Odisha news

କଳିଙ୍ଗା ଘାଟିକୁ ବିକଳ୍ପ ରାସ୍ତା ଖୋଜା : ଭୂସ୍ଖଳନ ପରେ ୪ ଦିନ ଧରି ଯାତାୟାତ ଠପ୍‌, ଘଟଣାସ୍ଥଳରେ ପରିବହନ ମନ୍ତ୍ରୀ ଓ ପ୍ରଶାସନର ଅନୁଧ୍ୟାନ

0
କନ୍ଧମାଳ , ତା, ୨୬/୦୯:(ସଞ୍ଜୟ କୁମାର ପାଣିଗ୍ରାହୀ):  ଗଞ୍ଜାମ-କନ୍ଧମାଳକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ କଳିଙ୍ଗା ଘାଟି ଏବେ ଭୂସ୍ଖଳନର ଗୁରୁତର ଝୁମ୍ପରେ। ଗତ କିଛିଦିନ ମଧ୍ୟରେ ଘାଟିରେ ଦୁଇ ଦୁଇଥର ଭୂସ୍ଖଳନ ହେବା ପରେ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ଗଞ୍ଜାମ ସମେତ ବ୍ରହ୍ମପୁର ଓ ଅନ୍ୟ ଜିଲ୍ଲା ସହ କନ୍ଧମାଳର ସିଧାସଳଖ ଯୋଗାଯୋଗ ଗୁରୁତର ଭାବେ ପ୍ରଭାବିତ ହୋଇଛି।
ଚାରିଦିନ ଧରି କଳିଙ୍ଗା ଘାଟି ସିଲ୍ ରହିଥିବାରୁ ଘାଟି କେବେ ଖୋଲିବ, ତାହାକୁ ନେଇ ଯାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଅନିଶ୍ଚିତତା ଲାଗିରହିଛି। ଏଭଳି ସ୍ଥିତିରେ ଘାଟିର ଭୂସ୍ଖଳନ ସ୍ଥାନଗୁଡ଼ିକର ତୁରନ୍ତ ମରାମତି ସହ ଏକ ସ୍ଥାୟୀ ବିକଳ୍ପ ରାସ୍ତା ନିର୍ମାଣ ନେଇ ସରକାରୀ ଓ ରାଜନୈତିକ ସ୍ତରରେ ତତ୍ପରତା ଆରମ୍ଭ ହୋଇଛି। ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗଞ୍ଜାମ ଜିଲ୍ଲା ପ୍ରଶାସନ, ଜି.ଉଦୟଗିରି ଓ ଭଞ୍ଜନଗର ପ୍ରଶାସନିକ ଅଧିକାରୀ ଏବଂ ଜାତୀୟ ରାଜପଥ ପ୍ରାଧିକରଣର ଅଧିକାରୀଙ୍କ ସହ କଳିଙ୍ଗା ଘାଟିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ମନ୍ତ୍ରୀ ଓ ଅଧିକାରୀମାନେ ପାଦରେ ଚାଲି ଭୂସ୍ଖଳନର ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ରାସ୍ତାର ବର୍ତ୍ତମାନ ସ୍ଥିତି ଯାଞ୍ଚ କରିଥିଲେ। ବିଶେଷକରି ଭାଲିଆପଟା ରାସ୍ତା ଦେଇ ବିକଳ୍ପ ଯୋଗାଯୋଗ ପଥ ନିର୍ମାଣ କରିବାର ସମ୍ଭାବନା ନେଇ ଅଧିକାରୀମାନେ ସ୍ଥିତି ପରଖିଥିଲେ। ଯଥାଶୀଘ୍ର ବିକଳ୍ପ ରାସ୍ତା ନିର୍ମାଣ ସହ ଭୂସ୍ଖଳନ ଯୋଗୁଁ କ୍ଷତିଗ୍ରସ୍ତ ଅଂଶର ମରାମତି କରି ଯାତାୟାତ ସ୍ୱାଭାବିକ କରିବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିବା ଜଣାପଡ଼ିଛି। ବର୍ତ୍ତମାନ କଳିଙ୍ଗା ଘାଟି ବନ୍ଦ ଥିବାରୁ କନ୍ଧମାଳ ପଟୁ ବ୍ରହ୍ମପୁର ଯିବା ପାଇଁ ଚକାପାଦ ଓ ଗ୍ୟାଲେରୀ ରାସ୍ତା ବ୍ୟବହାର କରାଯାଉଛି। ଏହି ବିକଳ୍ପ ରାସ୍ତା ମଧ୍ୟ ଅନେକ ସ୍ଥାନରେ ଅନୁପଯୁକ୍ତ ଥିବା ବେଳେ ପୂର୍ବପେକ୍ଷା ପ୍ରାୟ ୬୦ କିଲୋମିଟର ଅଧିକ ଦୂରତା ଅତିକ୍ରମ କରିବାକୁ ପଡ଼ୁଛି। ଫଳରେ ଯାତ୍ରୀବାହୀ ବସ୍‌ଠାରୁ ଆରମ୍ଭ କରି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଜରୁରୀ ଯାତାୟାତ ମଧ୍ୟ ପ୍ରଭାବିତ ହେଉଛି। ଅନ୍ୟପକ୍ଷରେ ଜି.ଉଦୟଗିରି ବିଧାୟକ ପ୍ରଫୁଲ୍ଲ କୁମାର ପ୍ରଧାନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘାଟିର ସ୍ଥିତି ସମୀକ୍ଷା କରିବା ସହ ଯଥାଶୀଘ୍ର ରାସ୍ତା ନିର୍ମାଣ ଓ ଯୋଗାଯୋଗ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଦାବି କରିଛନ୍ତି।
କଳିଙ୍ଗା ଘାଟିରେ କେଉଁଠି ପାହାଡ଼ରୁ ଅତଡ଼ା ଖସି ଗାର୍ଡୱାଲ୍ ଭାଙ୍ଗିଛି, ତ ଆଉ କେଉଁଠି ବଡ଼ ବଡ଼ ପଥର ଖସି ରାସ୍ତା ଅବରୋଧ ହୋଇଛି। ବର୍ଷା ଜାରି ରହିଲେ ପୁଣି ଭୂସ୍ଖଳନ ଆଶଙ୍କା ଥିବାରୁ କେବଳ ଅସ୍ଥାୟୀ ମରାମତି ନୁହେଁ, କଳିଙ୍ଗା ଘାଟିର ଦୀର୍ଘମିଆଦୀ ସୁରକ୍ଷା ଓ ବିକଳ୍ପ ଯୋଗାଯୋଗ ପଥ ନେଇ ସ୍ଥାୟୀ ସମାଧାନ ଆବଶ୍ୟକ ବୋଲି ଅଞ୍ଚଳବାସୀ ମତ ଦେଇଛନ୍ତି।
Nalco
Leave A Reply