ବାଲିଗୁଡା, ତା,୧୫/୦୫: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକରେ ଶୁକ୍ରବାର ଅଲ୍ ଇଣ୍ଡିଆ ମୂଳ ନିବାସୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ସଭାପତି ପ୍ରଶାନ୍ତ ପ୍ରଧାନ ଏବଂ ସମ୍ପାଦକ ନୀରଜ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ସଂଘ ସଦସ୍ୟ ସାରିଙ୍ଗିଇର୍ପି ଆମ୍ବତୋଟାଠାରେ ଏକତ୍ରିତ ହୋଇଥିଲେ। ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୂଳ ନିବାସୀ ପକ୍ଷରୁ ବିଭିନ୍ନ ଦାବି ଉପସ୍ଥାପନା କରାଯାଇ ରାଜ୍ୟପାଳ, ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଉକ୍ତ ଦାବିପତ୍ରରେ ଭୂମିହୀନ ଲୋକଙ୍କୁ ତୁରନ୍ତ ଜମିପଟ୍ଟା ପ୍ରଦାନ, ସ୍ଥାନୀୟ ଜନଜାତିଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ, ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଗ୍ରାମସଭାର ବିନା ଅନୁମୋଦନରେ ସରକାର ବିଭିନ୍ନ କମ୍ପାନୀ ହାତକୁ ପ୍ରାୟ ୨୨ ଶହ ଏକର ଜମି ପ୍ରଦାନ ନିଷ୍ପତ୍ତି ଓ ବେଆଇନ ଭାବେ ତାକୁ କାର୍ଯ୍ୟକାରୀ କରି ଜନଜାତିଙ୍କୁ ବିସ୍ଥାପନ କରିବାକୁ ବନ୍ଦ କରିବା ଏବଂ ଦାରିଙ୍ଗବାଡ଼ିର ସାଂଜାସରୁ ଉନ୍ନୟନ ଟ୍ରଷ୍ଟକୁ ରଦ୍ଦ କରିବା ଆଦି ଦାବି ପତ୍ରରେ ଉଲ୍ହେଖ ରହିଛି। ଶୋଭାଯାତ୍ରାରେ ତହସିଲ କାର୍ଯ୍ୟାଳୟ ପହଞ୍ଚି ସେଠାରେ ବିକ୍ଷୋଭ କରାଯିବା ସହ ତହସିଲଦାର ଧୀରଜ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଆଇନଶୃଙ୍ଖଳାର ତଦାରଖ ପାଇଁ ଆଇଆଇସି ସଂଗ୍ରାମ କେଶରୀ ଜେନାଙ୍କ ତତ୍ତ୍ୱାବଧାନରେ ଶତାଧିକ ସୁରକ୍ଷା କର୍ମୀ ମୁତୟନ ହୋଇଥିଲେ। ଏହି ଆନ୍ଦୋଳନରେ ଆଦିବାସୀ ଦଳିତ ମହାସଂଘ, କୁଇକୁଳ ସମିତି ରାଷ୍ଟ୍ରୀୟ ଆଦିବାସୀ ସେଡୁଲ, ଏରିଆ ସଂଘର୍ଷ ସମିତି ର ଶତାଧିକ କର୍ମକର୍ତ୍ତା ଓ ସଦସ୍ୟ ଯୋଗଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।