Odisha news

ବେଙ୍ଗାଲୁରୁରେ ‘କବିତାୟନ’ : କବିତାରେ ଝଙ୍କୃତ ହେଲା ଓଡ଼ିଆ ସାହିତ୍ୟର ସ୍ୱର

0

ଓଡ଼ିଆ ଭାଷା, ସାହିତ୍ୟ ଓ କବିତାର ପ୍ରଚାର-ପ୍ରସାର ଉଦ୍ଦେଶ୍ୟରେ ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ପକ୍ଷରୁ ରବିବାର ସନ୍ଧ୍ୟାରେ ଏକ ମନୋଜ୍ଞ କବିତା ଆବୃତ୍ତି ଆସର ‘କବିତାୟନ’ ଅନୁଷ୍ଠିତ ହୋଇଯାଇଛି। ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ସଭାପତି ତାପସ ରାଜ୍ ମହାରଣାଙ୍କ ଆବାହନରେ ଆୟୋଜିତ ଏହି ସାରସ୍ୱତ ଆସରରେ ଓଡ଼ିଆ କବିତାର ବିଭିନ୍ନ ଭାବ, ଅନୁଭବ ଓ ସମ୍ବେଦନା ଆବୃତ୍ତି ମାଧ୍ୟମରେ ପ୍ରକାଶ ପାଇଥିଲା।

କାର୍ଯ୍ୟକ୍ରମରେ ଗରିମାମୟ ଅତିଥି ଭାବେ ନୟାଗଡ଼ର ଡେପୁଟି କଲେକ୍ଟର ଶ୍ରୀ ସମ୍ଭୁ ମିଶ୍ର ଏବଂ ୱିପ୍ରୋର ଗ୍ଲୋବାଲ ହାୟାରିଂ ଆଣ୍ଡ ଏଆଇର ଭାଇସ୍ ପ୍ରେସିଡେଣ୍ଟ ଶ୍ରୀ ସୂର୍ଯ୍ୟ ପ୍ରକାଶ ମହାପାତ୍ର ଯୋଗଦେଇଥିଲେ।

 ଅତିଥିମାନେ ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧ ପରମ୍ପରା ସମ୍ପର୍କରେ ମତବ୍ୟକ୍ତ କରିବା ସହ ପ୍ରବାସରେ ଓଡ଼ିଆ ଭାଷାର ପ୍ରଚାର ଓ ସାହିତ୍ୟଚର୍ଚ୍ଚା ପାଇଁ ଏଭଳି ଆୟୋଜନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଶ୍ରୀମତୀ ସ୍ୱର୍ଣ୍ଣଲତା ଲେଙ୍କା, ଶ୍ରୀଯୁକ୍ତ ହରିବନ୍ଧୁ ଦାସ, ଶ୍ରୀମତୀ ମୈତ୍ରୟୀ କମିଲା, ଶ୍ରୀ ଅରୁଣ ମହାପାତ୍ର, ଶ୍ରୀମତୀ ସଲିଳା ମହାନ୍ତି, ଶ୍ରୀମତୀ ସ୍ନେହା ମିଶ୍ର, ଶ୍ରୀମତୀ ଉତ୍କଳିକା ବେହୁରିଆ, ଶ୍ରୀମତୀ କଳ୍ପନା ମିଶ୍ର, ଡ଼ଃ ଚିତ୍ତ ରଞ୍ଜନ କୁଣ୍ଡୁ, ଶ୍ରୀ ରଞ୍ଜନ ମହାନ୍ତି, ଶ୍ରୀ ସୁଧାଂଶୁ ଶେଖର ବଳ, ଶ୍ରୀ ରାଜେନ୍ଦ୍ର ମହାପାତ୍ର, ଡ଼ଃ ବାମନ ଚନ୍ଦ୍ର ଦୀକ୍ଷିତ, ଶ୍ରୀ ରଶ୍ମିରଞ୍ଜନ ରାଉତ, ଶ୍ରୀ ରଜିତ ଦାଶ ଓ ଡ଼ଃ ବସନ୍ତ ମଞ୍ଜରୀ ଦାଶ ପ୍ରମୁଖ କବିତା ଆବୃତ୍ତି ପରିବେଷଣ କରିଥିଲେ।

କବିତାର ଭାବ, ଶବ୍ଦ ଓ ସ୍ୱରର ମନୋଜ୍ଞ ସମନ୍ୱୟରେ ସମଗ୍ର ପରିବେଶ ଏକ ସୁନ୍ଦର ସାରସ୍ୱତ ଆସରରେ ପରିଣତ ହୋଇଥିଲା। ଉପସ୍ଥିତ ଶ୍ରୋତାମାନେ ପ୍ରତ୍ୟେକ କବିତା ଓ ଆବୃତ୍ତିକୁ ଉତ୍ସାହର ସହିତ ଉପଭୋଗ କରିଥିଲେ ବିଶେଷକରି କବିତାର ଭାବପୂର୍ଣ୍ଣ ଉପସ୍ଥାପନା ଶ୍ରୋତାଙ୍କ ମନରେ ଓଡ଼ିଆ ଭାଷା ପ୍ରତି ଆତ୍ମୀୟତା ଓ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିଥିଲା।

କାର୍ଯ୍ୟକ୍ରମକୁ ଶ୍ରୀମତୀ ମହାସ୍ମିତା ଓଝା ସୁନ୍ଦର ଭାବେ ସଂଯୋଜନା କରିଥିଲେ। ତାଙ୍କର ସ୍ୱଚ୍ଛନ୍ଦ ସଂଯୋଜନା ଓ ଆକର୍ଷଣୀୟ ଉପସ୍ଥାପନା ଆସରକୁ ଆହୁରି ସୁନ୍ଦର କରିଥିଲା।

ଏହି କବିତାୟନ ଆସର ଦୁର୍ଗେଶ ନନ୍ଦିନୀଙ୍କ ସୁମଧୁର ଭଜନରୁ ଆରମ୍ଭ ହୋଇଥିବାବେଳେ ଶ୍ରୀ ପ୍ରଶାନ୍ତ କୁମାର ନାଥଙ୍କ ଧନ୍ୟବାଦ ଅର୍ପଣ ସହ ସମାପ୍ତ ହୋଇଥିଲା।  ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମଟି ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର ଏକ ସୁନ୍ଦର ପରିବେଶ ସୃଷ୍ଟି କରିଥିଲା।

ବାଙ୍ଗାଲୋର ଓଡ଼ିଆ ସାହିତ୍ୟ ସମାଜ ପକ୍ଷରୁ ସମାଜର ନିର୍ଦ୍ଦେଶକ ମଣ୍ଡଳୀରୁ ଶ୍ରୀ ଅଜୟ କେତନ ମହାନ୍ତି, ଶ୍ରୀମତୀ ଅନୁରୂପା ସିଂ, ଡ଼ଃ ବସନ୍ତ ମଞ୍ଜରି ଦାସ ତଥା ଶ୍ରୀ ତାପସ ରାଜ୍ ମହାରଣା, ଶ୍ରୀମତୀ ବିଶ୍ୱଭାରତୀ ଦାଶ ଗୋସ୍ୱାମୀ, ଶ୍ରୀମତୀ ଦୁର୍ଗେଶ ନନ୍ଦିନୀ, ଶ୍ରୀମତୀ ଲୋପାମୁଦ୍ରା ପରିଡ଼ା, ଶ୍ରୀମତୀ ତାପସ୍ୱିନୀ ଷଡ଼ଙ୍ଗୀ ଓ ଶ୍ରୀ ପ୍ରଶାନ୍ତ କୁମାର ନାଥ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବା ସହ କବି ଓ ସାହିତ୍ୟିକମାନଙ୍କୁ ଉତ୍ସାହିତ କରିଥିଲେ।

ବେଙ୍ଗାଲୁରୁ ମାଟିରେ ଓଡ଼ିଆ ଭାଷା ଓ ସାହିତ୍ୟର ଏଭଳି ଆସର ଆୟୋଜନ ପ୍ରବାସୀ ଓଡ଼ିଆମାନଙ୍କ ମଧ୍ୟରେ ଭାଷା ଓ ସାହିତ୍ୟ ପ୍ରତି ଆଗ୍ରହ ବଢ଼ାଇବା ସହ ନୂତନ ପିଢ଼ିକୁ ଓଡ଼ିଆ ସାହିତ୍ୟ ସହ ଯୋଡ଼ିବାରେ ନିଶ୍ଚିତ ଭାବେ ସହାୟକ ହେବ ବୋଲି ଉପସ୍ଥିତ ସାହିତ୍ୟପ୍ରେମୀମାନେ ମତବ୍ୟକ୍ତ କରିଥିଲେ।

Nalco
Leave A Reply