Odisha news

କ୍ୱାରେଣ୍ଟାଇନ୍ ଟେନ୍ସନ୍

0

ସମଗ୍ର ବିଶ୍ୱରେ ଭୂତାଣୁର ରାଜ ଅବ୍ୟାହତ ରହିଛି । କେଉଁଠି ସ୍ଥିତି ସୁଧୁରିଛି ତ କେଉଁଠି ଗମ୍ଭୀର ରହିଛି । କହିବାକୁ ଗଲେ ଆମ ଦେଶ ଏବଂ ରାଜ୍ୟର ସ୍ଥିତି ନିୟନ୍ତ୍ରଣାଧିନ ରହିଛି । ପ୍ରବାସୀମାନଙ୍କ ଘରବାହୁଡା ଯୋଗୁଁ ସରକାର ଚିନ୍ତିତ ରହିଛନ୍ତି । ମାତ୍ରାଧିକ ସଂଖ୍ୟାରେ ପ୍ରତ୍ୟାବର୍ତ୍ତନ ସରକାରଙ୍କ ନିଦ ହଜାଇ ଦେଇଛି । ସେଥିପାଇଁ ସରକାରଙ୍କ ତରଫରୁ ସତର୍କତା ଅବଲମ୍ବନ କରାଯାଇଥିଲେ ମଧ୍ୟ କିଛି ନା କିଛି ତୃଟି ରହିଛି । ଏତେବଡ ଆରେଞ୍ଜ ସଫଳତାର ସହିତ ସମାପନ କରିବାକୁ ହେଲେ ତୃଟି ରହିବା ସ୍ୱାଭାବିକ ।

ସମସ୍ତଙ୍କ ସହଯୋଗ ରହିବା ଆବଶ୍ୟକ । ପ୍ରତିଦିନ ଗଣମାଧ୍ୟମଗୁଡିକରେ କରୋନା ଭୂତାଣୁର ତାଣ୍ଡବର ଚିତ୍ର ଦେଖିବାକୁ ମିଳୁଛି । ୨୧୨ଟି ଦେଶ ଏବଂ କ୍ରୁଜ୍ ଜାହାଜକୁ ନିଜ କବଳରେ ରଖିଛି ଏହି ଭୟଙ୍କର ଭୂତାଣୁ । ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି । ପ୍ରତିଷେଧକ ଔଷଧ ଏପର୍ଯ୍ୟନ୍ତ ନ ବାହାରିବାରୁ ସମସ୍ୟାକୁ ନିୟନ୍ତ୍ରଣ କରିହେଉନାହିଁ । ବିଭିନ୍ନ ଦେଶ ତରଫରୁ ଉଦ୍ୟମ ଅବ୍ୟାହତ ରହିଛି । ଯଦିବା ଆମ ଦେଶ ଅପେକ୍ଷାକୃତ ଭଲ ସ୍ଥିତିରେ ରହିଛି ତଥାପି ବିପଦ ଟଳି ନାହିଁ । ନୂଆ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢି ବଢି ଚାଲିଛି ।

ଓଡ଼ିଶା ଆମ ଦେଶରେ ଏହାର ଦୃଢ ମୁକାବିଲା କରିଥିଲେ ମଧ୍ୟ ବର୍ତ୍ତମାନ ପ୍ରବାସୀମାନଙ୍କ ଆମ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ ସରକାରଙ୍କ ନିଦ ହଜାଇ ଦେଇଛି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ପ୍ରବାସୀ ଆମ ରାଜ୍ୟକୁ ବିଭିନ୍ନ ଉପାୟରେ ଫେରୁଛନ୍ତି । କିଏ ଚାଲି ଚାଲି ତ କିଏ ସାଇକେଲରେ କିମ୍ବା ବିଭିନ୍ନ ପାଣିଟ୍ୟାଙ୍କର ଏବଂ କ୍ଷୀର ଟ୍ରାଙ୍କର ମାଧ୍ୟମରେ । ଏବେ ସରକାର ରାଜ୍ୟ ମଧ୍ୟରେ ବ୍ୟାପକ ପ୍ରସ୍ତୁତି କରିବା ପରେ ବସ ମାଧ୍ୟମରେ ହଜାର ହଜାର ସଂଖ୍ୟାରେ ହଜାର ହଜାର କିଲୋମିଟର ଯାତ୍ରା ପରେ କ୍ୱାରେଣ୍ଟାଇନ ସେଣ୍ଟରରେ ପହଞ୍ଚୁଛନ୍ତି ।

ପ୍ରଶାସନର କେତେକ କ୍ଷେତ୍ରରେ ଅବହେଳା ଯୋଗୁଁ ଅଧେ ଅଧାବାଟରୁ ଛୁ ମାରୁଛନ୍ତି । ଏଥିପାଇଁ ସରକାର ବିଭିନ୍ନ ପଞ୍ଚାୟତ ଏବଂ ପୌରାଞ୍ଚଳରେ ୧୨ହଜାର ସେଣ୍ଟାରରେ ୫ ଲକ୍ଷ ଲୋକଙ୍କୁ ରଖିବାର ସୁବନେ୍ଦାବସ୍ଥ କରିଛନ୍ତି । ଅନେକ ସ୍ଥାନରେ ଆବଶ୍ୟକତୀୟ ସୁବିଧା ସୁଯୋଗର ବ୍ୟବସ୍ଥା ହୋଇନାହିଁ । ଏପର୍ଯ୍ୟନ୍ତ ପ୍ରତ୍ୟାବର୍ତ୍ତନ କରିଥିବା ପ୍ରବାସୀମାନେ ଯେପରି ଆଚରଣ କରୁଛନ୍ତି ତାହା ବାସ୍ତବିକ ଲଜ୍ଜାଜନକ ।

ଏଥିରେ ପ୍ରଶାସନର କିଛି ମାତ୍ରାରେ ଭୁଲ ରହିଛି । ବର୍ତ୍ତମାନର ସମୟ ପରସ୍ପରକୁ ଦୋଷାରୋପ କରିବାର ନୁହେଁ । ମାତ୍ର କିଛି କ୍ୱାରେଣ୍ଟାଇନ୍ ସେଣ୍ଟରରେ ପ୍ରବାସୀମାନେ ସୀମା ଲଂଘନ କରିବାର ଦୃଶ୍ୟ ଯେତିକି ଉଦ୍ବେଗ ଜନକ ସେତିକି ଚିନ୍ତାଜନକ । ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡା କାଠ ପରି ସରକାରଙ୍କ ନିୟମ ଗୋଟେପଟେ ସେମାନଙ୍କ କାର୍ଯ୍ୟକଳାପ ଅନ୍ୟପଟେ ।

ପୁଳାଏ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ଗାଏବ ହୋଇଯାଉଛନ୍ତି । ଆଉ ପୁଳାଏ ଶ୍ୱଶୁର ଘରକୁ ଆସିଥିବା ପରି ମନେକରୁଛନ୍ତି । ଭାତ ଓ ଡାଲମା ସେମାନଙ୍କୁ ରୁଚୁ ନାହିଁ । ଚିକେନ ମଟନ ପାଇଁ ମନ ଡହଳ ବିକଳ ହେଲାଣି । ରହିବା ପାଇଁ ରାଜକୀୟ ପରିବେଶ ଦରକାର । କେଉଁଠି ଠିଆପାଲା କରି ତ କେଉଁଠି ଖାଦ୍ୟ ବର୍ଜନ କରି ଟିକ୍ଟକ୍ ଭିଡିଓ ମାଧ୍ୟମରେ ପ୍ରତିବାଦ କଲେଣି । ଅଧେ ଦିନରେ କ୍ୱାରେଟାଇନ୍ ସେଣ୍ଟରରେ ରହୁଥିବା ବେଳେ ସଂନ୍ଧ୍ୟା ହେଲେ ଗାଏବ ହୋଇଯାଉଛନ୍ତି ।

ଫଳରେ ଓଡ଼ିଶାର ଚିତ୍ର ବଦନାମ ହେଲାଣି । ପ୍ରଥମେ ସୋସିଆଲ ମିଡିଆରେ ବିଭିନ୍ନ ଭିଡିଓ ଅପଲୋଡ୍ କରି ସରକାରଙ୍କୁ ଆକୁଳ ନିବେଦନ କଲେ ସେମାନଙ୍କୁ ଘରକୁ ନେଇଯିବାକୁ । ଏଠାରେ ପହଞ୍ଚôଲା ପରେ ଆବଶ୍ୟକୀୟ ନୀତି ନିୟମ ମାନିବାକୁ ନାରାଜ । ମୋ ପିଲା ବୋଲି ସରକାର ଆଣିଲେ । ମାତ୍ର ଏଠି ଭିନ୍ନ ଆଚରଣ । ଏଣେ ଘରବୁଡି ପାଣି ଆଣ୍ଠୁଏ ହେଲେଣି, ନାନୀ ଏବେ ଘୁମାଉଛି । ବର୍ତ୍ତମାନ ସୁଧୁରିଯିବାର ସମୟ ଆସିଛି ।

କି ପ୍ରକାର ଆଚରଣ ତାହା ବୁଝା ପଡୁନାହିଁ । ଦୀର୍ଘ ଦିନର ପ୍ରତୀକ୍ଷା ଭୋକ ଉପାସ ଏବଂ ଦୀର୍ଘ ଯାତ୍ରା ସେମାନଙ୍କୁ ବୋଧେ ଅମାନିଆ କରି ଦେଇଛି । ଏତେଗୁଡେ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖି ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପ୍ରଶାସନ ପାଇଁ ବଡ ଚ୍ୟାଲେଞ୍ଜ । ଅବଶ୍ୟ ଅନେକ ସେଣ୍ଟରରେ ରହିବାର ସର୍ବନିମ୍ନ ଆବଶ୍ୟକତା ନାହିଁ । ତଥାପି ଆମକୁ ଆମର ମାନବିକତା ଦେଖାଇବାକୁ ହେବ । ୧୪ଦିନିଆ କ୍ୱାରେଣ୍ଟାଇନ୍ ସେଣ୍ଟର କୁ ପିକ୍ନିକ୍ ସ୍ପଟ ଭାବିକା ଅନୁଚିତ । ବର୍ତ୍ତମାନ ମିଳିମିଶି ଏହି ଭୟଙ୍କର ଭୂତାଣୁ ବିରୁଦ୍ଧରେ ଲଢିବା ଆବଶ୍ୟକ ।
ଆଗକୁ ଆହୁରି ହଜାର ହଜାର ସଂଖ୍ୟାରେ ପ୍ରବାସୀ ଆସିବେ ।

ସରକାରଙ୍କ ଚିନ୍ତା ବଢିଗଲାଣି । କେଉଁଠି ରହିବେ କିପରି ଜୀବିକା ନିର୍ବାହ କରିବେ ସେଥିପାଇଁ ବେଶ୍ ଚିନ୍ତିତ । ପୂନର୍ବାର ସେମାନେ ସେମାନଙ୍କର କାର୍ଯ୍ୟସ୍ଥଳକୁ ଫେରିବେ ନା ନାହିଁ ଏପରି ଅବସ୍ଥାରେ ଜୋଇଁ ପୁଅର ଆତିଥ୍ୟ ଦେବା କ’ଣ ସମ୍ଭବ । ସେ ପଟେ କ୍ୱାରେଣ୍ଟାଇନ୍ ସେଣ୍ଟର ଗୁଡିକରେ ତାସ ଖେଳ, ଭୋଜିଭାତ ଏବଂ ନାଲିପାଣି ସେବନ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ବାଧ୍ୟ ହୋଇ ପ୍ରଶାସନ ତରଫରୁ ସିସିଟିଭି କ୍ୟାମେରା ଲଗାଇବାର ବ୍ୟବସ୍ଥା କରାଯାଇଛି । ଆଇନକୁ ଫୁ କରି ଉଡାଉଛନ୍ତି ।

ସାମାଜିକ ଦୂରତା ଚୁଲିକି ଯାଉଛି । ନିଜ ପଞ୍ଚାୟତ କିମ୍ବା ପୌରାଞ୍ଚଳରେ ସେଣ୍ଟର ଯୋଗୁଁ ଘରୁ ମାଛ, ମାଂସ ଆସୁଥିବାର ଅଭିଯୋଗ ଆସୁଛି । ସତେ ଯେପରି ଅଜଣା ଚାଉଳର ଭାତ ଖାଉଛନ୍ତି । ନିଜେ ବିପଦରେ ରହି କିଳାକୁ ପୁନର୍ବାର ହୁଇସିଲ୍ ମାରି ଡାକୁଛନ୍ତି । ଭୁଲି ଯାଉଛନ୍ତି ମାନବିକତା । ଏହା ରୁଗ୍ଣ ମାନସିକତାର ପରିଚାୟକ । ଅନ୍ୟପଟେ ସେହି ରାଜସ୍ଥାନ, ଗୁଜୁରାଟ, ହାଇଦ୍ରାବାଦ, ବାଙ୍ଗାଲୋର, ମୁମ୍ବାଇରୁ ଆସିଥିବା ପାଠପଢୁଆ ପୁଅଝିଅମାନେ ଗୀତ. ଶ୍ଲୋକ ପଠନ କରି ସମସ୍ତଙ୍କ ଶୁଭକାମନା କରିବାର ଦୃଶ୍ୟ ମଧ୍ୟ ବେଶ୍ ଶିକ୍ଷଣୀୟ ।

ଏପରି ମହାବିପତ୍ତି ସମୟରେ ମଣିଷ ଭୁଲି ଯାଉଛି ମାନବିକତା । ଏ ଲଢେଇ ଜୀବନ ପାଇଁ ଏବଂ ମଣିଷର ଅସ୍ଥିତ୍ୱ ପାଇଁ ଚାଲିଛି । ୪୦ଦିନର ଲକ୍ଡାଉନ୍ ପରେ ମଧ୍ୟ ସଂଖ୍ୟା କମୁନି । ସରକାର ୪ର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଏପର୍ଯ୍ୟନ୍ତ ବିପଦ ଟଳିନାହିଁ । କିଲର ଭାଇରସର କ୍ଲାଇମାକ୍ସ ଏବେ ବି ବାକି ରହିଛି । ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆମେ ସାମାଜିକ ଦାୟିତ୍ୱ ଏବଂ କର୍ତ୍ତବ୍ୟକୁ ଭୁଲିଯିବା ଉଚିତ୍ ନୁହେଁ । ନଚେତ୍ ଏହାର ଭୟାବହ ଫଳାଫଳ ଆମକୁ ଭୋଗିବାକୁ ପଡିବ । ଏପରି ଅମାନିଆ ଚରିତ୍ରମାନଙ୍କୁ ଭଗବାନ ସଦ୍ବୁଦ୍ଧି ଦେବା ଆବଶ୍ୟକ । ପୂର୍ବ ପ୍ରସ୍ତୁତି ଯଦି ଠିକ୍ ହୋଇନାହିଁ ତଥାପି ଆମକୁ ସହଯୋଗର ହାତ ବଢାଇବାକୁ ହେବ ।
ସେମାନେ ସୁସ୍ଥ ରହନ୍ତୁ । ସେମାନଙ୍କ ପରିବାରକୁ ସୁସ୍ଥ ରଖନ୍ତୁ । ସମଗ୍ର ଓଡ଼ିଶା ସୁସ୍ଥ ରହୁ । ସ୍ୱାଭାବିକ ସ୍ଥିତି ଫେରିଆସୁ ।

Leave A Reply