟା ପୂର୍ବରୁ ଲିଭ୍-ଇନ୍-ରିଲେସନଶିପ୍ ,ସମଲିଙ୍ଗୀ ସଂପର୍କକୁ ମଧ୍ୟ ସ୍ୱୀକୃତି ମିଳି ସାରିଛି ଏବଂ ଏବେ ପ୍ରେମ କରି ଶାରୀରିକ ସଂପର୍କ ରଖିବାକୁ ବି ପରୋକ୍ଷ ଭାବେ ଅନୁମତି ମିଳିଯାଇଛି l ତେବେ ପ୍ରଶ୍ନ ଉଠେ ଯଦି ମାନ୍ୟବର କୋର୍ଟଙ୍କ ରାୟକୁ ନେଇ ସମସ୍ତେ ଏତେ ଖୁସି ତାହାଲେ ଜନୈକା ଖେଳାଳୀଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଲୋକ ଏତେ ବ୍ୟସ୍ତ କାହିଁକି ? ସେ ଆମ ପରମ୍ପରାକୁ ନଷ୍ଟ କଲେ ବୋଲି ଆମେ କାହିଁକି କହିବା ? କ’ଣ ଏବେ ର ଏଇ ରାୟ ଆମ ପରମ୍ପରାକୁ କ୍ଷତି ପହଞ୍ଚେଇବନି ? ଲୋକମାନଙ୍କର ଏହା କିପରି ମାନସିକତା ? ନିଜକୁ ସୁହେଇଲା ଭଳି ରାୟକୁ ଖୁବ୍ ଜୋର୍ ରେ ଜାବୁଡି ଧରନ୍ତି ଆଉ ସେଇ ରାୟକୁ ନେଇ ଆଉ କିଏ କ’ଣ କଲେ ତା ବ୍ୟକ୍ତିଗତ ଜୀବନ ଭିତରେ ଧସେଇ ପଶନ୍ତି l
ଏହା କେଉଁ ପ୍ରକାର ନ୍ୟାୟ ? ଏହା କେବଳ ମୋ ମନର କେତେଗୁଡିଏ ଅମୀମାଂସିତ ପ୍ରଶ୍ନ l କିନ୍ତୁ କଥାରେ ଅଛି ବଡ ଲୋକଙ୍କୁ ଉତ୍ତର ନାହିଁ l ମାନ୍ୟବର କୋର୍ଟଙ୍କ ନିଷ୍ପତ୍ତି କେବେ ଭୁଲ୍ ହୋଇ ନପାରେ l ପ୍ରତିଟି ରାୟକୁ ଆମେ ସମ୍ମାନ ଦେବା l ସମାଜରେ କେମିତି ଭୁଲ୍ ନହେବ ସେପ୍ରତି ସଚେତନତା ସୃଷ୍ଟି କରିବା l କିନ୍ତୁ ଯୁବକମାନଙ୍କ ଅପେକ୍ଷା ପ୍ରତୈକ ଯୁବତୀ ଏ ବିଷୟରେ ଅଧିକ ସଚେତନ ରହିବା ଦରକାର l ମୂଖ୍ୟତ: ଅଶିକ୍ଷିତା ଓ ଅର୍ଦ୍ଧଶିକ୍ଷିତା ଯୁବତୀ ମାନେ ଏ ବିଷୟ ପ୍ରତି ବିଶେଷ ଧ୍ୟାନ ଦେବା ଦରକାର l
Nalco
Leave A Reply