ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ରଥଯାତ୍ରା ସମୀକ୍ଷା ବୈଠକ
୧୭୦୦ ବାୟୋ-ଟଏଲେଟ, ୮ଟି ଅସ୍ଥାୟୀ ହସ୍ପିଟାଲ, ୬୫ ଏଲଇଡି ସ୍କ୍ରିନ୍, ୪୭୦ ସିସିଟିଭି କ୍ୟାମେରା, ୧୬ ସ୍ଥାୟୀ ଟେଲିକମ ଟାୱାର ଦିବ୍ୟାଙ୍ଗ, ବୟୋଜ୍ୟେଷ୍ଠ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କୁ ଗୁଣ୍ଡିଚା ମନ୍ଦିରରେ ଦର୍ଶନର ସୁବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
ଭୁବନେଶ୍ୱର , ୧୦ ଜୁଲାଇ ୨୦୨୬ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପବିତ୍ର ରଥଯାତ୍ରା ପାଇଁ ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ବୈଠକରେ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିବା ସହିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ସହଯୋଗ, ସମନ୍ୱୟ ଓ ନିରନ୍ତର ଯୋଗାଯୋଗ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ୬ ତାରିଖରେ ମୁଖ୍ୟମନ୍ତ୍ରୀ ପୁରୀରେ ସମୀକ୍ଷା ବୈଠକ କରିବା ପାରେ ଆଜି ଆଉଥରେ ଲୋକସେବା ଭବନରେ ବିସ୍ତୃତ ସମୀକ୍ଷା କରିଛନ୍ତି।
ଆଜିର ବୈଠକରେ ନୀତିକାନ୍ତିରେ ସମୟାନୁବର୍ତ୍ତିତା, ରଥ ଓ ଯାତ୍ରୀଙ୍କ ସୁରକ୍ଷା, ଭିଡ ନିୟନ୍ତ୍ରଣ ଏବଂ ଅଗ୍ନିଶମ ସେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ ଯେ, ଦକ୍ଷ ଓ ଅଭିଜ୍ଞ ଅଧିକାରୀଙ୍କ ପରିଚାଳନାରେ ରଥଯାତ୍ରା ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହୋଇପାରିବ।
ସମନ୍ୱୟ ବା କୋ-ଅର୍ଡିନେସନ ଉପରେ ପୁନର୍ବାର ଗୁରୁତ୍ୱ ଆରୋପ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ପ୍ରତ୍ୟେକ ସ୍ତରରେ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ତଥା ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେବାପାଇଁ ନିରନ୍ତର ସୂଚନା ପ୍ରଦାନର ବ୍ୟବସ୍ଥା ରହିବା ଆବଶ୍ୟକ। କୌଣସି ପରିସ୍ଥିତିରେ ଯେପରି କମ୍ୟୁନିକେସନ ଗ୍ୟାପ ନରୁହେ, ସେଥିପ୍ରତି ଧ୍ୟାନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ସବୁ ବରିଷ୍ଠ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।
ବୈଠକରେ ମୁଖ୍ୟମନ୍ତ୍ରୀ କର୍ଡନ ପରିଚାଳନା, ମହିଳାମାନଙ୍କ ସୁରକ୍ଷା, ସନ୍ଦିଗ୍ଧ ଓ ନିଶା ସେବନକାରୀଙ୍କ ଉପରେ ନଜର, ଟ୍ରାଫିକ ବ୍ୟବସ୍ଥା, ଖାଦ୍ୟ ଓ ପାନୀୟ ଜଳର ମାନ ଯାଞ୍ଚ, ଜରୁରୀକାଳୀନ ଇଭାକ୍ୟୁସନ, ପାଣିପାଗକୁ ଦେଖି ଉପଯୁକ୍ତ ପଦକ୍ଷେପ ଆଦି ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରି ସମ୍ପୂର୍ଣ୍ଣ ବ୍ୟବସ୍ଥାକୁ ଫୁଲ୍-ପ୍ରୁଫ୍ କରିବା ପାଇଁ ପରାମର୍ଶ ଦେଇଥିଲେ।
ବୈଠକର ଆଲୋଚନାରୁ ଜଣାଯାଇଛି ଯେ, ସୁରକ୍ଷା ବ୍ୟବସ୍ଥା ପାଇଁ ୧୨ ହଜାର ପୋଲିସ ତଥା CAPFର କର୍ମଚାରୀ ମୁତୟନ କରାଯାଇଛି। ଏହାସହିତ Coast Guard ଓ Indian Navy ମଧ୍ୟ ସଜାଗ ଅଛନ୍ତି। ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ତଦାରଖ ପାଇଁ ୧୯ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ ନିୟୋଜନ କରାଯାଇଛି।
ସେହିପରି ୪୭୩ CCTV Camera ସହିତ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଜରୁରୀ ସୂଚନା ପ୍ରଦାନ କରିବା ପାଇଁ ୬୫ଟି ବଡ LED Screen ର ବ୍ୟବସ୍ଥା କରାଯାଇଛି। ଓଡିଆ, ହିନ୍ଦୀ ଓ ଇଂରାଜୀରେ ଏଥିରେ ସୂଚନା ଦିଆଯିବ। ମୋବାଇଲ ନେଟୱାର୍କ ପାଇଁ ୧୬ଟି ସ୍ଥାୟୀ ଓ ଅନେକ ଅସ୍ଥାୟୀ ଟାୱାରର ବ୍ୟବସ୍ଥା କରାଯାଇଛି। ସୂଚନା ପ୍ରଦାନ ପାଇଁ ଏଥରକ Bulk Messagingର ବ୍ୟବସ୍ଥା ମଧ୍ୟ କରାଯାଇଛି।
ଦିବ୍ୟାଙ୍ଗ ଓ ବୟୋଜ୍ୟେଷ୍ଠ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ପାଇଁ ଗୁଣ୍ଡିଚା ମନ୍ଦିରରେ ଦର୍ଶନର ସୁବ୍ୟବସ୍ଥା ପାଇଁ Help Deskର ବ୍ୟବସ୍ଥା କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା। ଭିଡ ନିୟନ୍ତ୍ରଣ ପାଇଁ ଅନେକ Evacuation Corridor ର ବ୍ୟବସ୍ଥା କରାଯାଇଛି। ସମସ୍ତ ସୁରକ୍ଷା କାର୍ଯ୍ୟର ନିୟନ୍ତ୍ରଣ ପାଇଁ ସମନ୍ୱିତ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର କରାଯାଇଛି।
ରଥଯାତ୍ରାର ପ୍ରତ୍ୟେକ ଟିକ୍ନିଖି କାର୍ଯ୍ୟ ପାଇଁ ଜଣେ ଜଣେ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ପାର୍କିଙ୍ଗ୍, ବଡଦାଣ୍ଡରେ ହାଇମାକ୍ସ ଲାଇଟର ବ୍ୟବସ୍ଥା କରାଯାଇଛି। ଏଥର ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଭାବେ ୧୭୦୦ଟି ବାୟୋ-ଟଏଲେଟର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ୫ଟି ଟଏଲେଟକୁ ପରିସ୍କାର ପରିଚ୍ଛନ୍ନ କରିବା ପାଇଁ ଜଣେ ଜଣେ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ସେହିପରି ତୁରନ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ୮ଟି ଅସ୍ଥାୟୀ ହସ୍ପିଟାଲ ମଧ୍ୟ କରାଯାଇଛି।
ଚଳିତ ବର୍ଷ ରଥଯାତ୍ରାରେ ପୁରୀକୁ ପ୍ରାୟ ୩୦୦ରୁ ଅଧିକ ଟ୍ରେନ ଚଳାଚଳ କରିବ। ତେଣୁ ଟ୍ରେନର ସମୟ ଅନୁଯାୟୀ ଭକ୍ତ ମାନଙ୍କ ଆଗମନକୁ ଦେଖି ଯାତ୍ରୀମାନଙ୍କୁ ଉପଯୁକ୍ତ ସୂଚନା ପ୍ରଦାନ କରିବା, ଭିଡ ନିୟନ୍ତ୍ରଣ ସହିତ ଅନ୍ୟାନ୍ୟ ବ୍ୟବସ୍ଥାକୁ ସଠିକ ରୂପେ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଏବଂ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ସମସ୍ତ ବ୍ୟବସ୍ଥାର ସମ୍ପୂର୍ଣ୍ଣ ବିବରଣୀ ଉପସ୍ଥାପନ କରିଥିଲେ।
ବୈଠକରେ ପୂର୍ତ୍ତ ଓ ଆଇନ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଶ୍ରୀ ଡି.କେ. ସିଂହ, ଗୃହ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି. ଖୁରାନିଆ, ଅଗ୍ନିଶମ ବିଭାଗର ମହାନିର୍ଦ୍ଦେଶକ ଡ. ସୁଧାଂଶୁ ଷଡଙ୍ଗୀ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଶୀମନ୍ଦିର ମୁଖ୍ୟ ପ୍ରଶାସକ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ ପାଢୀ ଏବଂ ବିଭିନ୍ନ ବିଭାଗର ସଚିବ ଓ ପୋଲିସ ଉଚ୍ଚ ପଦାଧିକାରୀ ଏବଂ ପୁରୀ ଜିଲ୍ଲାପାଳ ଓ ଏସ୍.ପି ଉପସ୍ଥିତ ଥିଲେ।
