ଲୋକଙ୍କ ସମସ୍ୟା ଦୂର କରିବା ହିଁ ପ୍ରକୃତ ଇନୋଭେସନ୍ – ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀରେ ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ରେ କେନ୍ଦ୍ରମନ୍ତ୍ରୀ
• ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଯୁବ ଗବେଷକମାନଙ୍କ ସହ ଆଲୋଚନା କଲେ
• ଭାରତକୁ ଡିପ୍-ଟେକ୍ ଏବଂ ଫ୍ରଣ୍ଟିଅର୍ ରିସର୍ଚ୍ଚର ହବ୍ କରିବା ପାଇଁ ସରକାର ସଂକଳ୍ପବଦ୍ଧ
• ଗବେଷଣା କ୍ଷେତ୍ରରେ ସରକାର ଓ ଶିଳ୍ପ ସଂସ୍ଥା ମଧ୍ୟରେ ୫୦:୫୦ ଭାଗିଦାରୀର ଆବଶ୍ୟକତା ରହିଛି
• ୨୦୪୭ ସୁଦ୍ଧା ଗ୍ଲୋବାଲ ସାଉଥ୍ ପାଇଁ ମଡେଲ ସାଜିବ ଭାରତ
ନୂଆଦିଲ୍ଲୀ, ୫ ମଇ, ୨୦୨୬ – ଲୋକଙ୍କ ସମସ୍ୟା ଦୂର କରିବା ହିଁ ପ୍ରକୃତ ଇନୋଭେସନ୍ । କାଗଜପତ୍ର, ପେଟେଣ୍ଟ କିମ୍ବା ଆଇପିଓ ମାଧ୍ୟମରେ ପ୍ରଗତିକୁ ମାପିବାର ସମୟ ଏବେ ଶେଷ ହୋଇଛି ବୋଲି ଆଜି ଆଇଆଇଟି ମାଡ୍ରାସର ‘ଟେକ୍ନୋଲୋଜି ସମିଟ୍ -୨୦୨୬’ କୁ ଉଦ୍ଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ନୂଆଦିଲ୍ଲୀ ସ୍ଥିତ ଭାରତ ମଣ୍ଡପମ୍ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗବେଷଣା, ବିକାଶ(ଆର ଆଣ୍ଡ୍ ଡି) ଏବଂ ନବାଚାର ପାଇଁ ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ତିଆରି କରିଛନ୍ତି । ବର୍ତ୍ତମାନ ଦେଶରେ ସରକାର ଗବେଷଣାକୁ ବିଶେଷ ଭାବରେ ପ୍ରୋତ୍ସାହନ ଦେଉଛନ୍ତି। ତେବେ ଆଗାମୀ ଦିନରେ ଶିଳ୍ପ ସଂସ୍ଥା ଏବଂ ସରକାରଙ୍କ ମଧ୍ୟରେ ଭାଗିଦାରୀ ରହିଲେ ହିଁ ଭାରତର ଇନୋଭେସନ ବ୍ୟବସ୍ଥା ଆନ୍ତର୍ଜାତୀୟ ସ୍ତରର ହୋଇପାରିବ ବୋଲି ସେ କହିଛନ୍ତି ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଆଇଆଇଟି ମାଡ୍ରାସ ଦ୍ୱାରା ‘ଇନଷ୍ଟିଚ୍ୟୁଟ୍ ଅଫ୍ ଏମିନେନ୍ସ’ (ଆଇଓଇ) ଢାଞ୍ଚା ଅଧୀନରେ ପ୍ରତିଷ୍ଠିତ ୧୫ଟି ଉତ୍କର୍ଷ କେନ୍ଦ୍ରର ଗବେଷଣା ଭିତ୍ତିଭୂମି ଉପରେ ଆଧାରିତ । ଏଠାରେ ସ୍ୱାସ୍ଥ୍ୟସେବା ଏବଂ ସ୍ଥାୟୀ ବିକାଶ ଠାରୁ ଆରମ୍ଭ କରି ସେମିକଣ୍ଡକ୍ଟର, ଉର୍ଜା ଏବଂ ଅତ୍ୟାଧୁନିକ ସାମଗ୍ରୀ ପର୍ଯ୍ୟନ୍ତ ସାମାଜିକ ଆହ୍ୱାନଗୁଡ଼ିକର ସିଧାସଳଖ ସମାଧାନ କରୁଥିବା ପ୍ରଯୁକ୍ତିବିଦ୍ୟାଗୁଡ଼ିକୁ ପ୍ରଦର୍ଶିତ କରାଯାଉଛି । “ଫର୍ମ ଆଇଆଇଟିଏମ ଫର୍ ଭାରତ. ବଲ୍ଡିଂ ଟୁଗେଦର” ଶୀର୍ଷକ ବିଷୟବସ୍ତୁ ବାସ୍ତବରେ ଆତ୍ମନିର୍ଭର ଭାରତକୁ ପ୍ରତିଫଳିତ କରୁଛି । ସେ ଆହୁରି କହିଛନ୍ତି ଯେ, ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବା ସହ ବିଶ୍ୱର ପ୍ରଗତିଶୀଳ ରାଷ୍ଟ୍ର ବା ‘ଗ୍ଲୋବାଲ ସାଉଥ୍’ ପାଇଁ ଏକ ମଡେଲ ସାଜିବ । ଏଥିପାଇଁ ଆମର ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକୁ ସେମାନଙ୍କ ଗବେଷଣାକୁ ବ୍ୟବସାୟିକ ଭାବେ ସଫଳ ଓ ସାମାଜିକ ଭାବେ ଗ୍ରହଣୀୟ କରିବାକୁ ପଡ଼ିବ ।
ଏହି ସମ୍ମିଳନୀରେ କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଜୟନ୍ତ ଚୌଧୁରୀ, ଆଇଆଇଟି ମାଡ୍ରାସର ନିର୍ଦ୍ଦେଶକ ପ୍ରଫେସର ଭି. କାମାକୋଟି, ଶିକ୍ଷା ସଚିବ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ପରିଶେଷରେ ମନ୍ତ୍ରୀ ସମ୍ମିଳନୀ ପରିସରରେ ଆୟୋଜିତ ଏକ ବୃହତ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନୀକୁ ବୁଲି ଦେଖିବା ସହ ଯୁବ ଗବେଷକମାନଙ୍କୁ ଉତ୍ସାହିତ କରିଥିଲେ ।