ଶିଳ୍ପପତି ଅନିଲ ଅମ୍ବାନୀଙ୍କ ନାମରେ ରୁଜୁ ହୋଇଥିବା ତିନି ମାମଲା ଆଧାରରେ ସିବିିଆଇ ପକ୍ଷରୁ ୧୭ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ରିଲାଏନ୍ସ କମର୍ସିଆଲ୍ ଫାଇନାନ୍ସ, ରିଲାଏନ୍ସ ହୋମ୍ ଫାଇନାନ୍ସ ଓ ଏହାର ନିର୍ଦ୍ଦେଶକମାନଙ୍କ ଠିକଣା ଖାନତଲାସୀ ହୋଇଥିଲା। ଅନିଲଙ୍କ ବିରୋଧରେ ବ୍ୟାଙ୍କ ଋଣ ଅନ୍ୟତ୍ର ବ୍ୟବହାର କରିଥିବା ଅଭିଯୋଗ ରହିଛି।
ମୁମ୍ବାଇର ସ୍ବତନ୍ତ୍ର ସିବିଆଇ କୋର୍ଟ ଜାରି କରିିଥିବା ୱାରେଣ୍ଟ ଆଧାରରେ ଏହି ଚଢ଼ଉ ହୋଇଥିଲା। ଏହା ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବାରେ ସଫଳ ହୋଇଥିଲା। ବହୁ ସଂଖ୍ୟାରେ କମ୍ପାନି ଗୋଟିଏ ଠିକଣାରୁ ପରିଚାଳିତ ହେଉଥିବା ଜଣାପଡ଼ିଛି। ତେବେ ଏହି ମାମଲାରେ ତଦନ୍ତ ଜାରି ରହିଛି।ସିବିଆଇ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଭାରତୀୟ ଜୀବନ ବୀମା କମ୍ପାନିର ଅଭିଯୋଗ ଆଧାରରେ ଅନିଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍ ଓ ତା ସହ ଜଡ଼ିତ ସଂସ୍ଥାଗୁଡ଼ିକ ବିରୋଧରେ ଗତ କିଛି ମାସରେ ୭ଟି ମାମଲା ରୁଜୁ କରାଯାଇଛି।
ମାମଲା ରୁଜୁ ହେବାରେ ପରେ ୧୪ଟି ସ୍ଥାନରେ ଚଢ଼ଉ ହୋଇଥିଲା। ରିଲାଏନ୍ସ କମ୍ୟୁନିକେସନର ଦୁଇ ଜଣ ବରିଷ୍ଠ ଅଧିକାରୀ ଯୁଗ୍ମ ସଭାପତି ଡି ବିଶ୍ବନାଥ ଓ ଉପସଭାପତି ଅନିଲ କାଲ୍ୟାଙ୍କୁ ଗିରଫ କରାଯାଇଥିଲା। ଏହି ଦୁଇ ଅଧିକାରୀ ବ୍ୟାଙ୍କ କାରବାରର ଦେଖାଶୁଣା କରୁଥିଲେ ଏବଂ କମ୍ପାନିକୁ ଆସୁଥିବା ପାଣ୍ଠିର ବ୍ୟବହାର ସମ୍ପର୍କିତ ନିଷ୍ପତ୍ତି ନେଉଥିଲେ। ସେମାନେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।