ତାଳଚେର: ଆଜି ତାଳଚେର ସ୍ଥିତ ଚିତ୍ରକୁଟ ଶିବ ମନ୍ଦିରରେ ନିରାଡମ୍ବର ସହକାରେ ଏକ ଆଦର୍ଶ ବିବାହ ଅନୁଷ୍ଠିତ ହୋଇଯାଇଛି । ତାଳଚେର ଟାଉନ୍ ବିରାଦରପଡା ନିବାସୀ ପଂଚାନନ ବେଉରା ଜଣେ ଗରୀବ ଓ ଅସହାୟ ବ୍ୟକ୍ତି ହୋଇଥିବାରୁ ତାଙ୍କର ଝିଅକୁ ବିବାହ ବୟସ ହୋଇଥିଲେ ମଧ୍ୟ ଆର୍ଥୀକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ବିବାହ କରି ପାରୁନଥିଲେ ।
ଏହି ଅବସରରେ ତାଳଚେରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅକ୍ଷୟ ମହାନ୍ତି ସ୍ମୃତି ୱେଲ୍ ଫେୟାର ସୋସାଇଟିର ସାଧାରଣ ସଂପାଦକ ସିତିକାନ୍ତ ବାରିକ ଏହି ଖବର ପାଇ ମାତୃଭୂମୀ ଫାଉଣ୍ଡେସନ୍ ର ସାଧାରଣ ସଂପାଦକ ବିଘ୍ନେଶ୍ୱର ସାହୁଙ୍କ ସହିତ ଯୋଗାଯୋଗ କରିଥିଲେ । ଶ୍ରୀ ସାହୁ ଫାଉଣ୍ଡେସନ୍ ର ସଦସ୍ୟ ମାନଙ୍କୁ ଧରି ଏହି ଆଦର୍ଶ ବିବାହ କରିବାକୁ ନିଷ୍ପତି ନେଇଥିଲେ ।
ସାରା ରାଜ୍ୟରେ ଲକ୍ ଡାଉନ୍ ଜନିତ ସାମାଜିକ ଦୂରତା ଅନୁପାଳନ ହେଉଥିବାବେଳେ ଏହି ବିବାହ କରିବାକୁ ପ୍ରଶାସନ ପାଖରୁ ବିଘ୍ନେଶ୍ୱର ସାହୁ ଅନୁମତି ଆଣିଥିଲେ । ପ୍ରଶାସନର ନିଦେ୍ର୍ଦଶ କ୍ରମେ ତାଳଚେର ସାମନ୍ତସାହି (ୱାର୍ଡ ନଂ-୨) ର ଚନ୍ଦନ ଦାସଙ୍କ ସହିତ ବିରାଦରପଡାର ବିଷ୍ଣୁପ୍ରିୟା ବେଉରାଙ୍କର ବିବାହ ହୋଇଥିଲା । ଏଥିରେ ସୀମିତ ଲୋକଙ୍କ ମଧ୍ୟରେ ନିରାଡମ୍ବର ଭାବେ ବିବାହ ଉତ୍ସବ ସମ୍ପନ୍ନ କରାଯାଇଥିଲା । ଏହି ବିବାହ ଉତ୍ସବରେ ପୂର୍ବତନ ନଗରପାଳ ପବିତ୍ର ଭୂତିଆ, ମାତୃଭୂମୀ ଫାଉଣ୍ଡେସନ୍ ର ସଦସ୍ୟ ଲକ୍ଷ୍ମଣ ମହାରଣା, ରବି ସିଠ, ସୁଲେଖ ସେଠୀ, ବେଣୁଧର ଦାସ, ନାନୁ ରାଓ, ଅକ୍ଷୟ ମହାନ୍ତି ସ୍ମୃତି ୱେଲ୍ ଫେୟାର ସୋସାଇଟି ର ସଂପାଦକ ଜିତେନ୍ଦ୍ର ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।