Odisha news

କିମ୍ ଜୋଙ୍ଗ୍‌ ଉନ୍‌ଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଖବର ‘ଠିକ୍ ନୁହେଁ’: ଟ୍ରମ୍ପ୍

0

ୱାସିଂଟନ୍: ଉତ୍ତର କୋରିଆର ନେତା କିମ୍ ଜୋଙ୍ଗ୍‌ ଉନ୍‌ ଅସୁସ୍ଥ ଥିବା ଖବରକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍ ଗୁରୁବାର ଦିନ ପ୍ରତ୍ୟାଖାନ କରିଛନ୍ତି। ଏହି ସମ୍ବାଦ ପ୍ରସାରଣ କରିଥିବା ଗଣମାଧ୍ୟମ ‘ସିଏନ୍ଏନ୍’କୁ ମଧ୍ୟ ଟ୍ରମ୍ପ୍ ସମାଲୋଚନା କରିଛନ୍ତି।

କିମ୍ ଭଲ ଅଛନ୍ତି କି, ନାହିଁ, ସେ ବିଷୟରେ ଉତ୍ତର କୋରିଆରୁ ସେ ନିଜେ କିଛି ବୁଝାବୁଝି କରିଛନ୍ତି କି ବୋଲି ପଚରା ଯିବାରୁ  ଟ୍ରମ୍ପ୍ କହିଲେ, ମୋର ମନେହୁଏ ଏ ଖବର ଭୁଲ୍, ମୁଁ ଅସଲ କଥାଟା କହୁଛି। ମୁଁ ଶୁଣୁଛି ସେମାନେ (ଗଣମାଧ୍ୟମ) ପୁରୁଣା ଡକ୍ୟୁମେଣ୍ଟ୍ ବ୍ୟବହାର କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ‘ସିଏନ୍‌ଏନ୍’ ସହ ଟ୍ରମ୍ପଙ୍କ ସମ୍ପର୍କ ଅତି ତିକ୍ତତାପୂର୍ଣ୍ଣ। ‘ସିଏନ୍‌ଏନ୍’ କୁ ସମାଲୋଚନା କରି ଟ୍ରମ୍ପ୍ କହିଲେ, ‘ମୋର ମନେହୁଏ ତାହା ‘ସିଏନ୍ଏନ୍’ ଦ୍ବାରା ପ୍ରସ୍ତୁତ ମିଛ ଖବର।

Image Source: News18

ଅସ୍ତ୍ରୋପଚାର ପରେ କିମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ସଙ୍କଟାପନ୍ନ ‌ବୋଲି ଗୁଇନ୍ଦା ସୂତ୍ରରୁ ମିଳିଥିବା ଖବରକୁ ୱାସିଂଟନ୍ ଅନୁଧ୍ୟାନ କରୁଛି ବୋଲି ‘ସିଏନ୍ଏନ୍’ ରିପୋର୍ଟ କରିଥି‌ଲା। କିନ୍ତୁ, ଏ ରିପ‌‌ୋର୍ଟର ସତ୍ୟତା ଉପରେ ଦକ୍ଷିଣ କୋରିଆ ଏ ପର୍ଯ୍ୟନ୍ତ ମଧ୍ୟ ନିଶ୍ଚିତ ନୁହେଁ।

ସାମ୍ବାଦିକମାନଙ୍କୁ ଟ୍ରମ୍ପ୍ କହିଛନ୍ତି, ମୋର ଆଶା ସେ ଚିକିତ୍ସା ସଙ୍କଟରେ ନ ଥିବେ। ମୁଁ ଆଶା କରୁଛି ସେ ଅସୁବିଧାରେ ପଡ଼ି ନ ଥିବେ। ତାଙ୍କ ସହ ମୋର ସମ୍ପର୍କ ଅତି ଉତ୍ତମ। ମନେରଖନ୍ତୁ ମୁଁ ଯଦି ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇ ନ ଥାନ୍ତି ଆପଣମାନେ ଉତ୍ତରକୋରିଆ ସହ ଯୁଦ୍ଧ କରୁଥାଆନ୍ତେ।

 

Govt
Leave A Reply