ଭୂବନେଶ୍ୱର, ତା.୧୯/୦୯: କୋରାପୁଟରେ ଅନୁଷ୍ଠିତ ଦିଶା ବୈଠକରେ ଜୟପୁରର କଂଗ୍ରେସ ବିଧାୟକ ଶ୍ରୀ ତାରା ପ୍ରସାଦ ବାହିନୀପତି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଯେଉଁଭଳି ଭାବେ ଦୁର୍ବ୍ୟବାହାର କଲେ ଓ ଧମକ ଦେଲେ ତାହାକୁ ଯେତେ ନିନ୍ଦା କଲେ କମ୍ ହେବ। ଗଣମାଧ୍ୟମକୁ ଗଣତନ୍ତ୍ରର ଆମେ ଚତୁର୍ଥ ସ୍ତମ୍ଭ ବୋଲି କହୁଥିବାବେଳେ ଜଣେ ବିଧାୟକ ହେବା ସତ୍ୱେ ସାମ୍ବାଦିକ ଭାଇ ଓ ଭଉଣୀମାନଙ୍କ ପ୍ରତି ତାରା ବାବୁଙ୍କ ବ୍ୟବହାର ଆଦୌ ଗ୍ରହଣୀୟ ନୁହେଁ। ବିଶେଷ କରି ସାମ୍ବାଦିକ ଭଉଣୀଙ୍କ ସଙ୍ଗେ ସେ ଯେଉଁ ଭଳି ଆଚରଣ କରିଛନ୍ତି ତାହା ଅତ୍ୟନ୍ତ ଅଶୋଭନୀୟ। ଜଣେ ମହିଳା ହିସାବରେ ଓ ଭାରତୀୟ ଜନତା ପାର୍ଟି ପକ୍ଷରୁ ଏହି ଘଟଣାକୁ ଘୋର ନିନ୍ଦା କରିବା ସହ ଗଣମାଧ୍ୟମ ଆଗରେ ତାରା ବାବୁ କ୍ଷମା ମାଗନ୍ତୁ ବୋଲି ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ପୂର୍ଣ୍ଣିମା ପ୍ରିୟଦର୍ଶନୀ ନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି।
